ମାର୍ଚ୍ଚରେ ମହାନଦୀରେ ପାଣିନାହିଁ, ୬ ଦିନ ଧରି ନୟାଗଡ଼ ସହରକୁ ଜଳଯୋଗାଣ ବନ୍ଦ

ବାଧାପ୍ରାପ୍ତ ହେବ ବହୁକୋଟିର ପ୍ରକଳ୍ପ

ନୟାଗଡ଼ : ମାର୍ଚ୍ଚ ମାସର ଦ୍ବିତୀୟ ସପ୍ତାହରେ ବି ମହାନଦୀ ଶୁଖିଲା। ଜଳସ୍ତର ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଥିବାରୁ ଏହାର ସିଧାସଳଖ ପ୍ରଭାବ ଜଳଯୋଗାଣ ଉପରେ ପଡ଼ିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏଥିପାଇଁ ୬ଦିନ ଧରି ନୟାଗଡ଼ ସହରକୁ ଜଳଯୋଗାଣ ବନ୍ଦ ରହିଛି। ଏଭଳି ସ୍ଥିତିରେ ମହାନଦୀରେ ନିର୍ମାଣାଧୀନ, ପ୍ରସ୍ତାବିତ ସବୁ ମେଗା ବା ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କିଭଳି ସଫଳ ହେବ, ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ଗତ ଫେବ୍ରୁଆରି ଶେଷ ତଥା ମାର୍ଚ୍ଚ ଆରମ୍ଭରୁ ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଭାପୁର, ଗଣିଆ ଅଞ୍ଚଳ ଦେଇ ବହିଯାଇଥିବା ମହାନଦୀ ଶୁଖି ଆସୁଥିବା ଦେଖାଯାଇଛି। ଫଳରେ, କଣ୍ଟିଲୋ ମହାନଦୀରୁ ନୟାଗଡ଼ ସହରକୁ ପାନୀୟ ଜଳ ଯୋଗାଇବାକୁ ପ୍ରକଳ୍ପ ଅକ୍ଷମ ‌ହୋଇପଡ଼ୁଥିବା ବେଳେ, ଭାପୁର ବ୍ଲକ୍‌ ପଦ୍ମାବତୀ ନିକଟ ମହାନଦୀରୁ ନୟାଗଡ଼, ନୂଆଗାଁର କିଛି ପଞ୍ଚାୟତ ସମେତ ଖଣ୍ଡପଡ଼ା, ଭାପୁରକୁ ପାନୀୟ ଜଳ ଯୋଗାଇବାକୁ ତେଲେଙ୍ଗାନାର ଜିଭିପିଆର୍‌ ଇଞ୍ଜିନିୟରିଂ ଲିମିଟେଡ୍‌ ଜରିଆରେ ଏକ ମେଗା ପ୍ରକଳ୍ପ କରାଯାଉଛି। ୬୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ହେଉଥିବା ଉକ୍ତ ପ୍ରକଳ୍ପ କାର୍ଯ୍ୟ ୨୦୧୯ରୁ ଆରମ୍ଭ ହୋଇଥିବା ବେଳେ, ନିର୍ଦ୍ଧାରିତ ଅବଧି ସରିବା ପରେ ମଧ୍ୟ ଏହି ପ୍ରକଳ୍ପ ଶେଷ ହୋଇନାହିଁ। ପ୍ରଥମେ ୨୦୨୧ ମସିହା ଡିସେମ୍ବର ସୁଦ୍ଧା ପ୍ରକଳ୍ପ ଶେଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଏହି ସମୟ ମଧ୍ୟରେ କାମ ଶେଷ ନହେବାରୁ ପ୍ରକଳ୍ପର ଅବଧି ଚଳିତବର୍ଷ ଜୁନ୍‌ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ, ଚଳିତ ବର୍ଷ ମଧ୍ୟ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାନେଇ ଆଶଙ୍କା ପ୍ରକାଶ ପାଇଛି। ଏହାପଛରେ ବଡ଼କାରଣ ହେଉଛି, ପ୍ରକଳ୍ପସ୍ଥଳ ନିକଟରେ ମଧ୍ୟ ବହୁଳ ପରିମାଣର ପାଣି ନଥିବା ଦେଖାଯାଇଛି।

ଏଥିସହିତ, ଗତ ଅକ୍ଟୋବର ମାସରେ ରଣପୁର ଓ ଓଡ଼ଗାଁ ବ୍ଲକ୍‌ ନିମନ୍ତେ ଦୁଇଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ଏଥିନିମନ୍ତେ ୩୯୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ସେହିଭଳି ଗତ ଜାନୁଆରି ମାସରେ ୩୯୩ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବା ଦଶପଲ୍ଲା ନିର୍ବାଚନମଣ୍ଡଳୀ ନିମନ୍ତେ ମେଗା ପାନୀୟ ଜଳ ପ୍ରକଳ୍ପର ମଞ୍ଜୁର କରାଯାଇଛି। ଗଣିଆର ରାଉତପଡ଼ା ନିକଟସ୍ଥ ମହାନଦୀରୁ ପାଣି ଆସିବ, ତେବେ ଏଠାରେ ମହାନଦୀ ମଧ୍ୟ ଶୁଖିଲା ପଡ଼ିଥିବା ଦେଖିବାକୁ ମିଳିଛି। ବଡ଼ମୂଳରୁ ଉକ୍ତ ପ୍ରକଳ୍ପ ନିମନ୍ତେ ଜଳଯୋଗାଣ ହୋଇଥିଲେ, ସମସ୍ୟାର ଆଶଙ୍କା ରହିନଥା’ନ୍ତା ବୋଲି ସ୍ଥାନୀୟ ବାସିନ୍ଦାଙ୍କ ସୂତ୍ରରୁ ଖବର ମିଳିଛି।

ମହାନଦୀରେ ଜଳାଭାବ ଦେଖାଦେଉଥିବା ଖୋଦ୍‌ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ବେଳେ, ସେମାନେ ମଧ୍ୟ ଏହି ସବୁ ପ୍ରକଳ୍ପ ନେଇ ଆଶଙ୍କା ବ୍ୟକ୍ତ କରୁଥିବା ଦେଖାଯାଇଛି। ପାଣି ପାଇଁ ହଜାରେ କୋଟିରୁ ଅଧିକ ଟଙ୍କା ପାଣିରେ ପଡ଼ିବ କି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର