ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଉଦ୍‌ଘାଟିତ: ମନମୋହିଲା ପୁରୁଣା ଗୀତର ରିମିକ୍ସ

ଖଣ୍ଡଗିରି: ‘ମେରେ ରସ୍‌କେ କମର୍‌, ତୁନେ ପେହଲି ନଜର’, ‘ଏ ଫୁଲ କହ ଥରେ’ ଭଳି ପୁରୁଣା ଗୀତର ରିମିକ୍ସ ଆଜି ଶୀତୁଆ ସନ୍ଧ୍ୟାରେ ଦର୍ଶକମାନଙ୍କ ଭିତରେ ଉଷ୍ମତା ଭରି ଦେଇଥିଲା। ଅସୀମା ପଣ୍ଡା, ବିକାଶ, ଜେମ୍‌ସ ଓ ଅର୍ଚ୍ଚନାଙ୍କ ଭଳି କଣ୍ଠଶିଳ୍ପୀମାନେ ରିମିକ୍ସ ଗୀତ ଗାଇ ଲୋକଙ୍କୁ ମତୁଆଲା କରିଥିଲେ। ଏଥିସହିତ ରାଉରକେଲା ଆର୍‌ଡିଏକ୍‌ସ ଡ୍ୟାନ୍‌ସ ଗ୍ରୁପ୍‌ର ଗଣେଷ ବନ୍ଦନା ଦର୍ଶକଙ୍କୁ ଭକ୍ତିରସରେ ଭିଜାଇଥିଲା। ମାହୋଲ ଥିଲା ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଉଦ୍‌ଘାଟନ ପର୍ବ। ଖଣ୍ଡଗିରିସ୍ଥିତ ଓଟିଡିସି ପାନ୍ଥିକା ପରିସରରେ ଭୁବ‌ନେଶ୍ବର ସାଂସ୍କୃତିକ ପରିଷଦ ଓ ଅନୁଷ୍ଠାନ କଲ୍ୟାଣ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ଆଜି ପୁରୁଣା ଚିରସବୁଜ ବହୁ ଗୀତର ରିମିକ୍ସ ଆଜି ଦର୍ଶକମାନଙ୍କ ମନ ମୋହିଥିଲା। ସେହିଭଳି ଓଡ଼ିଶୀ ନୃତ୍ୟଛନ୍ଦରେ ଜଗନ୍ନାଥଙ୍କ ‘ଯାତ୍ରା ବାରମାସୀ’ ଅଭିନୟ ସେଠାରେ ଭକ୍ତିଭରା ପରିବେଶ ସୃଷ୍ଟି କରି ଦର୍ଶକଙ୍କୁ ବିମୋହିତ କରିଥିଲା।

ଖଣ୍ଡଗିରି ପାନ୍ଥିକାରେ ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଥିବା ଏହି ୩ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମହୋତ୍ସବର ଆୟୋଜକ ଭୁବ‌ନେଶ୍ବର ସାଂସ୍କୃତିକ ପରିଷଦର ସଭାପତି ତଥା ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଆଜି ସନ୍ଧ୍ୟାର ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କୋକିଳା ଡ୍ୟାନ୍ସ ଆଣ୍ଡ୍‌ ମ୍ୟୁଜିକ୍‌ ଏକାଡେମିର ମୋନାଲିସା ସାମନ୍ତରାୟଙ୍କୁ ସମ୍ବର୍ଧିତ କରାଯାଇଥିଲା।

ଗ୍ଲୋରିଆ ମହାନ୍ତି ସଂଯୋଜନା କରିଥିଲେ। ଆୟୋଜକ ସଂସ୍ଥାର କର୍ମକର୍ତ୍ତାଙ୍କ ସହିତ କର୍ପୋରେଟର୍‌ କିରଣବାଳା ମାଝୀ, ଦୀପକ ମିଶ୍ର, ସଂଯୁକ୍ତା ସୁନ୍ଦରରାୟ, ସକିବା ମୁଶାରଫ୍‌, ଚାରୁଲତା ସାମନ୍ତରାୟ, ଛବି ଦାସ, ପୂର୍ବତନ କର୍ପୋରେଟର ସୁଜିତ୍ ସ୍ବାଇଁ, ରୁନୁ ଜେନା, ଦିଲ୍ଲୀପ ମାଝୀ, ଅଶ୍ବିନୀ ସୁନ୍ଦରରାୟ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଭୁବନେଶ୍ବର ସାଂସ୍କୃତିକ ପରିଷଦର ସମ୍ପାଦକ ଦୀପକ ମାହାପାତ୍ର, ଉପସଭାପତି ସମରେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ମନୋଜ ବେହେରା, କଲ୍ୟାଣ ଅନୁଷ୍ଠାନର ସମ୍ପାଦକ ସୁରେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଆଇଗିଣିଆ, ଜାଗମରା, ଘାଟିକିଆ, କୋଳଥିଆ, ବରମୁଣ୍ଡା, ଡୁମୁଡୁମା ଅଞ୍ଚଳର ବିଭିନ୍ନ ଯୁବ ସଂଗଠନ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର