ଗତବର୍ଷଠୁ ୪ ଫୁଟ୍‌ ତଳେ ହୀରାକୁଦ ଜଳସ୍ତର

ସମ୍ବଲପୁର : ଚଳିତ ବର୍ଷ ଅଣମୌସୁମି ବର୍ଷା ଅଭାବର ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ିଛି। ନଭେମ୍ବର ବା’ ତା ପରବର୍ତ୍ତୀ ସମୟରେ ସ୍ବଳ୍ପ ବର୍ଷା କାରଣରୁ ଗତବର୍ଷ ତୁଳନାରେ ଏଥର ହୀରାକୁଦ ଜଳଭଣ୍ଡାର ଶୀଘ୍ର ଖାଲି ହେବାରେ ଲାଗିଛି। ୨୦୨୨ ଆଜିର ତାରିଖରେ ଅର୍ଥାତ୍ ମାର୍ଚ୍ଚ ୧୭ରେ ହୀରାକୁଦର ଜଳସ୍ତର ୬୨୧.୮୧ ଫୁଟ୍ ଥିଲାବେଳେ ଚଳିତବର୍ଷ ସେହିଦିନ ୬୧୭.୫୮ ଫୁଟ୍ ରହିଛି। ଆଜିର ଦିନରେ ଗତବର୍ଷ ତୁଳନାରେ ଜଳସ୍ତର ୪ ଫୁଟ୍‌ରୁ ଅଧିକ ତଳେ ରହିଛି। ହେଲେ ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟଠାରୁ ଜଳସ୍ତର ୨ ଫୁଟ୍‌ ଉପରେ ଥିବା ବନ୍ଧ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।

ପ୍ରତିବର୍ଷ ନଭେମ୍ବର ମାସରେ କୃଷି, ଜଳସେଚନ ଓ ଶକ୍ତି ବିଭାଗର ସଚିବମାନଙ୍କୁ ନେଇ ଉଚ୍ଚସ୍ତରୀୟ ସମନ୍ବୟ ବୈଠକ ବସିଥାଏ। ବୈଠକରେ ଅଣମୌସୁମି ଋତୁରେ ହୀରାକୁଦ ଜଳସ୍ତର କେଉଁଦିନ କେତେ ରହିବ ଓ କାହା ପାଇଁ କେତେ ଜଳ ଦିଆଯିବ, ତାହା ସ୍ଥିର କରାଯାଏ। ଚଳିତବର୍ଷ ସେହି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ବର୍ତ୍ତମାନ ଜଳସ୍ତର ୬୧୫ ଫୁଟ୍ ପର୍ଯ୍ୟନ୍ତ ରହିବା କଥା। ହେଲେ, ଆଜି ତାରିଖରେ ଜଳସ୍ତର ତାଠାରୁ ଅଧିକ ୨ ଫୁଟ୍‌ ରହିଛି, ଯାହା ସନ୍ତୋଷଜନକ। ତେଣୁ ମୌସୁମି ଆସିବା ପର୍ଯ୍ୟନ୍ତ, ଅର୍ଥାତ୍ ଜୁନ୍ ଶେଷ ଯାଏ ଜଳଭଣ୍ଡାରର ପାଣି ଚଳାଇ ନେବାକୁ ଯେଉଁ ସମୀକରଣ କରାଯାଇଛି ତାହା ଠିକ୍ ବାଟରେ ଚାଲିଛି। ବର୍ତ୍ତମାନ ଜଳସେଚନ ପାଇଁ ଆବଶ୍ୟକତା ଅନୁଯାୟୀ ପାଣି ଛଡ଼ା ଯାଉଥିଲାବେଳେ ବିଦ୍ୟୁତ୍ ଉତ୍ପାଦନ ପାଇଁ ଅଳ୍ପ ଜଳ ଦିଆଯାଉଛି।

ଜଳଭଣ୍ଡାରର ସ୍ତର ୫୯୦ ଫୁଟ୍ ହେବା ପର୍ଯ୍ୟନ୍ତ ଜଳସେଚନ ସମ୍ଭବ ହୋଇଥାଏ। ହେଲେ, କେନାଲ୍‌ରେ ଜଳର ଚାପ ବଜାୟ ରଖିବା ପାଇଁ ବନ୍ଧ କର୍ତ୍ତୃପକ୍ଷ ଜୁନ୍ ଶେଷ ସୁଦ୍ଧା ଜଳସ୍ତର ୬୦୦ ତଳକୁ ନ ଖସାଇବା ପାଇଁ ପ୍ରୟାସ କରନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଳସ୍ତର ୪ ଫୁଟ୍ ତଳେ ଥିଲେ ବି ସ୍ଥିତି ଚିନ୍ତାଜନକ ନୁହେଁ ବୋଲି ହୀରାକୁଦ ବନ୍ଧର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର