ଦିବ୍ୟାଙ୍ଗ ଦେଖାଉଛନ୍ତି ସ୍ବାବଲମ୍ବୀ ହେବାର ରାସ୍ତା: ନଡ଼ିଆ କତା ଓ ଷଢ଼େଇରୁ ସୁନ୍ଦର କଣ୍ଢେଇ

ବ୍ରହ୍ମପୁର: ଦିବ୍ୟାଙ୍ଗ ହେଲେ ବି ନିଜକୁ କେବେ ନ୍ୟୂନ ମନେ କରି ନାହାନ୍ତି। ସେମାନଙ୍କ ଦୃଢ଼ ମନୋବଳ ଆଗରେ ହାର୍‌ ମାନିଛି ଶାରୀରିକ ଅକ୍ଷମତା। ମୂକ ଓ ବଧରି ସହିତ ଆଖିକୁ ଭଲ ଭାବେ ଦେଖାଯାଉ ନଥିଲେ ସୁଦ୍ଧା ସୁନ୍ଦର ସୁନ୍ଦର କଣ୍ଢେଇ ଗଢ଼ି ସ୍ବାବଲମ୍ବୀ ହୋଇ ପାରିଛନ୍ତି କିଛି ଦିବ୍ୟାଙ୍ଗ ମହିଳା। ସେମାନେ ଏବେ ଅନ୍ୟମାନଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଦମ୍ଭର ସହିତ ଛିଡ଼ା ହେବାରେ ନିଜକୁ ସକ୍ଷମ କରି ପାରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ସୁନ୍ଦରପୁର ପଞ୍ଚାୟତର ବଳରାମପୁର ଗ୍ରାମରେ ରହିଥିବା ଶ୍ରୀ ଜଗନ୍ନାଥ ଦିବ୍ୟାଙ୍ଗ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହି ଗୋଷ୍ଠୀରେ ମୋଟ ୧୦ ଜଣ ସଦସ୍ୟ ରହିଥିବା ବେଳେ ସେଥିମଧ୍ୟରୁ ୭ଜଣ ହେଉଛନ୍ତି ଦିବ୍ୟାଙ୍ଗ। ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ବେ ନିଜର କଠିନ ଅଧ୍ୟବସାୟ ବଳରେ ସେମାନେ ନଡ଼ିଆ କତା ଓ ସଢ଼େଇରେ ଅତି ସୁନ୍ଦର ସୁନ୍ଦର କଣ୍ଢେଇ ଓ ଘର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ସେହି ସାମଗ୍ରୀ ବିଭିନ୍ନ ଅଞ୍ଚଳର ପଲ୍ଲିଶ୍ରୀ ମେଳାରେ ବିକ୍ରି କରି ଦୁଇ ପଇସା ରୋଜଗାର କରି ପାରୁଛନ୍ତି। ଏହି ଦିବ୍ୟାଙ୍ଗ ମହିଳାମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ କିଛି ସ୍ବତନ୍ତ୍ର ଋଣ ବ୍ୟବସ୍ଥା କରାଗଲେ ସେମାନେ ଉପକୃତ ହେବେ ବୋଲି ପରିଚାଳକ ସୁଦଷ୍ଣା ସାହୁ କହିଛନ୍ତି।

ବଳରାମପୁରରେ ଥିବା କିଛି ଦିବ୍ୟାଙ୍ଗ ମହିଳା ଓ ଯୁବତୀ ସ୍ବାବଲମ୍ବୀ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ପରେ ସେମାନେ ସୁଦଷ୍ଣାଙ୍କ ସହଯୋଗରେ ଏକ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରିଥିଲେ। ଘରେ ବସି କେମିତି ସହଜରେ କାମ କରି ହେବ ସେ ନେଇ ସେମାନେ ଚିନ୍ତା କରିଥିଲେ। ଏଥିପାଇଁ ସେମାନେ କଣ୍ଢେଇ ଓ ଘର ସାଜସଜ୍ଜା ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। ଗତ ୩/୪ବର୍ଷ ହେଲା ଏହି ଗୋଷ୍ଠୀ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ଏମାନେ ସାକ୍ଷୀ ଗୋପାଳରୁ ନଡ଼ିଆ କତା ଓ ସଢ଼େଇ ଆଣି ସେଥିରେ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରୁଛନ୍ତି। ଏହି ସମାଗ୍ରୀ ମଧ୍ୟରେ ଘର ଚଟିଆ ବସା, ଗଣେଶ, ରାଜା, ରାଣୀ, ହରିଣ, ଘୋଡ଼ା, ଶଗଡ଼, ମୟୂର ସହିତ ତିନି ଠାକୁରଙ୍କ ପ୍ରତିକୃତି ରହିଛି। ନଡ଼ିଆ କତା ବ୍ୟବହାର କରି ସେଥିରେ ବିଭିନ୍ନ ପ୍ରକାର ରଂଗର ସୁତା ଓ କପଡ଼ା ଲଗାଇ ଏଭଳି କଳାକୃତି ସୃଷ୍ଟି କରୁଛନ୍ତି। ମହିଳାମାନେ ଦିବ୍ୟାଙ୍ଗ ହୋଇଥିବାରୁ ଅନ୍ୟ ସ୍ଥାନକୁ ଯାଇ ସାମଗ୍ରୀ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସାମଗ୍ରୀର ମାର୍କେଟିଂ ପାଇଁ କିଛି ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା ବୋଲି ସେମାନେ କହିଛନ୍ତି। ସେହିପରି ଆଗକୁ ପାଦପୋଛା, ଦରି ପ୍ରଭୃତି ତିଆରି କରିବାକୁ ଯୋଜନା ରହିଥିବା ବେଳେ ଏଥିପାଇଁ ପ୍ରଶାସନ ତରଫରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର