ମେଟ୍ରୋ ଟ୍ରେନ୍ ଡିପିଆର୍‌: ଯୋଜନା ରିପୋର୍ଟ ମାଗିଲା ଡିଏମ୍‌ଆର୍‌ସି

୨୦୧୮ ମସିହା ରିପୋର୍ଟ ଦେବାକୁ ଯୋଜନା!

ଭୁବନେଶ୍ବର : ରାଜ୍ୟ ସରକାର ଭୁବନେଶ୍ବର ବିମାନବନ୍ଦରରୁ କଟକର ତ୍ରିଶୁଳିଆକୁ ମେଟ୍ରୋ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଡିପିଆର୍ ପ୍ରସ୍ତୁତ କରିବା ଦାୟିତ୍ବ ଓଡ଼ିଶା ରେଳ ଭିତ୍ତିଭୂମି ଉନ୍ନୟନ ସଂସ୍ଥା ଲିମିଟେଡ (ଓଆର୍‌ଆଇଡିଏଲ୍‌) ମାଧ୍ୟମରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍‌ଆର୍‌ସି)କୁ ଦିଆଯାଇଛି। ଏପଟେ ଡିଏମ୍‌ଆର୍‌ସି ଡିପିଆର୍ ପ୍ରସ୍ତୁତ କରିବା ପୂର୍ବରୁ ଓଆର୍‌ଆଇଡିଏଲ୍‌କୁ ଭୁବନେଶ୍ବର ନେଇ ପ୍ରସ୍ତୁତ ହୋଇଥିବା ବିସ୍ତୃତ ଗମନାଗମନ ଯୋଜନା (ସିଏମ୍‌ପି) ରିପୋର୍ଟ ମାଗିଛି। ‌କର୍ତ୍ତୃପକ୍ଷ କହିଛନ୍ତି, ଏହି ରିପୋର୍ଟ ତୁରନ୍ତ ଦେଲେ ଯାଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ। ହେଲେ ନଗର ଉନ୍ନୟନ ବିଭାଗ ପାଖରେ ଏବେ ବିସ୍ତୃତ ରିପୋର୍ଟ ନାହିଁ। ଏଣୁ ୨୦୧୮ ମସିହାରେ ବିଡିଏ ପକ୍ଷରୁ ଜିଆଇଜେଡ୍‌ ସହାୟତାରେ ପ୍ରସ୍ତୁତ ହୋଇଥିବା ରିପୋର୍ଟ ପ୍ରଦାନ କରିବାକୁ ଯୋଜନା ହେଉଥିବା ଜଣାପଡ଼ିଛି।

ଦିଲ୍ଲୀ ମେଟ୍ରୋ ରେଳ ନିଗମ କର୍ତ୍ତୃପକ୍ଷ କହିଛନ୍ତି ଯେ ଭୁବନେଶ୍ବରରେ କେଉଁ ପ୍ରକାରର ଗାଡ଼ି ଚଳାଚଳ ନେଇ ରାଜ୍ୟ ସରକାରଙ୍କର କ’ଣ ଯୋଜନା ଅଛି, କେଉଁ ଅଞ୍ଚଳରେ କେତେ ଫୁଟର ରାସ୍ତା ଅଛି ଏବଂ ଭବିଷ୍ୟତରେ ଏହାକୁ କେତେ ସମ୍ପ୍ରସାରଣ କରାଯିବ, କେଉଁ ଅଞ୍ଚଳରେ ନୂଆ ରାସ୍ତା ନିର୍ମାଣ କରିବାକୁ ଯୋଜନା ଅଛି, କେଉଁଠି ଭବିଷ୍ୟତରେ ସମ୍ପ୍ରସାରଣ ହେବ, କେତେ ଜମି କେଉଁଠି ଅଛି ଓ ସେଠାରେ କ’ଣ କରିବାକୁ ଯୋଜନା ଅଛି ତା’ର ରିପୋର୍ଟ ଦରକାର। ଏହାସହ ଭୁବନେଶ୍ବରର ୬୭ଟି ଯାକ ୱାର୍ଡର ମ୍ୟାପ୍, ସୀମା ଏବଂ କେଉଁ ୱାର୍ଡରେ କେତେ କର୍ମଜୀବୀ ଲୋକ ଅଛନ୍ତି ତା’ର ତଥ୍ୟ ସଂଗ୍ରହ କରିକି ଦିଅନ୍ତୁ। ଭୁବନେଶ୍ବରରେ କେଉଁ ରୁଟ୍‌ରେ କେତେ ସିଟି ବସ୍ (ମୋ ବସ୍‌) ଚଳାଚଳ କରୁଛି, କେତେ ଲୋକ ଦୈନନ୍ଦିନ ଯାତାୟତ କରୁଛନ୍ତି, କେଉଁଠି କେତେ ଷ୍ଟପେଜ୍ ଅଛି, କେଉଁ ଅଞ୍ଚଳର ବାସିନ୍ଦା ଅଧିକ ସିଟି ବସ୍‌ ବ୍ୟବହାର କରୁଛନ୍ତି, ଭବିଷ୍ୟତରେ କେଉଁ ଅଞ୍ଚଳକୁ ସମ୍ପ୍ରସାରଣ କରାଯିବ ତା’ର ମଧ୍ୟ ରିପୋର୍ଟ ମାଗିଛି ନିଗମ।

Telegraph India

ସେହିଭଳି ସିଟି ବସ୍‌ରେ ମେଟ୍ରୋ ଚାଲିବାକୁ ଥିବା ଅଞ୍ଚଳ ଭିତରେ କେତେ ଲୋକ ଯାତାୟତ କରୁଛନ୍ତି, ଆଗକୁ ମେଟ୍ରୋ ‌େଟ୍ରନ୍ କେଉଁ ଅଞ୍ଚଳକୁ ସମ୍ପ୍ରସାରିତ ହେବ, ସେଠାକୁ ‌ସିଟି ବସ୍ ଚାଲୁଛି ନା ନାହିଁ, ନିୟମିତ ସିଟି ବସ୍‌ରେ ଯାତାୟତ କରୁଥିବା ଲୋକସଂଖ୍ୟା ହାରାହାରି କେତେ? କେଉଁ ବସଷ୍ଟାଣ୍ଡରୁ କେତେ ଲୋକ ବସ୍‌ରେ ଚଢ଼ୁଛନ୍ତି, କେତେ ଲୋକ କେଉଁଠି ଓହ୍ଲାଉଛନ୍ତି ସେ ତଥ୍ୟ ଦେବାକୁ ହେବ। ଭୁବନେଶ୍ବରରେ ଗତ ୧୦ବର୍ଷରେ କେତେ ଗାଡ଼ି ପଞ୍ଜୀକୃତ ହୋଇଛି। ଏଥିରେ ବାଇକ୍, ସ୍କୁଟି, କାର୍‌, ଅଟୋ, ବସ୍‌ ଆଦି କେତେ ଅଛି ତା’ର ବିସ୍ତୃତ ରିପୋର୍ଟ ମଧ୍ୟ ଦେବାକୁ କୁହାଯାଇଛି।

ରାଜ୍ୟ ସରକାର ଧାର୍ଯ୍ୟ ସମୟରେ ମେଟ୍ରୋ ରେଳ ପ୍ରକଳ୍ପ କରିବାକୁ ଯୋଜନା କରିଥିବାରୁ ଏଲିଭେଟେଡ୍ କରିଡରରେ ମେଟ୍ରୋ ଚଳାଚଳ ନେଇ ଡିପିଆର୍ ପ୍ରସ୍ତୁତ କରିବାକୁ ହେଲେ ଏହି ସବୁ ତଥ୍ୟ ଠିକ୍ ସମୟରେ ମିଳିବା ଦରକାର। ଏନେଇ ଓଆର୍‌ଆଇଡିଏଲ୍‌ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ଯୋଗାଯୋଗ କରି ରିପୋର୍ଟ ଦେବାକୁ ଡିଏମ୍‌ଆର୍‌ସି ପକ୍ଷରୁ କୁହାଯାଇଛି।
ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ବିସ୍ତୃତ ଗମନାଗମନ ଯୋଜନାରେ ଆମକୁ ରାଜଧାନୀରେ ପବ୍ଲିକ ଟ୍ରାନ୍ସପୋର୍ଟରେ କେତେ ଲୋକ ଯାଉଛନ୍ତି, କେତେ ଲୋକ କାର୍‌ରେ ଯାତାୟତ କରୁଛନ୍ତି, କେତେ ସାଇକେଲ୍‌, ଅଟୋ, ଚାଲିକି ଯାଉଛନ୍ତି ତା’ର ରିପୋର୍ଟ ଦେବାକୁ ହେବ। ଏହାସହ କେଉଁ ଅଞ୍ଚଳରେ ଓଭରବ୍ରିଜ୍ ନିର୍ମାଣ କରିବାକୁ ଯୋଜନା ଅଛି, ପାର୍କିଂ ସୁବିଧା କରିବୁ, ନୂଆ ରାସ୍ତା ନିର୍ମାଣ କରିବୁ ତା’ର ତଥ୍ୟ ବି ଦେବାକୁ ହେବ।

Image Courtesy of The Economic Times

ରାଜଧାନୀରେ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ୨୦୧୮ରେ ବିଡିଏ ପକ୍ଷରୁ ଜିଆଇଜେଡ୍‌ ସହାୟତାରେ କମ୍‌ ଅଙ୍ଗାରକାମ୍ଳ ଗମନାଗମନ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହା ଅନୁଯାୟୀ, ୨୦୧୮ରେ ଭୁବନେଶ୍ବରରେ ୧୧ଲକ୍ଷ ବାସିନ୍ଦା ଥିବାବେଳେ ୨୦୪୦ରେ ଏହା ୨୦ଲକ୍ଷରେ ପହଞ୍ଚିବ ବୋଲି ଅନୁମାନ କରାଯାଇଥିଲା। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜଧାନୀରେ ଯାନ ସଂଖ୍ୟା ବାର୍ଷିକ ୧୧%ବୃଦ୍ଧି ପାଉଛି। ମୋଟ୍ ୧୪୯୮କିମି ରାସ୍ତା ଥିବାବେଳେ ୧୨୦କିମିର ଫୁଟପାଥ୍‌, ୪୦କିମିର ସାଇକେଲ୍‌ ଟ୍ରାକ୍, ୨୦୦ ବସ୍‌ରେ ୮୫ହଜାର ଲୋକ ଯାତାୟତ କରୁଛନ୍ତି, ୨୦ହଜାର ଅଟୋ ଏବଂ ୫ହଜାର ଟ୍ୟାକ୍ସି ଥିଲା।

ସେହିପରି ୫୩% ଲୋକ ଦୁଇଚକିଆ ଯାନରେ ଯାତାୟତ କରୁଥିବାବେଳେ କାର୍‌ରେ ୭%, ଟ୍ୟାକ୍ସିରେ ୧%, ଅଟୋ ରିକ୍ସାରେ ୧୬%, ସାଇକେଲ୍‌ରେ ୫%, ଚାଲିକି ୭%, ବସ୍‌ରେ ୧୦% ଲୋକ ଯାତାୟତ କରୁଛନ୍ତି। ମାତ୍ର ୨୭% ଲୋକ ସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭର କରୁଥିବା ଜଣାପଡ଼ିଥିଲା। ଏବେ ସର୍ଭେ ହେଲେ ଏହା ବଢ଼ିପାରେ। ତେଣୁ ପୁନଃ ସର୍ଭେ କରି ରିପୋର୍ଟ ‌ଦେଲେ ଅଧିକ ସମୟ ଲାଗିବ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଥିବାରୁ ଉପରିସ୍ଥ ଅଧିକାରୀ ସେହି ପୁରୁଣା ରିପୋର୍ଟ ଦେବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର