ହିଞ୍ଜିଳିରୁ ପ୍ରଚାର ଆରମ୍ଭ: ନବୀନଙ୍କ ବିକାଶ କାର୍ଡ, ଯୁବବର୍ଗ ଉପରେ ଆଖି

ସରକାର ଆସିଲେ ଯୁବ ବଜେଟ୍‌ କରାଯିବ

ହିଞ୍ଜିଳିକାଟୁ/ଶେରଗଡ଼: ‘ବିକାଶ’କୁ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। ଯୁବ ଭୋଟର୍‌ମାନଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ବଡ଼ କାର୍ଡ ଖେଳିଛନ୍ତି ନବୀନ। କହିଛନ୍ତି ଯେ ସରକାର ଆସିଲେ, ଯୁବ ବଜେଟ୍‌ ଆସିବ। ଅନ୍ୟପକ୍ଷରେ ନିଜର ଚିରାଚରିତ ଢଙ୍ଗରେ କାହାର ନାମ ନ ନେଇ ବିରୋଧୀଙ୍କୁ କଟାକ୍ଷ କରିବାକୁ ଭୁଲିନାହାନ୍ତି ନବୀନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନିଜ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଶୁଭାରମ୍ଭ କରିଛନ୍ତି। ଉଭୟ ହିଞ୍ଜିଳି ଓ ଶେରଗଡ଼ରେ ଦୁଇଟି ବିରାଟ ଜନସଭାରେ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇଥିଲେ। ନବୀନ କହିଥିଲେ, ‘ଯୋଡ଼ି ଶଙ୍ଖ ହେଉଛି ଓଡ଼ିଶା ଓ ବିକାଶର ପରିଚୟ। ଓଡ଼ିଶାର ସାଢ଼େ ୪ କୋଟି ‌ଲୋକଙ୍କ ଆଶୀର୍ବ‌ାଦରୁ ବିଜେଡି ଚଳିତ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭାରେ ନିଶ୍ଚିତ ଭାବେ ବିପୁଳ ବିଜୟ ହାସଲ କରିବ। ବିଜେଡି ସବୁବେଳେ ଏକ ନମ୍ବର ଦଳ ଭାବେ ରହିଆସିଛି। ଜନତାଙ୍କ ଆସ୍ଥା ଓ ଆଶୀର୍ବାଦରେ ଏହି ନିର୍ବାଚନରେ ଦଳ ପୁଣିଥରେ ଏକ ନମ୍ବର ହୋଇ ବିକାଶର ଯାତ୍ରାକୁ ଆହୁରି ମଜବୁତ୍ କରିବ। ଓଡ଼ିଶାର ସାଢ଼େ ଚାରିକୋଟି ଲୋକ ‌ହେଉଛନ୍ତି ମୋ’ ପରିବାର। ସେମାନଙ୍କ କଲ୍ୟାଣ ପାଇଁ ମୁଁ ସବୁବେଳେ କାମ କରିଚାଲିଛି ଓ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ କରିଚାଲିବି।’ ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟ ସରକାର ବିକାଶକୁ ଧରି ଯେବେ ଆଗକୁ ଯାଉଛନ୍ତି, ବିରୋଧୀ ଦଳ ତାହାକୁ ନେଇ ସବୁବେଳେ ଅଯଥା ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରି ଅପପ୍ରଚାର କରୁଛନ୍ତି। ଓଡ଼ିଶାବାସୀ ସେମାନଙ୍କ ଅସଲ ରୂପକୁ ଚିହ୍ନିଛନ୍ତି। ବିକାଶକୁ ବିରୋଧ କରି କେହିବି ସଫଳ ହେବେନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ସରକାର ଆସିଲେ ଯୁବ ବଜେଟ୍‌ କରାଯିବ
ବିକାଶକୁ ବିରୋଧ କରୁଛନ୍ତି ବିରୋଧୀ, ସବୁକଥାରେ ରାଜନୀତି
ଯୋଡ଼ିଶଙ୍ଖରେ ଭୋଟ ଦେବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ
ପାଣ୍ଡିଆନ କହିଲେ, ସର୍ବାଧିକ ଭୋଟ୍‌ ବ୍ୟବଧାନରେ ଜିତାଅ

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଯୁବଶକ୍ତି ଉପରେ ତାଙ୍କର ଦୃଢ଼ ଭରସା ରହିଛି। ଏଣୁ ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ପାଇଁ ସ୍ବତନ୍ତ୍ର ଯୁବ ବଜେଟ୍ ଆସିବ। ଯେଉଁଥିରେ ଶିଳ୍ପ, ପୁଞ୍ଜି ବିନିଯୋଗ, ନିଯୁକ୍ତି ତଥା ଦକ୍ଷତା ବିକାଶକୁ ଫୋକସ୍ କରାଯିବ। ଆଉ ୨୦୨୪ରୁ ୨୦୩୪ ଏହି ଦଶନ୍ଧି ଯୁବଶକ୍ତି ପାଇଁ ‌ସୁବର୍ଣ୍ଣ ଯୁଗ ହେବ। ଓଡ଼ିଶା ନିଜ କାମ ପାଇଁ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବ। ୨୦୩୬ରେ ଯେତେବେଳେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଏହା ଦେଶର ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ ହେବ। ହିଞ୍ଜିଳି ଓ ଶେରଗଡ଼ ଆଜି ସାରା ଦେଶରେ ବିକାଶର ଏକ ମଡେଲ୍ ଭାବେ ଉଦାହରଣ ସୃଷ୍ଟି କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୫-ଟି ରୂପାନ୍ତରୀକରଣ ଯାତ୍ରାରେ ହିଞ୍ଜିଳି ଓ ଶେରଗଡ଼ବାସୀଙ୍କ ସହଯୋଗ ପ୍ରଶଂସାଯୋଗ୍ୟ। ଓଡ଼ିଶାର ଚାଷୀ ଓ ମିସନ୍ ଶକ୍ତିର ମା’ମାନେ ଶୂନ ପ୍ରତିଶତ ସୁଧରେ ଋଣ ପାଉଛନ୍ତି। ସଶକ୍ତ ଓଡ଼ିଶା ଗଠନ ଦିଗରେ ଏହା ଏକ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିଜ ଉଦ୍‌ବୋଧନରେ କହିଥିଲେ, ‘ହିଞ୍ଜିଳି ହେଉଛି ଦେଶର ଏକ ନମ୍ବର ନିର୍ବାଚନମଣ୍ଡଳୀ। ଆଉ ବିଧାୟକ ହେଉଛନ୍ତି ଦେଶର ଏକ ନମ୍ବର ବିଧାୟକ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ। ଏଣୁ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତାଇ ତାଙ୍କର ଏକନମ୍ବର ସ୍ଥାନ ବଜାୟ ରଖନ୍ତୁ’।
ଏହି ଅବସରରେ ମଞ୍ଚାସୀନ ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଓ ଆସିକା ସାଂସଦ ପ୍ରମିଳା ବିଶୋଇ ପ୍ରମୁଖ ନିଜ ନିଜ ଅଭିଭାଷଣରେ ବିଜେଡିକୁ ଜିତାଇବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମ‌ରେ ହିଞ୍ଜିଳି ଓ ଶେରଗଡ଼ରୁ ବହୁ ନିର୍ବାଚିତ ଜନପ୍ରତିନିଧି ଏବଂ ଦଳୀୟ ନେତୃବୃନ୍ଦ ଓ କର୍ମୀ ସାମିଲ ହୋଇଥିଲେ। ଉଭୟ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର