ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଗୋଟିଏ ମାମଲାର ବିଚାରାଧୀନ ବନ୍ଦୀ ନୂଆ ମାମଲାରେ ଆଗୁଆ ଜାମିନ ଲୋଡ଼ି ପାରିବେ

କଟକ: ଗୋଟିଏ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ବ୍ୟକ୍ତି ଅନ୍ୟ ଏକ ମାମଲାରେ ଆଗୁଆ ଜାମିନ ଆବେଦନ କରି ପାରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଯଦି ତାଙ୍କୁ ସେହି ମାମଲାରେ ଆଗୁଆ ଜାମିନ ମିଳେ ତେବେ ପୂର୍ବ ମାମଲାରେ ମୁକ୍ତ ହେବା ପରେ ସଂପୃକ୍ତ ଅଭିଯୁକ୍ତଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକ୍ଷମ ହେବ। ପୂର୍ବ ମାମଲାରେ ହେପାଜତରେ ଥିବା ବେଳେ ଜେରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ତଦନ୍ତକାରୀ ସଂସ୍ଥା ପଦକ୍ଷେପ ନେଇ ପାରିବ। ଯଦି ରିମାଣ୍ଡ ମଞ୍ଜୁର କରି ନିର୍ଦ୍ଦେଶ ପ୍ରଦାନ କରାଯାଏ ତେ‌ବେ ଅଭିଯୁକ୍ତ ଆଉ ଆଗୁଆ ଜାମିନ ପାଇଁ ଆବେଦନ କରିପାରିବେ ନାହିଁ। ଏଭଳି କ୍ଷେତ୍ରରେ ସେ ନିୟମିତ ଜାମିନ ଲୋଡ଼ି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ୍‌.କେ.ଷଡ଼ଙ୍ଗୀ ଓ ପ୍ରଥମ ପାତ୍ରଙ୍କ ପକ୍ଷରୁ ଦାୟର ପୃଥକ ଆଗୁଆ ଜାମିନ ଆବେଦନର ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି। ଏସ. କେ. ‌ଷଡ଼ଙ୍ଗୀ ବିରୋଧରେ ଇଓଡବ୍ଲୁରେ ମାମଲା ଥିବା ବେଳେ ପ୍ରଥମ କାଲିମେଳା ଥାନା ମାମଲାରେ ଗିରଫ ହୋଇଥିଲେ।

ଦୁଇ ଆବେଦନକାରୀ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ସେମାନଙ୍କ ବିରୋଧରେ ଅନ୍ୟ ଅପରାଧିକ ମାମଲା ରୁଜୁ ହୋଇଥିଲା। ଜେଲ୍‌ରେ ଥାଇ ନୂଆ ମାମଲାରେ ଆଗୁଆ ଜାମିନ ଲୋଡ଼ି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗୋଟିଏ ମାମଲାରେ ଗିରଫ ହୋଇ ଜେ୍‌ଲରେ ଥିବା ଅଭିଯୁକ୍ତ ତାଙ୍କ ବିରୋଧରେ ରୁଜୁ ଅନ୍ୟ ଏକ ମାମଲାରେ ଆଗୁଆ ଜାମିନ ଲୋଡ଼ି ଦାୟର କରିଥିବା ଆବେଦନ ଆଇନ ଅନୁସାରେ ଗ୍ରହଣୀୟ ବା ନୁହେଁ ସେ ନେଇ ଶୁଣାଣି ସମୟରେ ପ୍ରଶ୍ନ ଉଠିଥିଲା। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓ ଦେଶର ଅନ୍ୟ ହାଇକୋର୍ଟ ପ୍ରଦାନ କରିଥିବା ରାୟର ନଜିର ଉପସ୍ଥାପନ କରାଯାଇଥିଲା। ଏଥିସହିତ ସମ୍ବିଧାନ ପ୍ରଦତ୍ତ ବ୍ୟକ୍ତିଗତ ସ୍ବାଧୀନତା ମୌଳିକ ଅଧିକାର ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଅନୁସୂଚିତ ଜାତି ଓ ଜନଜାତିଙ୍କ ସୁରକ୍ଷା ପାଇଁ ରହିଥିବା ଆଇନରେ ରୁଜୁ ମାମଲାରେ ଆଗୁଆ ଜାମିନ ପ୍ରଦାନ ଉପରେ କଟକଣା ରହିଛି। ଏଭଳି କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ନୁହେଁ। କିନ୍ତୁ ଗୋଟିଏ ମାମଲାରେ ଗିରଫ ହୋଇ ଜେଲ‌୍‌ରେ ଥିବା ଅଭିଯୁକ୍ତ ତାଙ୍କ ବିରୋଧରେ ରୁଜୁ ଅନ୍ୟ ନୂଆ ମାମଲାରେ ସିଆର୍‌ପିସିର ଧାରା ୪୩୮ରେ ଆଗୁଆ ଜାମିନ ଦାୟର କରିବାରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର