ରାଜ୍ୟରେ ପାଞ୍ଚ ଆଞ୍ଚଳିକ ଜୁଡିସିଆଲ୍‌ ଏକାଡେମି ଉଦ୍‌ଘାଟିତ

ଓଡ଼ିଶା ସାରା ଦେଶ ପାଇଁ ଉଦାହରଣ: ଜଷ୍ଟିସ ସୂର୍ଯ୍ୟକାନ୍ତ

କଟକ : ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ଆଞ୍ଚଳିକ ଜୁଡିସିଆଲ ଏକାଡେମି ସାରା ଦେଶ ପାଇଁ ଏକ ଉଦାହରଣ। ଜୁଡିସିଆଲ ଏକାଡେମିର ବିକେନ୍ଦ୍ରୀକରଣ ଏକ ପ୍ରସଂଶନୀୟ ପଦକ୍ଷେପ। ଜିଲ୍ଲା ନ୍ୟାୟପାଳିକାର କାର୍ଯ୍ୟରେ ଏହି ପଦକ୍ଷେପ ସହାୟକ ହେବ ବୋଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି। ଅନୁଗୁଳ, ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁର (ଗଞ୍ଜାମ), ଜୟପୁର (କୋରାପୁଟ)ରେ ପ୍ରତିଷ୍ଠା କରାଯାଇଥିବା ଆଞ୍ଚଳିକ ଜୁଡିସିଅାଲ ଏକାଡେମିକୁ ଉଦଘାଟନ କରିବା ଅବସରରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏପରି କହିଥିଲେ। ଓଡ଼ିଶା ଜୁଡିସିଆଲ ଏକ‌ାଡେମିରେ ଅାୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ସୂର୍ଯ୍ୟକାନ୍ତ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଜିଲ୍ଲା ନ୍ୟାୟପାଳିକା ଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଜିଲ୍ଲା ଗୁଡିକରେ ପ୍ରତିଷ୍ଠା କରାଯାଇଥିବା ଭର୍ଚୁଆଲ କୋର୍ଟକୁ ସେ ପ୍ରସଂଶା କରିଥିଲେ। ବିକଳ୍ପ ବିବାଦ ସମାଧାନ କ୍ଷେତ୍ରରେ ମଧ୍ୟସ୍ଥତା (ମେଡିଏସନ) ଗୁରୁତ୍ବପୂର୍ଣ୍ଣ। ଆଞ୍ଚଳିକ ଜୁଡିସିଆଲ ଏକାଡେମି ଗୁଡିକରେ ବିଚାରବିଭାଗୀୟ ଅଧିକାରୀଙ୍କୁ ମେଡିଏସନ୍ ଓ ଆଇନ ସହାୟତା କାର୍ଯ୍ୟକଳାପ ଉପରେ ତାଲିମ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର କହିଥିଲେ ଯେ ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ପାଞ୍ଚଟି ଆଞ୍ଚଳିକ ଜୁଡିସିଆଲ ଏକାଡେମି ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇଛି। ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରାଯାଉଛି।

ବିଚାରବିଭାଗୀୟ ଅଧିକାରୀ, ଅଦାଲତ କର୍ମଚାରୀ, ଆଇନଜୀବୀ, ଆଇନଜୀବୀଙ୍କ କ୍ଲର୍କଙ୍କୁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ପ୍ରସଂଗରେ ତାଲିମ ପ୍ରଦାନ ଉପରେ ମୁଖ୍ୟ ବିଚାରପତି ଗୁରୁତ୍ବାରୋପ କରିଥିଲେ। କାର୍ଯ୍ୟକ୍ରମରେ ଜୁଡସିଆଲ ଏକାଡେମି ଓ ତାଲିମ କମିଟି ଅଧ୍ୟକ୍ଷ ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଗତ ୫ ବର୍ଷରେ ଓଡ଼ିଶା ଜୁଡିସିଆଲ ଏକାଡେମିରେ ପ୍ରାୟ ତିନି ଶହ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଆଞ୍ଚଳିକ ଜୁଡସିଆଲ ଏକାଡେମି ବିଚାରବିଭାଗୀୟ ଅଧିକାରୀ, ଅଦାଲତ କର୍ମଚାରୀ, ଆଇନଜୀବୀ, ଆଇନଜୀବୀଙ୍କ କ୍ଲର୍କ ଓ ଅନ୍ୟ ଅଂଶୀଦାରଙ୍କ ପାଇଁ ଫଳପ୍ରଦ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି ଉଭୟ ଫିଜିକାଲ ଓ ଭର୍ଚୁଆଲ ବ୍ୟବସ୍ଥାରେ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ଜଜ୍, ବିଚାରବିଭାଗୀୟ ଅଧିକାରୀ ମଧ୍ୟ ଭର୍ଚୁଆଲ ବ୍ୟବସ୍ଥାରେ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୦୩, ଡିସେମ୍ବର ୨୦ରେ ଓଡ଼ିଶା ଜୁଡିସିଆଲ ଏକାଡେମି କଟକଠାରେ ପ୍ରତିଷ୍ଠା କରାଯାଇଥିଲା। ପ୍ରାୟ ଏକ ଦଶନ୍ଧି ଧରି ବୋର୍ଡ ଅଫ୍ ରେଭିନ୍ୟୁ ପୁରୁଣା କୋଠାରେ ଜୁଡିସିଆଲ ଏକାଡେମି କାର୍ଯ୍ୟ କରିବା ପରେ ୨୦୧୨, ନଭେମ୍ବରରେ କିଲ୍ଲା ଫୋର୍ଟରେ ଥିବା ମୁଖ୍ୟ ବିଚାରପତିଙ୍କ ପୁରୁଣା ବଙ୍ଗଳାକୁ ସ୍ଥାନାନ୍ତର ହୋଇଥିଲା। ୨୦୧୩, ଅଗଷ୍ଟ ୧୦ରୁ ଓଡ଼ିଶା ଜୁଡିସିଆଲ ଏକାଡେମି ନିଜସ୍ବ କୋଠାରେ କାର୍ଯ୍ୟ କରୁଛି। ସାରା ଓଡ଼ିଶାର ବିଚାରବିଭାଗୀୟ ଅଧିକାରୀଙ୍କ ସହିତ ଅଦାଲତ କର୍ମଚାରୀ, ଆଇନଜୀବୀ, ପ୍ରସିକ୍ୟୁଟର ଓ ଅନ୍ୟମାନଙ୍କୁ ଏଠାରେ ତାଲିମ ପ୍ରଦାନ କରାଯାଉଛି। କିନ୍ତୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବିଚାରବିଭାଗୀୟ ଅଧିକାରୀ ଓ ଅନ୍ୟମାନଙ୍କୁ ତାଲିମ ପାଇଁ କଟକ ଆସିବାକୁ ପଡୁଥିଲା। ଏଥି ପାଇଁ ସମୟ ଓ ଅର୍ଥ ବ୍ୟୟ ହେଉଥିଲା। ୨୦୨୧ରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଆଞ୍ଚଳିକ ଜୁଡିସିଆଲ ଏକାଡେମି ପ୍ରତିଷ୍ଠା ପ୍ରସଂଗକୁ ବିଚାରକୁ ନେଇଥିଲେ। ଭୌଗୋଳିକ ସ୍ଥିତି ଓ ଅନ୍ୟାନ୍ୟ ପ୍ରସଂଗକୁ ବିଚାରକୁ ନେଇ ୫ଟି ସ୍ଥାନରେ ଆଞ୍ଚଳିକ ଜୁଡସିଆଲ ଏକାଡେମି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର