ଗ୍ରାମାଞ୍ଚଳରେ ଭୁଶୁଡ଼ିଲାଣି ସ୍ୱାସ୍ଥ୍ୟସେବା, ଭୂତକୋଠି ପାଲଟିଛି ସ୍ୱାସ୍ଥ୍ୟ ଉପକେନ୍ଦ୍ର

ଦଶପଲ୍ଲା : ଗ୍ରାମାଞ୍ଚଳରେ ସାଧାରଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ତଥା ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପଞ୍ଚାୟତରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରମାନ ସ୍ଥାପନ କରାଯାଇଛି। ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଟିକାକରଣଠାରୁ ଆରମ୍ଭ କରି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ଏବଂ ପରୀକ୍ଷା ନିରୀକ୍ଷା କରିବା ଭଳି ସାଧାରଣ ଚିକିତ୍ସା ଲୋକମାନଙ୍କୁ ଯୋଗାଇ ଦେବା ସହ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ। ବିଶେଷକରି ମହାମାରୀ କରୋନା ସମୟରେ ଗ୍ରାମାଞ୍ଚଳଗୁଡ଼ିକରେ ଲୋକଙ୍କୁ ସଚେତନ କରିବା କ୍ଷେତ୍ରରେ ଏସବୁ କର୍ମଚାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ହେଲେ ଦଶପଲ୍ଲା ବ୍ଲକ୍‌ ଏବଂ ଏନ୍ଏସିରେ ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳିଛି।

କିଛି ସ୍ୱାସ୍ଥ୍ୟକର୍ମୀଙ୍କ ଖିଆଲି ମନୋଭାବ ପାଇଁ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ହେଉକି ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ବାର୍ତ୍ତା ଅପହଞ୍ଚ ହୋଇ ରହୁଥିବା ବେଳେ ସରକାରୀ ଯୋଜନା ଦିଗହରା ହେବାରେ ଲାଗିଛି। ବିଶେଷକରି ମଧ୍ୟଖଣ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଦଶପଲ୍ଲା ବ୍ଲକ୍‌ରେ ୧୮ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି। ଅନେକ ସ୍ଥାନରେ ଭିତ୍ତିଭୂମିର ଅଭାବ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ରହୁ ନଥିବା ବେଳେ ଅନେକ ସ୍ଥାନରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସ୍ୱାସ୍ଥ୍ୟ ଉପକେନ୍ଦ୍ରଗୁଡ଼ିକ ଭୂତକୋଠି ପାଲଟିଲାଣି। ଏପରିକି ଅନେକ ନବନିର୍ମିତ କୋଠରିରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଏସବୁ ଘରଗୁଡିକ ମଧ୍ୟରେ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମୁଛି।

ଦଶପଲ୍ଲା ବ୍ଲକ୍‌ର ଖମାରସାହି, ନରାଜିପଡ଼ା, ଟାକରା, ବାଣିଗୋଛା, କୁଜାମେଣ୍ଢି, ପୋଖରୀଗୋଛା, ଚଢ଼େୟାପଲ୍ଲୀ, କଳସାଖମଣ, ତେଣ୍ତାବାଡ଼ି, ପୋଇବାଡ଼ି, ଦେଢ଼ଶର, ଘୋଳାହାଣ୍ତି, ମଧ୍ୟଖଣ୍ତ, ଡିହଗାଁ ଏବଂ ଘୁଗୁଡିପଡା ସମେତ ଦଶପଲ୍ଲା ଏନ୍ଏସିର ଖଣ୍ତପଡ଼ା, ସାତପାଟଣା ଏବଂ କୁଞ୍ଜବନଗଡ଼ଠାରେ ଏସବୁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି। କାଁ ଭାଁ କିଛି ସ୍ଥାନକୁ ଛାଡ଼ିଦେଲେ ଅଧିକାଂଶ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀମ‌ାନେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାଡ଼ୁନାହାନ୍ତି। ଘରଗୁଡ଼ିକ ବର୍ଷ ବର୍ଷ ଧରି ବନ୍ଦ ହୋଇ ରହିଥିବା ବେଳେ କେଉଁଠି ଅଙ୍ଗନବାଡ଼ିରେ ତ ପୁଣି କେଉଁଠି ପର ବାରଣ୍ତାରେ ଟିକାକରଣ କରି ସ୍ୱାସ୍ଥ୍ୟକର୍ମୀମାନେ ନିଜ ନିଜ ଘରକୁ ଚାଲି ଯାଉଛନ୍ତି। ଯାହାକୁ ନେଇ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଠପ୍ ହୋଇ ପଡ଼ିବା ସହ ଲୋକଙ୍କ ନିକଟରେ ସରକାରୀ ସଚେତନତା ବାର୍ତ୍ତା ପହଞ୍ଚି ପାରୁନାହିଁ। ଏ ଦିଗରେ ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେବାକୁ ଦୃଢ଼ ଦାବି ହେଉଛି।

ସମ୍ବନ୍ଧିତ ଖବର