କୋଟିଆରେ ମୁଖ୍ୟ ଶାସନସଚିବ, ଆନ୍ଧ୍ର ସୀମାନ୍ତ ୫ ବୁଥ୍‌ର କଲେ ସମୀକ୍ଷା

ସୀମାନ୍ତ ବୁଥ୍‌ରେ ମତଦାନ ବୃଦ୍ଧି ନିର୍ଦ୍ଦେଶ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ବ

କୋରାପୁଟ/ପଟାଙ୍ଗି: ସାଧାରଣ ନିର୍ବାଚନକୁ ଦୃ‌ଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ଦିନିକିଆ କୋରାପୁଟ ଗସ୍ତ କରିଥିଲେ। ସେ ପଟାଙ୍ଗୀ ବ୍ଲକ୍‌ର ବିବାଦୀୟ ଗ୍ରାମପୁଞ୍ଜ କୋଟିଆ ପଞ୍ଚାୟତ ଗସ୍ତ କରି ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ଗୁରୁତ୍ବ ଦେଇଛନ୍ତି। ଶ୍ରୀ ଜେନାଙ୍କ ସମେତ ରାଜ୍ୟ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଜିଲ୍ଲା ପ୍ରଶାସନ ସହ ନିର୍ବାଚନ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। କୋଟିଆ ପଞ୍ଚାୟତର ୯ଟି ବୁଥ୍ ମଧ୍ୟରୁ ସୀମାନ୍ତରେ ଥିବା ୫ଟି ବୁଥ୍‌ର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଛି।

୨୦୨୪ ସାଧାରଣ ନିର୍ବାଚନରେ କୋଟିଆରେ ମତଦାନ କେନ୍ଦ୍ରକରି ଭୋଟ ହାତେଇବାକୁ ଆନ୍ଧ୍ର ଯୋଜନା କରିଛି। ଓଡ଼ିଶା ଅଧିକାରୀଙ୍କ ପୂର୍ବରୁ ଆନ୍ଧ୍ର ଅଧିକାରୀ କୋଟିଆ ଗସ୍ତ କରି ଏ ନେଇ ପ୍ରସ୍ତୁତି ସାରିଛନ୍ତି। ତେବେ ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ କୃଷି ବିଭାଗ ପ୍ରମୁଖ ସଚିବ ସୀମାନ୍ତ ଅଞ୍ଚଳରେ ରହିଥିବା ବୁଥ ଗୁଡ଼ିକରେ କିପରି ମତଦାନ ହାର ବଢ଼ିବ ସେ ନେଇ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ପ୍ରମୁଖ ଅଧିକାରୀଙ୍କ ଏହି ଗସ୍ତ ପଡ଼ୋଶୀ ଆନ୍ଧ୍ର ଉପରେ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି।

କୋଟିଆରୁ ଫେରିବା ପରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ଓ ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମ୍‌କୁ ବୁଲି ଦେଖିଥିଲେ। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ଏସ୍‌ପି ଅଭିନବ ସୋନକାର, ଉପଜିଲ୍ଲାପାଳ ବେଣୁଧର ଶବର, ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ ଓ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ପ୍ରମୁଖ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର