ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସୋରରେ ସିବିଆଇ ଚଢ଼ଉ, ସିଗ୍‌ନାଲ ଜେଇଙ୍କ ଘର ସିଲ୍

ବାଲେଶ୍ବର/ସୋର : ବାଲେଶ୍ବର ଜିଲ୍ଲା ‌ବାହାନଗାଠାରେ ଘଟିଥିବା ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ବି ଟ୍ରେନ୍‌ ଚଳାଚଳ ସ୍ବାଭାବିକ ‌ହୋଇନାହିଁ। ଦୁର୍ଘଟଣା ଏତେ ଭୟାବହତା ଭିତରୁ କେହି ବି ମୁକୁଳି ପାରୁନାହାନ୍ତି, ନା ଯାତ୍ରୀ ନା ସାଧାରଣ ଲୋକ। ଏପରିସ୍ଥଳେ ଏହି ଦୁର୍ଘଟଣାର ତଦନ୍ତ ଭାର ନେଇଥିବା ସିବିଆଇ ସୋମବାର ଦିନ ହଠାତ୍‌ ସକ୍ରିୟ ହୋଇଉଠିଛି। ବାହାନଗା ଷ୍ଟେସନ୍‌ର ସିଗ୍‌ନାଲ୍‌ ଜେଇ ଅମୀର ଖାନଙ୍କ ସୋର ସ୍ଥିତ ଭଡ଼ାଘରେ ଚଢ଼ଉ କରି ସିଲ୍‌ କରିଛି।

ସିବିଆଇର ତିନି ଜଣିଆ ଟିମ୍‌ ଏହି ଚଢ଼ଉରେ ସାମିଲ୍‌ ହୋଇଥିଲେ। ୨ ଜଣ ପୁଲିସ କର୍ମଚାରୀ ମଧ୍ୟ ଥିଲେ। ସକାଳୁ ସକାଳୁ ଏହି ଟିମ୍‌ ଚଢ଼ଉ କରିଥିବା ବେଳେ ଘର ବନ୍ଦ ଥିବାରୁ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ସଂଧ୍ୟା ସୁଦ୍ଧା କେହି ଆସି ନଥିଲେ। ଫଳରେ ସେହି ଘରକୁ ସିବିଆଇ ଟିମ୍‌ ସିଲ୍‌ କରିଦେଇଛନ୍ତି। ଏହାପରେ ସିବିଆଇ ଟିମ୍‌ ଫେରିଯାଇଥିବା ବେଳେ ସୋର ଥାନାର ୨ ଜଣ କର୍ମଚାରୀ ଘରକୁ ଜଗି ରହିଛନ୍ତି। ଯାହା ଜଣାପଡ଼ିଛି; ଶ୍ରୀ ଖାନଙ୍କ ପତ୍ନୀ ପଶ୍ଚିମବଙ୍ଗସ୍ଥିତ ନିଜ ଘରକୁ ଯାଇଛନ୍ତି।

ଚଳିତମାସ ଜୁଲାଇ ୨ ତାରିଖରେ ଘଟିଥିବା ଏହି ମର୍ମନ୍ତୁଦ ଘଟଣାର ତଦନ୍ତ ଭାର ନେବାପରଠୁ ସିବିଆଇ ଏହା ପଛର କାରଣ ଖୋଜୁଛି। ଏଯାଏ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚରା କରିବା ସହ ବୟାନ୍‌ ରେକର୍ଡ କରିଛନ୍ତି ତଦନ୍ତକାରୀ ଟିମ୍‌। ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ; ତାହା ଜାଣିବା ପାଇଁ ବୈଷୟିକ ଅଧିକାରୀଙ୍କ ସହାୟତା ବି ଲୋଡ଼ାଯାଇଛି। ଷ୍ଟେସନ୍‌ର ପ୍ୟାନେଲ୍‌ ବୋର୍ଡ, ରିଲେ ରୁମ୍‌ ଓ ସିଗ୍‌ନାଲ୍‌ ରୁମ୍‌ ସିଲ୍‌ ହୋଇଥିବା ବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଛି।

ଅନ୍ୟପକ୍ଷରେ, ଏହି ଦୁର୍ଘଟଣାକୁ ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରିନି। ହାତଗଣତି ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଥିବା ବେଳେ ଅନେକ ଏକ୍ସପ୍ରେସ୍‌ ଟ୍ରେନ୍‌ ବାତିଲ ଅଛି। ସେହିପରି, କିଛି ଟ୍ରେନ୍‌ର ଗତିପଥକୁ ବଦଳାଯାଇଛି। ଅନ୍ୟପଟେ ଦୁଇଟି ପାସେଞ୍ଜରକୁ ଛାଡ଼ିଦେଲେ ବାକି ସବୁ ପାସେଞ୍ଜର ବନ୍ଦ ରହିଛି।

ସମ୍ବନ୍ଧିତ ଖବର