ପୂର୍ବତନ ସରପଞ୍ଚ ଓ ବିଜେଡି କର୍ମୀ ମୁହାଁମୁହିଁ

ବାଲେଶ୍ବର: ବାଲେଶ୍ବର ସଦର ବ୍ଲକ ପରିସରରେ ଜଣେ ପୂର୍ବତନ ସରପଞ୍ଚଙ୍କ କିଛି ବିଜେଡି କର୍ମୀଙ୍କ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ପୂର୍ବତନ ସରପଞ୍ଚ ନିଜ ପଞ୍ଚାୟତରେ ପଡ଼ି ରହିଥିବା ଏକ ପାନୀୟଜଳ ପ୍ରକଳ୍ପ ବାବଦରେ ସଦର ବିଧାୟକଙ୍କୁ ଭେଟି ପଚାରୁଥିବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ଶନିବାର ବାଲେଶ୍ବର ସଦର ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଦର ବିଧାୟକ ସ୍ବରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ମିନତୀ ବେହେରା, ସଦର ବିଡିଓ ନ‌େରନ୍ଦ୍ର ଖମାରୀ ଓ ସଦର ତହସିଲଦାର ଅନାମିକା ସିହ ପ୍ରମୁଖ ବୈଠକରେ ଯୋଗ ଦେଇଥିବା ବେଳେ ସଦର ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ଉପସ୍ଥିତ ଥିଲେ। ତେବେ ବୈଠକ ସରିବା ପରେ ବିଧାୟକ ଶ୍ରୀ ଦାସ ବାହାରକୁ ବାହାରୁଥିବା ବେଳେ ଓଡ଼ିଙ୍ଗୀ ପଞ୍ଚାୟତର ପୂର୍ବତନ ସରପଞ୍ଚ  ରବିନାରାୟଣ ପାଣିଗ୍ରାହୀ ତାଙ୍କୁ ଭେଟିଥିଲେ। ଶ୍ରୀ ପାଣିଗ୍ରାହୀ, ବିଧାୟକ ଶ୍ରୀ ଦାସଙ୍କୁ ତାଙ୍କ ଅଞ୍ଚଳ ପାଇଁ ହେବାକୁ ଥିବା ଏକ ପାନୀୟଜଳ ପ୍ରକଳ୍ପ ତୁରନ୍ତ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ହେଲେ ବିଧାୟକ ଶ୍ରୀ ଦାସ ଉକ୍ତ ପ୍ରକଳ୍ପ ବାବଦ‌େର କିଛି ଉତ୍ତର ନରଖି ଏଥର ପଞ୍ଚାୟତ ନିର୍ବାଚନରେ ଓଡ଼ିଙ୍ଗୀ ପଞ୍ଚାୟତରେ ତାଙ୍କ ଦଳ କାହିଁକି ଭୋଟ୍‌ ପାଇଲା ନାହିଁ ଏବଂ ସେଥିପାଇଁ ସେ କିଛି କରିପାରିବେ ନାହିଁ ବୋଲି ସଫା ମନା କରିଦେଲେ।

ଏହାପରେ ସମ୍ପୃକ୍ତ ପୂର୍ବତନ ସରପଞ୍ଚ ଓ ବିଧାୟକ ଦୁହେଁ ପରସ୍ପର ସେଠାରେ ଉଚ୍ଚବାଚ ହୋଇଥି‌ଲେ। ବିଦାୟକ ଶ୍ରୀ ଦାସ ସେଠା‌ରୁ ପଳାଇ ଯାଇଥିଲେ। ଏହି ଘଟଣାର କିଛି ସମୟ‌ ପରେ ସେଠାରେ ବିଜେଡିର ୬/୭ ଜଣ କର୍ମୀ ପହଞ୍ଚି ସମ୍ପୃକ୍ତ ପୂର୍ବତନ ସରପଞ୍ଚଙ୍କୁ ବ୍ଲକ ପରିସରରୁ ବାହାରକୁ ଆସିବାକୁ ବଡ଼ ପାଟିରେ ଡାକିଥିଲେ। ଏହାପରେ ସେମାନେ ତାଙ୍କୁ ଜୋର ଜବରଦସ୍ତି ଏକ ବାଇକ୍‌ରେ ବସାଇ ବିଧାୟକ ଶ୍ରୀ ଦାସଙ୍କ ଆଜିମାବାଦସ୍ଥିତ ଘରକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ବିଧାୟକଙ୍କୁ କାହିଁକି ବ୍ଲକ ପରିସରରେ ଏପରି ବ୍ୟବହାର କଲ ଭୁଲ ମାଗିବାକୁ ଧମକାଇଥିଲେ। ତେବେ ବିଧା‌ୟକ ଶ୍ରୀ ଦାସ ଉତ୍ତ୍ୟକ୍ତ କର୍ମୀମାନଙ୍କୁ ଶାନ୍ତ କରିବା ପରେ ‌ପୂର୍ବତନ ସରପଞ୍ଚଙ୍କୁ ସେଠାରୁ ଛଡ଼ା ଯାଇଥିବା ଜାଣିବାକୁ ମିଳିଛି। ତେବେ  ବ୍ଲକ ପରିସରରେ ସେମାନେ ଯେତିକି ସମୟ ଝଗଡ଼ା ଲାଗିଥିଲେ ତାର ଭିଡିଓ ସେହି ଆଖପାଖରେ ଲାଗିଥିବା ସିସି ଟିଭିରେ କଏଦ ହୋଇଥିବା ଦେଖା‌ଯାଇଛି।

ଅନ୍ୟପକ୍ଷରେ ଏ ନେଇ ସଦର ବିଧାୟକ ଶ୍ରୀ ଦାସଙ୍କୁ ପଚାରିବାରୁ ଗତକାଲି ଏପରି କୌଣସି ଘଟଣା ଘଟିନାହିଁ ଏବଂ ‌ଯଦି ଏପରି କେହି ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ ବୋଲି ସେ କହିଛନ୍ତି। ଓଡ଼ିଶା ସରକାର ଦଳ, ମତ, ଜାତି ଓ ଧର୍ମ ନିର୍ବିଶେଷରେ ରାଜ୍ୟର ବିକାଶ କରୁଛନ୍ତି। ତେଣୁ କାହାରିକୁ ପାତରଅନ୍ତର ନକରି ପ୍ରତ୍ୟେକ ସରକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଆମେ ଗୁରୁତ୍ବ ଦେଉଛୁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର