ଗ୍ରେସିଙ୍ଗିଆ ସିଏଚ୍‌ସି: ଯୋଗଦେବାର ଘଣ୍ଟାଏ ଭିତରେ ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନରେ ଗଲେ ବିଶେଷଜ୍ଞ ଡାକ୍ତର

ଲୋକ ପ୍ରତିନିଧି ନିରବଦ୍ରଷ୍ଟା, ଜଣେ ଡାକ୍ତରରେ ଚାଲିଛି ରୋଗୀସେବା

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ଠାରେ ଥିବା ପୁରାତନ ଓ ସ୍ଥାନୀୟ ବ୍ଲକ ନିମନ୍ତେ ପ୍ରଥମ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବେ ବିଭିନ୍ନ ସମସ୍ୟା ଭିତରେ ବୁଡ଼ି ରହିଛି। ଗ୍ରେସିଙ୍ଗିଆରେ ଏବଂ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଏପରିକି ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ କେହି ବିଶେଷଜ୍ଞ ଡାକ୍ତର ନଥିବା ଯୋଗୁଁ ଗର୍ଭବତୀ ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଓ ବିଭିନ୍ନ ସଂଗଠନ ସରକାରଙ୍କ ନିକଟରେ ଉକ୍ତ ବିଭାଗ ତଥା ଖାଲି ପଡ଼ିଥିବା ଅନ୍ୟ ବିଭାଗରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ନିବେଦନ କରିଥିଲେ।

ସୂଚନା ଅନୁସାରେ ଜନସାଧାରଣଙ୍କ ନିବେଦନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉକ୍ତ ଡାକ୍ତରଖାନାରେ ଗତ ନଭେମ୍ବର ମାସରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ନିମନ୍ତେ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ସେହି ଦିନ ହିଁ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନରେ ନିଆଗଲା। ଏଥିରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ଵାସ୍ଥ୍ୟ ସେବା ପ୍ରତି ଅଣଦେଖା କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିବା ସହ ସ୍ଥାନୀୟ ଅଞ୍ଚଳ ପାଇଁ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଅତ୍ୟାବଶ୍ୟକ ଥିବା ବେଳେ କାହା ସ୍ୱାର୍ଥରେ ଜିଲ୍ଲା ପ୍ରଶାସନ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଶେଷଜ୍ଞ ଡାକ୍ତରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ନେଲେ ବୋଲି ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ମାଳମାଳ ନେତା ଥାଇ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ସେବା ଅଞ୍ଚଳବାସୀଙ୍କ ପାଇଁ ସ୍ଵପ୍ନ। ଜିଲ୍ଲା ପ୍ରଶାସନର ଅବହେଳା ସାଙ୍ଗକୁ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ନୀରବତା ଅଞ୍ଚଳବାସୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏପଟେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଥଣ୍ଡା ହେବା ଯୋଗୁଁ ବହୁ ଲୋକଙ୍କୁ ଜ୍ଵର ଥଣ୍ଡା କାଶ ଓ ଅନ୍ୟାନ୍ୟ ରୋଗ ହେଉଥିବା ବେଳେ ଚିକିତ୍ସା ପାଇଁ ଡାକ୍ତର ନାହାନ୍ତି। ଜଣେ ମାତ୍ର ଡାକ୍ତର ଅଫିସ କାମ ସହ ରୋଗୀ ସେବାରେ କାର୍ଯ୍ୟରତ। ରାଜ୍ୟ ସରକାର ଜନତାଙ୍କ ପାଇଁ ସ୍ଵାସ୍ଥ୍ୟ ଓ ଶିକ୍ଷା କୁ ପ୍ରାଥମିକତା ଦେଉଥିବା ସହ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଗରିବ ଜନସାଧାରଣଙ୍କ  ଚିକିତ୍ସା ପାଇଁ ମେଡିକାଲରେ ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ଡାକ୍ତର ନଥିବା କୋଉଠି ନା କୋଉଠି ପ୍ରଶାସନିକ ଅବହେଳା ଓ ଜନତାଙ୍କ ଦ୍ୱାରା ନିର୍ବାଚିତ ଜନପ୍ରତିନିଧି ଙ୍କ ଇଚ୍ଛା ଶକ୍ତିର ଅଭାବ ଅନୁଭବ କରୁଥିବା କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ନା ଅଛନ୍ତି ଡାକ୍ତର ନା ହୋଇ ପାରୁଛି ରୋଗୀ ସେବା।

ମେଡ଼ିକାଲର ସମସ୍ତ ବିଭାଗରେ ବିଶେଷଜ୍ଞ ଡ଼ାକ୍ତର ପଦବି ଖାଲି ପଡ଼ିଥିବା ସହ ବିଭିନ୍ନ ସମସ୍ୟା ଭିତରେ ବୁଡ଼ି ରହିଥିବା  କହିଛନ୍ତି ଗ୍ରାମବାସୀ। ଚିକିତ୍ସା ସମ୍ବନ୍ଧିତ ବିଭିନ୍ନ ବିଭାଗ ନିମନ୍ତେ ସ୍ଵତନ୍ତ୍ର କୋଠରି ବ୍ୟବସ୍ଥା କରାଯିବା ସହ ଆବଶ୍ୟକତା ଅନୁସାରେ ବିଶେଷଜ୍ଞ ଡ଼ାକ୍ତରଙ୍କ ନିଯୁକ୍ତି ଯଥାଶୀଘ୍ର କରିବା ପାଇଁ ଅନୁରୋଧ କରିଛନ୍ତି। ମୁଖ୍ୟତଃ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଓ ପ୍ରସବ ପରେ ନବଜାତ ଶିଶୁର ଚିକିତ୍ସା ସହ ଯତ୍ନ ନିମନ୍ତେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଓ ଶିଶୁ ବିଶେଷଜ୍ଞ ଡ଼ାକ୍ତର ନିତାନ୍ତ ଆବଶ୍ୟକ ରହିଛି। ଆଖପାଖ ପ୍ରାୟ ୪/୫ ଟି ପଞ୍ଚାୟତର ଗରିବ ଆଦିବାସୀ ଜାତି, ଜନଜାତି, ସାଧାରଣ ବର୍ଗ, ଜନସାଧାରଣ ଏହି ମେଡ଼ିକାଲ ଉପରେ ନିର୍ଭରଶୀଳ ଅଟନ୍ତି। ଯେଉଁ ମାନେ କି ଉପୋରକ୍ତ ସମସ୍ୟା ଯୋଗୁଁ ଉଚିତ୍ ଚିକିତ୍ସା ପାଇପାରୁନଥିବା ସେପଟେ ଆର୍ଥିକ ଅଭାବ ଯୋଗୁଁ ବେସରକାରୀ ମେଡ଼ିକାଲରେ ଚିକିତ୍ସା କରିବା ଅସମ୍ଭବ। ତେଣୁ ଗ୍ରାମବାସୀଙ୍କ ତରଫରୁ ଏହି ମେଡ଼ିକାଲର ସମସ୍ତ ସମସ୍ୟାର ସମାଧାନ ଅତିଶୀଘ୍ର କରିବା ପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଜିଲ୍ଲା ଓ ରାଜ୍ୟ ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ସମସ୍ତ ଗ୍ରାମବାସୀ। ଯଦି ସମୟ ଥାଉ ଥାଉ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ ସେବା ସମସ୍ୟା ସମାଧାନ ନହୁଏ ତେବେ ଗ୍ରାମବାସୀ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବା ପାଇଁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର