କେସିଙ୍ଗା: ଛତିଶଗଡ଼ରେ ରମଣ ସିଂହ ସରକାରଙ୍କ ପରିବର୍ତ୍ତନ ପରେ ମହାନଦୀ ବିବାଦର ସମାଧାନ ନେଇ ଆଶା ସଞ୍ଚାର ହୋଇଥିଲା। ଏ ଦିଗରେ ରାଜ୍ୟ କଂଗ୍ରେସ କିଭଳି ଭୂମିକା ଗ୍ରହଣ କରୁଛି, ତାକୁ ନେଇ ମଧ୍ୟ ସମସ୍ତଙ୍କ ନଜର ରହିଆସିଛି। ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଛତିଶଗଡ଼ର ଜଣେ ମନ୍ତ୍ରୀ। ସେ କହିଛନ୍ତି ଯେ, କଂଗ୍ରେସ ଓଡ଼ିଶାରେ କ୍ଷମତାକୁ ଆସିଲେ ମହାନଦୀ ବିବାଦର ସମାଧାନ ହେବ। ମଂଗଳବାର ଛତିଶଗଡର ଅବକାରୀ ଓ ଶିଳ୍ପମନ୍ତ୍ରୀ କାୱାଶି ଲକ୍ଷ୍ମଣ ହେଲିକେପ୍ଟର ଯୋଗେ ଆସି କଳାହାଣ୍ତି ଜିଲ୍ଲାର ଲାଞ୍ଜିଗଡ ରୋଡ ଠାରୁ ଆରମ୍ଭ କରି ଗୋପାଲପୁର ଓ ନୁଆପଡା ଜିଲ୍ଲାର ଭେଡେନ ଠାରେ ତିନୋଟି ସଭା କରିଥିଲେ। ଏହି ସଭାମାନଙ୍କରେ ଲକ୍ଷ୍ମଣ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କୁ ଟାଗେର୍ଟ କରିଛନ୍ତି। ସେ କହିଥିଲେ ଯେ, କଂଗ୍ରେସ ଆଦିବାସୀ ମାନଙ୍କୁ ଜଙ୍ଗଲ ଅଧିକାର ଆଇନ ଦେଇଥିଲାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦଳିତ ଓ ଆଦିବାସୀ ମାନଙ୍କ ଠାରୁ ଏହି ଅଧିକାର ଛଡ଼ାଇ ନେବାକୁ ଷଡ଼୍‌ଯନ୍ତ୍ର କରୁଛନ୍ତି। କଂଗ୍ରେସ ସବୁବେ‌ଳେ ଆଦିବାସୀଙ୍କ ସହିତ ରହି ଆସିଛି। ଆଦିବାସୀଙ୍କର ଲଢେଇ କଂଗ୍ରେସ ଲଢିଛି ଏଣୁ ଛତିଶଗଡ ଭଳି ରାଜ୍ୟରେ ନବୀନ ସରକାର ହଟାଇ କଂଗ୍ରେସ ସରକାର ଗଠନ କରିବାକୁ ସେ ଲୋକଙ୍କୁ ଆହ୍ବାନ ଦେଇଥିଲେ। ସେହିଭଳି ଛତିଶଗଡରେ ବିଜେପି ସରକାର ଓ ଓଡ଼ିଶାରେ ବିଜେଡି ସରକାର ଥିବାରୁ ମହାନଦୀ ଜଳ ବିବାଦ ସମାଧାନ ହୋଇପାରିନଥିଲା। ବର୍ତମାନ ଛତିଶଗଡରେ କଂଗ୍ରେସ ସରକାର ଅଛି ଓଡିଶାରେ ବି କଂଗ୍ରେସ ସରକାର ଆସିଲେ ମହାନଦୀ ଜଳ ବିବାଦର ସମାଧାନ ହୋଇଯିବ। ଏଥିରେ କୌଣସି ରାଜ୍ୟର ଚାଷୀ କିମ୍ବା ଲୋକ ପ୍ରଭାବିତ ହେବେ ନାହି ବୋଲି ଲକ୍ଷ୍ମଣ କହିଥିଲେ।