ନୟାଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ପ୍ରତି ମୁହୂର୍ତ୍ତରେ କେଉଁଠି ନା କେଉଁଠି ଗୁଳିଗୋଳା ଅବା ବୋମା ବର୍ଷୁଛି। ବିନା ଦ୍ୱିଧା ଓ ନିର୍ଭୟରେ ଆତତାୟୀମାନେ ଏଠାରେ ଗୁଳି ଫୁଟାଇ ଆତଙ୍କ ରଚିବାକୁ ବି ପଛାଉ ନାହାନ୍ତି। ଫଳରେ ଦିନକୁ ଦିନ ହତ୍ୟା, ରାହାଜାନି, ଲୁଟ୍‌ତରାଜ ଭଳି ଘଟଣା ଜିଲ୍ଲାରେ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଜିଲ୍ଲାରେ ଅପରାଧୀଙ୍କ ସାମ୍ରାଜ୍ୟ ଦିନକୁ ଦିନ ବ୍ୟାପ୍ତ ହେବାରେ ଲାଗିଛି। ବିଗତ କିଛି ମାସର ଘଟଣାବଳୀ ଉପରେ ନଜର ପକାଇଲେ ଜିଲ୍ଲାରେ ହୁଗୁଳା ଆଇନଶୃଙ୍ଖଳାର ଫୁଙ୍ଗୁଳା ଚିତ୍ରକୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି। ହୁଗୁଳା ପୁଲିସ୍‌ ବ୍ୟବସ୍ଥା ଏହାର ମୁଖ୍ୟ କାରଣ ସାଜିଥିବାବେଳେ ଏଭଳି ପରିସ୍ଥିତିରେ ଜନସାଧାରଣ ନିଜକୁ ଅସୁରକ୍ଷିତ ମଣିଲେଣି। ସତେ ଯେପରି ପୁଲିସ୍‌କୁ ଅପରାଧୀଙ୍କ ଡର ନାହିଁ। ସଂପ୍ରତି ଏଥିରେ ପରିବର୍ତ୍ତନ ନଆଣିଲେ, ଏହା ଜିଲ୍ଲା ପାଇଁ ଯେ ବଡ଼ ବିପଦ ଡାକି ଆଣିବ, ଏଥିରେ ସନ୍ଦେହ ନାହିଁ।

ଗତ ୨୬ ତାରିଖ ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ। ରଣପୁର ବ୍ଲକ୍‌ ରାଜସୁନାଖଳା ମେଡିକାଲ୍‌ ଛକରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଦିବାଲୋକରେ ଟୁଲୁ ବାରିକ ନାମକ ଯୁବକଙ୍କୁ ଗୁଳି ଓ ବୋମାମାଡ଼ କରି ଅତି ବିଭତ୍ସ ଭାବେ ହତ୍ୟା କରାଗଲା। ବଜାର ଉପରେ ଗୋଡ଼ାଇ ଗୋଡ଼ାଇ ପ୍ରଥମେ ଗୁଳି ଓ ପରେ ବୋମାମାଡ଼ କରି ସର୍ବସମ୍ମୁଖରେ ହତ୍ୟା କରାଗଲା। ପୁଣି ରାଜସୁନାଖଳା ଫାଣ୍ଡିଠାରୁ ମାତ୍ର କେଇ ମିଟର ଦୂରରେ। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ନିର୍ଭୟରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଲେ। ଏ ଭିତରେ ଦୁଇ ଦିନ ବିତିଯାଇଥିଲେ ବି ପୁଲିସକୁ କୌଣସି ସଫଳତା ମିଳିନାହିଁ। ଅତୀତର ଦଶପଲ୍ଲା ଘଟଣାକୁ ବି ଉଦାହରଣ ଭାବେ ନିଆଯାଇପାରେ। ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ, ବୋମାମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟିନେଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ, କିଛି ଦିନର ବ୍ୟବଧାନରେ ଏଠାରେ ବାରମ୍ବାର ଏଭଳି ଗୁଳିଗୋଳ, ବୋମା ବର୍ଷିଛି। ନିକଟରେ ଶାଳଭଙ୍ଗା ଜଙ୍ଗଲ ରାସ୍ତା ଦେଇ ଫେରିବା ସମୟରେ ଜନୈକ ବ୍ୟକ୍ତିଙ୍କୁ ଲୁଟେରାମାନେ ଦିନ ଦିପହରରେ ବନ୍ଧୁକ ଦେଖାଇ ବାଇକ୍‌ ଓ ଟଙ୍କା ପଇସା ଛଡ଼ାଇ ନେଲେ। ଶାଳଭଙ୍ଗା ଜଙ୍ଗଲରେ ବାରମ୍ବାର ବି ଅତୀତରେ ଏଭଳି ଘଟଣା ଘଟିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ପୁଲିସ୍‌ ଏଥିରେ ପ୍ରତିବନ୍ଧକ ଲଗାଇ ପାରିନି।

ଅପରାଧୀମାନେ ଏଠାରେ ନିର୍ଭୟରେ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇ ଚାଲିଛନ୍ତି। ସେହିପରି ଦଶପଲ୍ଲା ଥାନା ଅଂଚଳରୁ ଜନୈକ ଭିଏଲ୍‌ଡବ୍ଲ୍ୟୁଙ୍କଠାରୁ ବନ୍ଧୁକ ମୁନରେ ଅପରାଧୀମାନେ ଭତ୍ତା ଟଙ୍କା ଲୁଟିନେଲେ। ତା’ର ବି ଖୋଜଖବର ପାଉନି ପୁଲିସ। ସେହିପରି ଶରଣକୁଳ ଥାନା ଅଂଚଳରେ ବି ନିକଟରେ ଗୁଳି ବର୍ଷିଥିଲା। ସ୍ଥାନୀୟ ଅଂଚଳର କିଛି ଯୁବକ ଦଶପଲ୍ଲା ଅଂଚଳର ଜନୈକ ଟ୍ରକ୍‌ ଡ୍ରାଇଭରଙ୍କୁ ଲୁଟ୍‌ପାଟ୍‌ ଉଦ୍ଦେଶ୍ୟରେ ଗୁଳିମାଡ଼ କରି ଲହୁଲୁହାଣ କରିଥିଲେ। ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେବା ପରେ ଫେରିଥିଲେ। ସେହିପରି ଖଣ୍ଡପଡ଼ା, ଭାପୁର, ରଣପୁର ଅଞ୍ଚଳରେ ନିକଟ ଅତୀତରେ ବି ଅନେକ ଚର୍ଚ୍ଚିତ ଅପରାଧିକ ଘଟଣା ଘଟିଯାଇଛି। ନିକଟରେ କଂଟିଲୋ ଅଂଚଳରେ କିଛି ଲୁଟେରା ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣା ବି ଜନମାନସରେ ଏବେ ବି ତାଜା ରହିଛି।

ସେପଟେ ରାଜସୁନାଖଳ ହତ୍ୟାକାଣ୍ଡକୁ ଦୁଇଦିନ ବିତିଛି କି ନାହିଁ, ଓଡ଼ଗାଁରେ ଘଟି ଯାଇଛି ଆଉ ଏକ ଜଘଣ୍ୟ ହତ୍ୟାକାଣ୍ଡ। ପାରିବାରିକ କନ୍ଦଳକୁ କେନ୍ଦ୍ର କରି ମଝିଆ ଭାଇ ଗୁଣ୍ଡା ଲଗାଇ ବଡ଼ ଭାଇର ସ୍ତ୍ରୀକୁ ପିଟିପିଟି ଅତି ବିଭତ୍ସ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ସାନ ଭାଇ, ସାନ ଭାଇ ସ୍ତ୍ରୀ ଓ ପୁଅକୁ ବି ମରଣାନ୍ତକ ଆକ୍ରମଣ କରିଛି। ୩ ଜଣ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କେବଳ ଏତିକି ନୁହେଁ, ନିକଟ ଅତୀତରେ ଅପରାଧୀମାନେ ଅନେକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଜିଲ୍ଲାରେ ପୁଲିସ୍‌ର ହୁଗୁଳା ଚିତ୍ରକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପନା କରିଛନ୍ତି। ଆଇନଶୃଙ୍ଖଳା ଉପରୁ ଧୀରେ ଧୀରେ ପୁଲିସ୍‌ର ଲଗାମ୍‌ ଖସୁଥିବା ଏଥିରୁ ସ୍ପଷ୍ଟ ହେଉଛି। ଜିଲ୍ଲାରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମୁଣ୍ଡାଇଥିବା ପୁଲିସ୍‌ ମୁଖିଆଙ୍କ ହୁଗୁଳାପଣ ଓ ଥାନା ଅଧିକାରୀମାନଙ୍କ କର୍ମକୋଢ଼ୁଆ ନୀତି ଯୋଗୁଁ ଦିନକୁ ଦିନ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଜଘନ୍ୟ ଘଟଣା ଘଟିଚାଲିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏଥିରେ ପରିବର୍ତ୍ତନ ନହେଲେ ଭବିଷ୍ୟତରେ ନୟାଗଡ଼ ଜିଲ୍ଲା ଯେ ଅପରାଧୀଙ୍କ ସାମ୍ରାଜ୍ୟ ପାଲଟିଯିବ, ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର