ଝାଡ଼ଖଣ୍ଡ ଯୁବକଙ୍କୁ ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ, କାର୍‌-ମୋବାଇଲ୍‌ ସହ ୧ଲକ୍ଷ ଜବତ

ବ୍ରହ୍ମପୁର/ଦିଗପହଣ୍ଡି: ଝାଡ଼ଖଣ୍ଡର ଦୁଇଜଣ ଯୁବକଙ୍କୁ ଗଞ୍ଜାମରେ ଅପହରଣ ଓ ଲୁଟ୍‌ ଘଟଣାରେ ପୁଲିସକୁ ସଫଳତା ମିଳିଛି। ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କେ.ନୂଆଗାଁ ଥାନା ଦେଖାଳି ଗ୍ରାମର କୁନା ପ୍ରଧାନ(୨୩) ବୋଲି ଏଏସ୍‌ପି ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ଲୁଟ୍‌ ହୋଇଥିବା କାର୍‌, ମୋବାଇଲ୍‌ ଓ ୧ଲକ୍ଷ ଟଙ୍କା ଜବତ ହୋଇଛି। ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ କହିଛି।

ଝାଡ଼ଖଣ୍ଡ ରାଞ୍ଚିର ନରେଶ ସାହୁ ଓ କ୍ରିଷ୍ଣା କୁମାର ଗତ ୫ତାରିଖରେ ଏକ କାର୍‌ ଯୋଗେ ଭୁବନେଶ୍ବରରୁ ବ୍ରହ୍ମପୁର ଦେଇ ଗୁଣପୁର ଅଭିମୁଖେ ଯାଉଥିଲେ। ଚିକିଟି ରାସ୍ତା ଦେଇ ଯାଉଥିବା ବେଳେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଖାକିପଡ଼ା ନିକଟରେ କିଛି ବ୍ୟକ୍ତି ତାଙ୍କୁ ଅଟକାଇ ଥିଲେ। ସେହି ବ୍ୟକ୍ତିମାନେ ଉଭୟଙ୍କୁ ମାରଣାସ୍ତ୍ର ଦେଖାଇ ନାନା ଧମକ୍‌ ଦେଇ କାର୍‌କୁ କବ୍‌ଜା କରି ନେଇଥିଲେ। ବିଭିନ୍ନ ସ୍ଥାନ ବୁଲାଇବା ପରେ ଫୋନ୍‌-ପେ ମାଧ୍ୟମରେ ସମ୍ପର୍କୀୟଙ୍କ ଠାରୁ ୩ଲକ୍ଷ ୭୫ ହଜାର ଟଙ୍କା ମଗାଇ ନେଇ ଯାଇଥିଲେ। କାର୍‌ ମଧ୍ୟ ଲୁଟି ନେଇ ଉଭୟଙ୍କୁ ବ୍ରହ୍ମପୁରରେ ଛାଡ଼ି ଦେଇଥିଲେ। ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଲେ ଗଞ୍ଜେଇ ମାମଲାରେ ଫସାଇ ଦେବେ‌ ବୋଲି ଦୁର୍ବୃତ୍ତମାନେ ଚେତାବନୀ ଦେଇଥିଲେ। ଉଭୟେ ଭୟଭୀତ ହୋଇ ଭୁବନେଶ୍ବର ଚାଲି ଯାଇଥିଲେ।

ଗତ ୭ତାରିଖରେ ବ୍ରହ୍ମପୁର ଫେରି ଉଭୟେ ଏସ୍‌.ପି.ଙ୍କ ନିକଟରେ ଅଭିଯୋଗ କରିଥିଲେ। ବ୍ରହ୍ମପୁର ଏସ୍‌.ପି.ଙ୍କ ନିର୍ଦ୍ଦେଶ କ୍ରମେ ଦିଗହପହଣ୍ଡି ଥାନାରେ କେସ୍ ନମ୍ବର ୧୯୭/୨୨ରେ ଏକ ଡକାୟତି ମାମଲା ରୁଜୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ଘଟଣାର ମୁଖ୍ୟ ଅଭିଯୁକ୍ତ କୁନାକୁ ଗିରଫ କରିଛି। ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର