ବିଜେଡ଼ି ମଞ୍ଚରେ ସ୍ବାଧୀନ ବିଧାୟକଙ୍କ ଉପସ୍ଥିତି ନେଇ କାଶୀପୁରରେ ଦଳୀୟ ସଙ୍ଗଠନରେ ଅସନ୍ତୋଷ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସଭାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ରାୟଗଡ଼ା: ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ନେଇ ବିଜେଡ଼ି ରାଜନୀତି ଅଡ଼ୁଆ ହେବାରେ ଲାଗିଛି। ଦଳୀୟ କାର୍ଯ୍ୟକ୍ରମରେ ମକରନ୍ଦଙ୍କ ଉପସ୍ଥିତିକୁ ବିଜେଡ଼ି ନେତା-କର୍ମୀ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି, ଔପଚାରିକ ଭାବେ ମକରନ୍ଦ ଦଳରେ ସାମିଲ୍ ହୋଇ ନଥିଲେ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେବାକୁ ରାଜି ହୋଇଥିବାରୁ ଅଘୋଷିତ ଭାବେ ଦଳର ଉପର ମହଲ ନେତାଙ୍କ ଚାପରେ ଜିଲ୍ଲା ସଂଗଠନ ଓ କର୍ମକର୍ତ୍ତା ମୁହଁ ଖୋଲି ପାରୁନାହାନ୍ତି । ଦୀର୍ଘ ଦିନ ଧରି ଲାଗି ରହିଥିବା ଚାପା ଗୁଞ୍ଜରଣ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସଭାରେ ପଦାରେ ପଡ଼ିଛି।

ସୂଚନା ଅନୁସାରେ, କାଶୀପୁର ବ୍ଲକର ୨୮ ପଞ୍ଚାୟତ ଓ ରାୟଗଡ଼ା ବ୍ଲକର ୪ ପଞ୍ଚାୟତବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ୨୯୮ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପରେ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗତ ୧୧ ତାରିଖରେ ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ ତାଙ୍କ ପରାମର୍ଶଦାତା କୃଷ୍ଣ ମହାପାତ୍ର ସାମିଲ୍ ହୋଇଥିଲେ।

ବିଜେଡ଼ିର ଦଳୀୟ ମଞ୍ଚରେ ବସି ମକରନ୍ଦ ଓ କୃଷ୍ଣ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନରେ ବିଜେଡ଼ି ପରାଜୟରେ ମୁଖ୍ୟ କାରଣ ସାଜିଥିବା ମକରନ୍ଦ ଓ କୃଷ୍ଣଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ୍ କରିବାକୁ ବହୁ ନେତା-କର୍ମୀ ସହ୍ୟ କରିପାରିନଥିଲେ। ଏହା ପୂର୍ବରୁ ଗଜପତି, ମାଲକାନଗିରିରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମକରନ୍ଦଙ୍କ ଉପସ୍ଥିତି ବିଜେଡ଼ିରେ ମକରନ୍ଦଙ୍କ ସାମିଲକୁ ନେଇ ଚର୍ଚ୍ଚାର ଖୋରାକ୍ ଯୋଗାଇଥିଲା।

ବୁଧବାର କାଶୀପୁରରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସଭାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଲା ବିଜେଡ଼ି ସଭାପତି ସୁଧୀର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଦଳର ବରିଷ୍ଠ ରାଜ୍ୟ ସଂପାଦକ ଜଗଦୀଶ ପାତ୍ର, ଚନ୍ଦ୍ରକାନ୍ତ ସାମଲ୍ ଯୋଗଦେଇଥିଲେ। କିନ୍ତୁ କୃତଜ୍ଞତା ସଭାରେ ସ୍ବାଧୀନ ବିଧାୟକ ମକରନ୍ଦଙ୍କୁ ମଞ୍ଚକୁ ନିମନ୍ତ୍ରଣ କରାଯାଇଥିବା ବେଳେ କାଶୀପୁରରେ ବିଜେଡ଼ି ସଂଗଠନ ସମ୍ଭାଳୁଥିବା ଜଗଦୀଶ ପାତ୍ର, ବ୍ଲକ୍ ଉପାଧ୍ୟକ୍ଷ ଶଙ୍କର୍ଷଣ ନାୟକଙ୍କୁ ଉପେକ୍ଷା କରାଯାଇଥିଲା। ଏହାକୁ ନେଇ ଦଳୀୟ କର୍ମୀ ଉତ୍ତ୍ୟକ୍ତ ହେବା ସହ ବରିଷ୍ଠ କର୍ମକର୍ତ୍ତାକୁ ଘେରିଥିଲେ। ବିଧାୟକ କେବେଠୁ ବିଜେଡ଼ିରେ ଯୋଗଦେଲଣି, କିଏ ତାଙ୍କୁ ସାମିଲ୍ କରିଛି ବୋଲି କହି କର୍ମୀମାନେ ହୋ ହାଲ୍ଲା କରିଥିଲେ। ଏପରିକି ଜଗଦୀଶ ପାତ୍ର, ବ୍ଲକ୍ ଉପାଧ୍ୟକ୍ଷ ଶଙ୍କର୍ଷଣ ନାୟକଙ୍କୁ ମଞ୍ଚରେ ବସାଯାଇନଥିବା ବେଳେ ମଞ୍ଚ ସମ୍ମୁଖରେ ଉପସ୍ଥିତ ଥିବା କୃଷ୍ଣ ମହାପାତ୍ରଙ୍କୁ  ମଞ୍ଚରେ ବସାଯିବା ପରେ ବିବାଦ ଉଗ୍ର ରୂପ ନେଇଥିଲା।

ବିରୋଧ ପରେ ଅନ୍ୟ ଦୁଇଟି ଚେୟାର ଆଣି ଜଗଦୀଶ ପାତ୍ର ଓ ବ୍ଲକ୍ ଉପାଧ୍ୟକ୍ଷଙ୍କୁ ବସାଯାଇଥିଲା।  ଅନ୍ୟପକ୍ଷରେ ମଞ୍ଚ ବାହାରେ ମଧ୍ୟ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । କୃତଜ୍ଞତା ସଭାରେ ଯୋଗଦେବାକୁ ଯାଇଥିବା ମନ୍ତ୍ରୀ, ଜିଲ୍ଲା ସଭାପତି ଓ ଅନ୍ୟ କର୍ମକର୍ତ୍ତାଙ୍କୁ ପୃଥକ ପୃଥକ ଭାବେ ଦୁଇ ଗୋଷ୍ଠୀ ସ୍ବାଗତ କରିଥିଲେ, ଯାହା ବିଜେଡ଼ି ବିବାଦକୁ ପଦାରେ ପକାଇଛି। ବିଜେଡ଼ିରେ ମିଶ୍ରଣକୁ ନେଇ ମକରନ୍ଦଙ୍କ କହିବା କଥା, ସ୍ବାଧୀନ ବିଧାୟକଙ୍କ କୌଣସି ଦଳ ନାହିଁ। ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଆମେ ସରକାରଙ୍କୁ ସମର୍ଥନ କରୁଛୁ। ନିର୍ବାଚନ ପରଠୁ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଆମେ ସମର୍ଥନ କରି ଆସୁଛୁ ବୋଲି ମକରନ୍ଦ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ମକରନ୍ଦ କଂଗ୍ରେସ ଟିକେଟରୁ ବଞ୍ଚିତ ହେବା ପରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ବିଜେଡ଼ିର ହେଭିୱେଟ୍ ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକାଙ୍କୁ ୪ ହଜାର ୮୭୦ ଭୋଟରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର