ରଥଖଳା ଚଳଚଞ୍ଚଳ: ତିନି ରଥର ୨୭ ଚକ ଶେଷ

୩୯ ତୁମ୍ବର ସରିଲା ସିଙ୍ଗଡ଼ା ବାଡ଼ିଆ, ନିର୍ମିତ ଚକରେ ବନ୍ଧାଗଲା ଚାଞ୍ଚରା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ୧୯ ଦିନରେ ପହଞ୍ଚିଛି। ଆଜି କାମ ଶେଷ ସୁଦ୍ଧା ତିନି ରଥର ୯ଟି ଲେଖାଏଁ ୨୭ଟି ଚକ ନିର୍ମାଣ କାମ ଶେଷ ହୋଇଛି। ତିନିରଥର ୪ଟି ଲେଖାଁଏ ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି। ନାହାକା ଅଖ ନିର୍ମାଣ ଶେଷ ପରେ ଆଜି ବାକି ଅଖ ନିର୍ମାଣ ପାଇଁ ଆବଶ୍ୟକ ୪୦ ଫୁଟିଆ ଧଉରା କାଠ ମହାରଣା ସେବକମାନଙ୍କୁ ଭୋଇ ସେବକମାନେ ଯୋଗାଇ ଦେଇଛନ୍ତି। ତେବେ ପ୍ରବଳ ଖରାରେ ନିର୍ମିତ ହୋଇଥିବା ରଖ ଚକ ଫାଟିଯିବାର ଆଶଙ୍କା ଥିବାରୁ ଆଜି ଭୋଇ ସେବକମାନେ ଏହି ସବୁ ଚକରେ ଚାଞ୍ଚରା ବାନ୍ଧିବା ସହ ପାଣି ଢାଳିଛନ୍ତି।

ଆଜି ନନ୍ଦିଘୋଷ ରଥର ୯ଟି ଚକ ଶେଷ ହୋଇଥିବାବେଳେ ଆଉ ଦୁଇଟି ଚକର ପଇପିନ୍ଧା ସରି କଳସା କାମ ଜାରି ରହିଛି। ୪ଟି ୨୦ ଫୁଟିଆ ଚଉତା କାଠର ଚଉପଟ ସରି ଆଉ ୪ଟି ଚଉତା କାଠର ଚଉପଟ ଜାରି ରହିଛି। ତାଳଧ୍ବଜ ରଥର ୯ଟି ଚକ ସମ୍ପୂର୍ଣ୍ଣ ଶେଷ ହୋଇଥିବାବେଳେ ଆଉ ଦୁଇଟି ଚକରେ ପଇପିନ୍ଧା ଶେଷ ହୋଇଛି। ଦର୍ପଦଳନ ରଥ ୯ଟି ଚକ ଶେଷ ହୋଇଥିବା ବେଳେ ଆଉ ଦୁଇଟି ଚକରେ ପଇପିନ୍ଧା କାମ ଜାରି ରହିଛି। ୪ଟି ଚଉତା କାଠର ଚଉପଟ ଶେଷ ପରେ ଆଉ ୪ଟିର ଚଉପଟ ଜାରି ରହିଛି। ଦୋଳବେଦିଠାରେ କରତି ସେବକମାନେ ତାଳଧ୍ବଜ ରଥ ପୋଲ ଗୟଳ ଚିରଟ ପୂର୍ବରୁ ୪୦ ଫୁଟିଆ ଧଉରା କାଠର ଉଭୟ ପାର୍ଶ୍ବ ଚିତା କାର୍ଯ୍ୟ ଶେଷ କରିଛନ୍ତି। ଆସନ୍ତାକାଲି ଚିରଟ କାର୍ଯ୍ୟ ଆରମ୍ଭ ହେବ। ଭୋଇ ସେବକମାନେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନିରଥର ମୋଟ ୪୨ ଚକ ପାଇଁ ଆବଶ୍ୟକ ୪୨ଟି ତୁମ୍ବରୁ ୩୯ ଗୋଟି ତୁମ୍ବର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକମାନେ ପନ୍ଦାରି ନିର୍ମାଣ ପରେ ତିନି ରଥ ପାଇଁ ୮ ଇଞ୍ଚିଆ ଆଗ ପାତେଳି କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ରୂପକାର ସେବକମାନେ ତିନିରଥର ଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର