ଦିଲ୍ଲୀପ ପଣ୍ଡା ସ୍ମାରକୀ କ୍ରିକେଟ୍‌: ବଡ଼ବିଲ ଟାଇଗର୍ସ ବିଜେତା

ଆୟୂଷ ସେଠୀ ଫାଇନାଲ୍‌ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଚାଲିଥିବା ଦିଲ୍ଲୀପ ପଣ୍ଡା ସ୍ମାରକୀ ୧୫ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ ମ୍ୟାଚ୍‌ରେ ବଡ଼ବଲ ଟାଇଗର୍ସ ୪୧ ରନ୍‌ରେ ଗ୍ରିନ୍ସ କ୍ରିକେଟ୍‌ ଏକାଡେମିକୁ ପରାସ୍ତ କରି ବିଜେତା ହୋଇଛି। ଗ୍ରିନ୍ସ ଟସ୍ ଜିତି ‌କ୍ଷେତ୍ରରକ୍ଷଣ କରିଥିଲା। ବଡ଼ବିଲ ଦଳ ନିର୍ଦ୍ଧାରିତ ୨୫ ଓଭରରେ ୬ ୱିକେଟ୍ ହରାଇ ୨୦୪ ରନ୍ କରିଥିଲା। ଆୟୂଷ ସେଠୀ ୯୯ ରନ୍ (୮୧ ବଲ୍‌, ୯ ଚୌକା, ୬ ଛକା) ଏବଂ ଆଶୁତୋଷ ନାୟକ ୫୦ ରନ୍ (୪୪ ବଲ୍‌, ୧୦ ଚୌକା)ର ଦୁଇଟି ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରତିପକ୍ଷର ଦୀପ୍ତାଂଶୁ ଦାସ, ସ୍ବସ୍ତିକ ନାଥ, ଦେବୀପ୍ରସାଦ ରାଉଳ, ଓମ୍ ପ୍ରକାଶ ସାହୁ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଜବାବରେ ଗ୍ରିନ୍ସ ଦଳ ନିର୍ଦ୍ଧାରିତ ୨୫ ଓଭରରେ ୧୬୩/୮ରେ ସୀମିତ ରହିଥିଲା। ରାହୁଲଦେବ ନାୟକ ୪ ୱିକେଟ୍‌, ଆୟୂଷ ସେଠୀ ୨ ୱିକେଟ୍ ଏବଂ ଜାଗେଶ୍ବର ମହାନ୍ତ ଗୋଟିଏ ୱିକେଟ୍‌ ନେଇ ବଡ଼ବିଲ ବିଜୟ‌ରେ ପ୍ରମୁଖ ଭୂମିକା ନେଇଥିଲେ। ଆୟୂଷ ସେଠୀଙ୍କୁ ଫାଇନାଲ୍ ମ୍ୟାଚ୍‌ର ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିବା ବେଳେ ସରୱାନ ସାହୁଙ୍କୁ ଶ୍ରେଷ୍ଠ ବୋଲର, ଶୁଭଙ୍କର ମଲ୍ଲିକଙ୍କୁ ଶ୍ରେ‌ଷ୍ଠ ବ୍ୟାଟର୍‌, ଶୁଭମ ସାହୁ ଶ୍ରେଷ୍ଠ ୱିକେଟରକ୍ଷକ, ତୃପ୍ତିସୁନ୍ଦର ସ୍ବାଇଁ ଶ୍ରେଷ୍ଠ ‌ଫିଲ୍ଡର ପୁରସ୍କାର ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସହ ନିହାର ରଂଜନ ପଣ୍ଡା, ପ୍ରଭାତ କୁମାର ବରାଳ, ସ୍ବାକ୍ଷର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଫାଇନାଲ୍ ମ୍ୟାଚ୍‌କୁ ଶାଶ୍ବତୀ ଶପତଥୀ ଓ ଚଣ୍ଡୀ ପ୍ରସନ୍ନ ମହାପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର