ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ: ଆଜିଠୁ ବାୟୋ-ମେଟ୍ରିକ୍‌ ଉପସ୍ଥାନ ମନା

୫୦% କର୍ମଚାରୀଙ୍କୁ ନେଇ ଚାଲିବ କାର୍ଯ୍ୟ, ଶିକ୍ଷକଙ୍କ ଲାଗି ଜାରି ହେବ ରୋଷ୍ଟର ଡ୍ୟୁଟି

ଭୁବନେଶ୍ବର : ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଏସ୍‌ଆରସିଙ୍କ ନିର୍ଦ୍ଦେଶାବଳୀ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଜସ୍ବ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଆଜି ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଶନିବାରଠାରୁ ବାୟୋମେଟ୍ରିକ୍‌ ଉପସ୍ଥାନ ନ ନେବାକୁ ନିର୍ଦେଶ ଦେଇଛନ୍ତି। ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ। ଅଫ୍‌ଲାଇନ୍‌ ମୋଡ୍‌ରେ ଉପସ୍ଥାନ ନେବାକୁ କର୍ତୃପକ୍ଷଙ୍କୁ କୁହାଯାଇଛି।

ଏଥିସହ କୁହାଯାଇଛି ଯେ ଜାନୁଆରି ୧୦ରୁ ୩୧ ପର୍ଯ୍ୟନ୍ତ କ୍ଲାସରୁମ୍‌ ଥିଓରି କିମ୍ବା ପ୍ରାକ୍ଟିକାଲ ପାଠପଢ଼ା ବନ୍ଦ ରହିବ ଏବଂ ଅନ୍‌ଲାଇନ୍‌ ପାଠପଢ଼ା କରାଯିବ। ୫୦% କର୍ମଚାରୀଙ୍କୁ ନେଇ ଦୈନିକ କାର୍ଯ୍ୟ ଚାଲିବ। କର୍ତୃପକ୍ଷ ଏଭଳି ବ୍ୟବସ୍ଥା କରିବେ, ଯେମିତିକି ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସଂଖ୍ୟା ୫୦% ରହିବ। ବିଶ୍ବବିଦ୍ୟାଳୟ ଓ କଲେଜରେ କୌଣସି କାର୍ଯ୍ୟ ଯେପରି ପ୍ରଭାବିତ ନ ହୁଏ, ସେଥିପ୍ରତି କର୍ତୃପକ୍ଷ ଦୃଷ୍ଟି ଦେବେ। କାର୍ଯ୍ୟ ଦିବସରେ କର୍ମଚାରୀମାନେ ସବୁ ସମୟରେ ଶିକ୍ଷାନୁଷ୍ଠାନକୁ ଆସିବା ଲାଗି ପ୍ରସ୍ତୁତ ରହିବା ଆବଶ୍ୟକ। ଶିକ୍ଷକମାନେ କଲେଜ ଓ ବିଶ୍ବବିଦ୍ୟାଳୟକୁ ଆସିବାର ଆବଶ୍ୟକତା ନାହିଁ। ସେମାନଙ୍କ ଲାଗି ରୋଷ୍ଟର୍‌ ବ୍ୟବସ୍ଥା କରାଯିବ। ସେମାନେ ଘରେ ରହି ଅନ୍‌ଲାଇନ୍‌ରେ କ୍ଲାସ ନେବେ। ସେଥିରେ ଯେପରି ତ୍ରୁଟି ନ ହୁଏ, ସେଥିପ୍ରତି ଧ୍ୟାନ ଦେବେ। ସମସ୍ତ କାର୍ଯ୍ୟ ଦିବସରେ ଦିବ୍ୟାଙ୍ଗ ଶିକ୍ଷକମାନେ ଘରେ ରହି ଅନ୍‌ଲାଇନ୍‌ରେ ପଢ଼ାଇ ପାରିବେ। ଜାନୁଆରି ୧୦ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ ରହିବ। ଏହି ସମୟ ମଧ୍ୟରେ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ ରହିବ। ବିଶ୍ବବିଦ୍ୟାଳୟ ଓ କଲେଜରେ ଗବେଷଣା କାର୍ଯ୍ୟ ଜାରି ରହିବ। ପ୍ରୋଜେକ୍ଟ ୱାର୍କ ଲାଗି ଗବେଷଣାରତ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବା ପାଇଁ ଅନୁମତି ଦିଆଯାଇ ପାରିବ ବୋଲି ସଚିବ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର