ଶାଳ ଜଙ୍ଗଲରୁ ପଥର ଚାଲାଣ

ପଣ୍ଡାପଡ଼ା : ନରଣପୁର ଫରେଷ୍ଟ ବିଟ୍‌ ଅନ୍ତର୍ଗତ ବାଇଜାପଡ଼ା ଗ୍ରାମର ରଘୁବେଡ଼ା ସାହି ନିକଟ ଶାଳ ଜଙ୍ଗଲରୁ ବେଆଇନ ପଥର ଚାଲାଣ ହେଉଛି। କିଛି ଠିକାଦାର ସାହି ଲୋକଙ୍କ ସହାୟତାରେ ଜଙ୍ଗଲରୁ ପଥର ଫଟାଇ ଅନ୍ୟତ୍ର ଚାଲାଣ କରୁଛନ୍ତି। ଗଛମୂଳରୁ ପଥରକୁ ତାଡ଼ି ତାକୁ ଖଣ୍ଡଖଣ୍ଡ କରାଯାଇ ଖୁଲମ ଖୁଲା ବିକ୍ରି କରାଯାଉଛି। ପଥର ତାଡ଼ି ନିଆଯାଉଥିବାରୁ ଶାଳଗଛର ମୂଳ ଦୁର୍ବଳ ହୋଇଯାଉଛି। ଗଛମୂଳରୁ ମାଟି ଖସି ଯାଉଛି। ପ୍ରତିଦିନ ସକାଳେ ବେଆଇନ ଭାବେ ୮/୧୦ଟି ଟ୍ରାକ୍ଟର ସାହାଯ୍ୟରେ ଜଙ୍ଗଲରୁ ପଥର ପରିବହନ କରାଯାଉଛି। ଏଥିପ୍ରତି ବନ ବିଭାଗ ଓ ରାଜସ୍ବ ବିଭାଗର ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପରିପ୍ରକାଶ ପାଉଛି।

ଟ୍ରାକ୍ଟରରେ ବୋଲଡର ଟ୍ରିପ୍ ୧୫ଶହ ଓ ମେଟା‌ଲ ଟ୍ରିପ୍ ୨୫ଶହ ଟଙ୍କାରେ ବିକ୍ରି ହେଉଛି। ସେହିପରି ଘଟଗାଁ ତହସିଲ ଅନ୍ତର୍ଗତ ବଳଭଦ୍ରପୁର ମୂଷାପାହାଡ଼ି ଶାଳ ଜଙ୍ଗଲରୁ ମଧ୍ୟ ପଥର କଟାଯାଇ ବେଆଇନ ଭାବେ ଚାଲାଣ କରାଯାଉଛି। ବାଇଜାପଡ଼ା ରଘୁବେଡା ସାହି ଜଙ୍ଗଲରୁ ପଥର ଚାଲାଣ ସମ୍ପର୍କରେ ବକ୍ସିବାରିଗାଁ ରାଜସ୍ବ ନିରୀକ୍ଷକ ଶୁଭେନ୍ଦୁ ପାତ୍ରଙ୍କୁ ପଚାରିବାରୁ ଏହା ତାଙ୍କ ଜ୍ଞାତସାରରେ ନାହିଁ। ପଦକ୍ଷେପ ନିଆଯିବ କହିଛନ୍ତି। ମୂଷାପାହାଡ଼ି ଜଙ୍ଗଲରୁ ପଥର ଚାଲାଣ ସମ୍ପର୍କରେ ବସନ୍ତପୁର ରାଜସ୍ବ ନିରୀକ୍ଷିକ ସଙ୍ଗୀତା ବେହେରାଙ୍କୁ ପଚାରିବାରୁ, ଖୁବଶୀଘ୍ର ଚଢ଼ଉ କରାଯାଇ ପଦ‌କ୍ଷେପ ନିଆଯିବ ବୋଲି କହିଛନ୍ତି। ଉଭୟ ବନ ବିଭାଗ ଓ ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଥର ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର