ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲା: ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଆଗୁଆ ଜାମିନ

କଟକ : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ନେଇ ବୁର୍ଲା ଥାନାରେ ରୁଜୁ ମାମଲାରେ କୁଳପତି ପ୍ର‌‌‌ଫେସର ଡକ୍ଟର ସଂଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କରଙ୍କୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶ୍ରୀ ଶତପଥୀ ଓ ପିଇଓ ଶ୍ରୀ କରଙ୍କ ଆଗୁଆ ଜାମିନ ଆବେଦନର ଏକତ୍ର ଶୁଣାଣି କରି ଜୁନ୍ ୧୭ରେ ରାୟ ସଂରକ୍ଷିତ ରଖିଥିଲେ।

ଆଜି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଏହା ଏପରି ଏକ ମାମଲା ନୁହେଁ ଯେଉଁଥିରେ ଅଭିଯୁକ୍ତ ନିଜ ଆଚରଣ ବା କାର୍ଯ୍ୟ ଦ୍ବାରା ମୃତ ବ୍ୟକ୍ତିଙ୍କ ପାଇଁ ଆତ୍ମହତ୍ୟା ବ୍ୟତୀତ ଆଉ କିଛି ବିକଳ୍ପ ଛାଡ଼ି ନଥିଲେ। ବିନା କୌଣସି ଉଦ୍ଦେଶ୍ୟରେ କ୍ଷଣିକ ରାଗ ବା ଆବେଗରେ କୁହାଯାଇଥିବା ଶବ୍ଦକୁ ପ୍ରରୋଚନା କୁହାଯାଇ ପାରିବ ନାହିଁ। ଆଇପିସିର ଦଫା ୩୦୬ରେ ଅପରାଧ ହୋଇଛି କି ନାହିଁ ତାହା ନିମ୍ନ ଅଦାଲତ ଉପଯୁକ୍ତ ସମୟରେ ବିଚାରକୁ ନେବେ। ଏ ପର୍ଯ୍ୟନ୍ତ ତଦନ୍ତରୁ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଯଦି ଆବେଦନକାରୀଙ୍କୁ ଜାମିନରେ ଛଡ଼ା ଯାଏ ତେବେ ତଦନ୍ତ ପ୍ରଭାବିତ ହେବାର ସମ୍ଭାବନା ନାହିଁ। ଆବେଦନକାରୀ ପ୍ରଫେସର ମିତ୍ତଲ ଜଣେ ଜଣାଶୁଣା ଶିକ୍ଷାବିତ ଏବଂ ଏକ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର କୁଳପତି। ତାଙ୍କୁ ହେପାଜତରେ ଜେରା କରିବା ଭଳି ମାମଲା ଏହା ନ‌ୁହେଁ ବୋଲି ହାଇକୋର୍ଟ କହିବା ସହିତ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।

ଯଦି ଆବେଦନକାରୀଙ୍କୁ ଗିରଫ କରାଯାଏ ତେବେ ୨୫ ହଜାର ଟଙ୍କାର ଦୁଇଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡ଼ିବେ। ସେ ତଦନ୍ତରେ ସହଯୋଗ କରିବେ ଓ ସାକ୍ଷୀଙ୍କୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। କୁଳପତିଙ୍କ ଆଗୁଆ ଜାମିନ ମାମଲାର ରାୟ ଆଧାରରେ ୱାର୍ଡେନ ପ୍ରଫେସର ଶତପଥୀ ଓ ପିଇଓ ଶ୍ରୀ କରଙ୍କୁ ମଧ୍ୟ ସମାନ ସର୍ତ୍ତରେ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ମାର୍ଚ୍ଚ ୨୦ ତାରିଖ ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିଥିଲେ। ଆତ୍ମଦାହ କରିବା ପୂର୍ବରୁ କୁଳସଚିବଙ୍କୁ ଏକ ଚିଠି ଲେଖି କୁଳପତି ତାଙ୍କୁ ଅପମାନିତ କରିଥିବା ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦେଇଥିଲେ। କୁଳପତି ପ୍ର‌‌‌ଫେସର ମିତ୍ତଲଙ୍କ ସହିତ ୱାର୍ଡେନ୍‌ ପ୍ରଫେସର ବିଶ୍ବଜିତ ଶତପଥୀ, ପିଇଓ ଅଭିଷେକ କରଙ୍କୁ ବି ଦାୟୀ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କୌଶିକ ଆନନ୍ଦ ଗୁରୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର