ମହିଳାଙ୍କୁ ପ୍ରତାପ ଜେନାଙ୍କ ଅଶ୍ରାବ୍ୟ ଭାଷା ଘଟଣା: ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ କଂଗ୍ରେସର ଦାବି

ଭୁବନେଶ୍ବର : ମନ୍ତ୍ରୀ ପ୍ରତାପ ଜେନା ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ଦେବାର ଏକ ଭିଡିଓ ଭାଇରାଲ ହେବା ଘଟଣାକୁ କଂଗ୍ରେସ ଗୁରୁତ୍ବର ସହ ନେଇଛି। ମନ୍ତ୍ରୀ ଶ୍ରୀ ଜେନାଙ୍କୁ ବହିଷ୍କାର କରିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ଏଭଳି ଏକ ସ୍ପର୍ଶକାତର ଘଟଣାରେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ କାହିଁକି ନିରବ ଅଛନ୍ତି। ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ କଥା ପ୍ରଚାର କରୁଥିବା ବେଳେ ରାଜ୍ୟର ଜଣେ ମନ୍ତ୍ରୀ ମହିଳାମାନଙ୍କ ସମ୍ମୁଖରେ, ମହିଳାମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅଶାଳୀନ ଶବ୍ଦ ପ୍ରୟୋଗ କ୍ଷମଣୀୟ କି? ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର୍‌ ମାମଲାରେ ନିଜ ନାମକୁ ଚାର୍ଜସିଟ୍‌ରୁ ବାଦ ଦେବା ପରେ କୋର୍ଟ ତାଙ୍କୁ ଭର୍ତ୍ସନା କରିଥିଲେ। ସେଥିରୁ ସେ ମଧ୍ୟ କିଛି ଶିଖି ନଥିଲେ। ମହିଳାମାନଙ୍କୁ ଏଭଳି ଏକ ଆଚରଣ କରି ସେ ମାହାଙ୍ଗା ମାଟି ଓ ତା’ର ଜନସାଧାରଣଙ୍କୁ ଅପମାନିତ କରିଛନ୍ତି। ଏହାସହ ସେ ନିଜକୁ ରେଭେନ୍ସାର ଛାତ୍ର ଓ ଆଲୁମିନିର ସଦସ୍ୟ କହି ବୁଲନ୍ତି। ଏହି ଆଚରଣ ରେଭେନ୍ସା ଗାରିମାକୁ ମଧ୍ୟ କ୍ଷୁଣ୍ଣ କରୁଛି। ସର୍ବୋପରି ଆମ ରାଜ୍ୟ ଓଡ଼ିଶାର ସମ୍ମାନ ଉପରେ ଏହା ଏକ ଆକ୍ରମଣ ବୋଲି ସେ କହିଥିଲେ।

ମମିତା ମେହେର ହତ୍ୟା ଘଟଣାରେ ଜଣେ ମନ୍ତ୍ରୀଙ୍କର ସିଧା ହାତ ଥିବା ବେଳେ ମାହାଙ୍ଗା ଡବଲ ମର୍ଡର୍‌ ଘଟଣାରେ ପ୍ରତାପଙ୍କର ହାତ ରହିଛି। ବାଙ୍କୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ତ୍ରିପାଠୀ ନୂଆବର୍ଷରେ ନାରୀମାନଙ୍କୁ କିଭଳି ବ୍ୟବହାର କରିଛନ୍ତି, ତାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଛି। କିନ୍ତୁ ଏସବୁ ସତ୍ତ୍ବେ ମୁଖ୍ୟମନ୍ତ୍ରୀ କିଭଳି ନିରବ ଅଛନ୍ତି? ମନ୍ତ୍ରୀମାନେ ନିଜ ଆଡ଼ୁ ଇସ୍ତଫା ଦିଅନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ। ରାଜ୍ୟପାଳ ମଧ୍ୟ ଏ ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ ଏବଂ ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର