କ୍ରାଇମବ୍ରାଞ୍ଚ ପ୍ରେସ୍‌ ବିଜ୍ଞପ୍ତିରୁ ଡିଏସ୍‌ପି ରମେଶ ଦୋରାଙ୍କ ନାମ ଗାଏବ୍ 

କଟକ : ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ତଦନ୍ତ ଦାୟିତ୍ବ ଡିଏସପି ରମେଶ ଦୋରାଙ୍କୁ ଦିଆଯିବା ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକି ଥିବା ବେଳେ ବୁଧବାର ଦିନ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ ତାଙ୍କ ନାମ ହଠାତ ଗାଏବ୍ ହୋଇଯାଇଛି। ରମେଶ ଅଥବା ଅନ୍ୟ ଡିଏସପିଙ୍କ ନାମ ବି ଆଜିର ପ୍ରେସ ବିଜ୍ଞପ୍ତିରେ ସ୍ଥାନ ପାଇ ନାହିଁ। ଗତକାଲି ଯାଏ ଜାରି ହେଉଥିବା ପ୍ରେସ୍ ବିଜ୍ଞପ୍ତିରେ ଟିମ୍‌ର ନେତୃତ୍ବ ନେଉଥିବା ରମେଶ ଦୋରା ଓ ଅନ୍ୟ ଡିଏସପିଙ୍କ ନାମ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉଥିଲା। କିନ୍ତୁ ବୁଧବାର ଦିନ ସେମାନଙ୍କ ନାମ ଉଲ୍ଲେଖ ନ ରହିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଅନ୍ୟପଟେ ସାଇଣ୍ଟିଫିକ ଅଫିସର ଏବଂ ବାଲାଷ୍ଟିକ ବିଶେଷଜ୍ଞଙ୍କ ନେତୃତ୍ୱରେ ଏକ ଟିମ୍ ପୁଣି ଥରେ ଘଟଣାସ୍ଥଳ ପରିଦର୍ଶନ କରିଛି। ସେଠାରେ ଫାରୋ ୩ ଡି ମାଧ୍ୟମରେ ପ୍ରମାଣ ସଂଗ୍ରହ କରାଯାଉଛି। ଜଣେ ଡିଏସପିଙ୍କ ନେତୃତ୍ବରେ ନବଙ୍କ ସମର୍ଥକ ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରାଯାଇଥିଲା। କ୍ରାଇମବ୍ରାଞ୍ଚର ଆଉ ଜଣେ ଡିଏସପିଙ୍କ ନେତୃତ୍ୱରେ ଗୋପାଳଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଯାଂଚ କରୁଛି। ଏହି ଟିମ୍‌ ବ୍ରହ୍ମପୁରରେ ତାଙ୍କ ପଡ଼ୋଶୀ ଓ ଗ୍ରାମବାସୀଙ୍କୁ ବି ପଚରାଉଚରା କରୁଛି। ଦିଲ୍ଲୀର ସିଏଫଏସଏଲ(କେନ୍ଦ୍ରୀୟ ଫରେନ୍ସିକ ସାଇନ୍ସ ଲାବୋରେଟୋରି)  ସହାୟତାରେ ତାଙ୍କ ମାନସିକ ସ୍ଥିତିର ପରୀକ୍ଷା କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଗୁଳିମାଡ଼ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର