ନକଲି ଔଷଧ ମାମଲା: ଦୁଇଦିନିଆ ରିମାଣ୍ଡରେ ଦୁଇ ଔଷଧ ମାଫିଆ

ଦୁଇଟି ଆକାଉଣ୍ଟରୁ ୨୮ ଲକ୍ଷ ଟଙ୍କା ଜବତ୍‌

କଟକ : ନକଲି ଉଚ୍ଚ ରକ୍ତଚାପ ଔଷଧ କାରବାରରେ ସଂପୃକ୍ତ ଦୁଇ ଔଷଧ ମାଫିଆ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରୁ ୨୮ ଲକ୍ଷ ଟଙ୍କା ଜବତ କରିଛି ପୁରୀଘାଟ ଥାନା ପୁଲିସ। ରାଜ୍ୟ ବାହାରୁ ନକଲି ଔଷଧ ଆମଦାନୀ କରି ଓଡ଼ିଶାରେ ଯେଉଁ କାରବାର ହୋଇଥିଲା, ସେହି ଟଙ୍କା ପୁଲିସ ଜବତ କରିବା ପରେ ଓଡ଼ିଶାରେ ଏହି କେଳେଙ୍କାରୀରେ ସମ୍ପୃକ୍ତ ଅନ୍ୟ ଡିଲରମାନେ ଆତଙ୍କିତ ହୋଇଯାଇଛନ୍ତି। ଅନ୍ୟପଟେ ଏହି ଦୁଇଜଣଙ୍କୁ ପୁରୀଘାଟ ଥାନା ପୁଲିସ ଦୁଇଦିନିଆ ରିମାଣ୍ଡରେ ଆଣିଛି। ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପୁଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। କୋର୍ଟ ଦୁଇ ଦିନ ପାଇଁ ଅନୁମତି ଦେଇଛନ୍ତି।

ସୂଚନା ଅନୁଯାୟୀ, ମାଣିକଘୋଷ ବଜାରସ୍ଥିତ ଭି.ଆର୍‌ ଡ୍ରଗ୍‌ ଏଜେନ୍ସି ପକ୍ଷରୁ ବକ୍ସିବଜାରର ରାହୁଲ କ୍ୟାଲ୍ ଓ ଯାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ କ୍ୟାଣ୍ଟନମେଣ୍ଟ ମିସନ୍ ରୋଡର ସଞ୍ଜୟ ଜଲାନ୍ ନକଲି ଟେଲମା-୪୦ ଓ ଟେଲମା ଏ.ଏସ୍ ଆମଦାନୀ କରୁଥିଲେ। ଉଭୟ ବେଙ୍ଗାଲୁରୁ ଶିବାଜୀ ନଗର ଅଞ୍ଚଳର ଶ୍ରୀ ବାଲାଜି ଏଜେନ୍ସି ଏବଂ ବିହାର ଗୟା ଜିଲ୍ଲାର ବାଲାଜି ଡ୍ରଗ୍‌ସରୁ ଗ୍ଲେନମାର୍କ ନାଁରେ ଏହି ଦୁଇଟି ପ୍ରକାର ନକଲି ଔଷଧ କିଣୁଥିବାରୁ ପୁଲିସ ଏହି ଦୁଇ ସଂସ୍ଥାକୁ ବି ତଦନ୍ତ ପରିସରଭୁକ୍ତ କରିଛି। କମିସନରେଟ୍ ପୁଲିସର ଏକ ଟିମ୍ ବିହାର ଓ ବାଙ୍ଗାଲୁର ଯାଇ ତଦନ୍ତ କରିବାକୁ ଯୋଜନା କରୁଛି। ଏହାପୂର୍ବରୁ ପୁଲିସ ସେମାନଙ୍କୁ ନୋଟିସ୍ ଜାରି କରିବାକୁ ଯାଉଛି। ଓଡ଼ିଶାରେ ଅନ୍ୟ କେଉଁ ବ୍ୟବସାୟୀ ଏହି ନକଲି ଔଷଧ ଆମଦାନୀ କରୁଥିଲେ, ସେ ନେଇ ମଧ୍ୟ ପୁଲିସ ରାହୁଲ ଓ ସଞ୍ଜୟଙ୍କୁ ପଚରାଉଚରା କରିବାକୁ ଯୋଜନା କରିଛି। ଏହି ଦୁଇସଂସ୍ଥାର ପ୍ରକୃତ ମାଲିକାନାରେ ଥିବା ପରିବାର ଲୋକଙ୍କୁ ବି ପୁଲିସ ଥାନାକୁ ଡାକି ଜେରା ଆରମ୍ଭ କରିଦେଇଛି। ସେମାନଙ୍କ ଏହି ନକଲି କାରବାରରେ କି ପ୍ରକାର ସମ୍ପର୍କ ଥିଲା, ସେ ନେଇ ପ୍ରମାଣ ଯୋଗଡ଼ କରୁଛି ପୁଲିସ।

ସମ୍ବନ୍ଧିତ ଖବର