ପରିବାର ନିୟୋଜନ କାର୍ଯ୍ୟକ୍ରମ ପାଇଁ ନୂଆ ପଦକ୍ଷେପ: ଆୟୋଜିତ ହେବ ‘ଶାଶୁ-ବୋହୂ’ ସମ୍ମିଳନୀ

ଭୁବନେଶ୍ବର : ରାଜ୍ୟରେ ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ଅଧିକ ଲୋକପ୍ରିୟ କରିବା ଲାଗି ଆୟୋଜିତ ହେବ ‘ଶାଶୁ-ବୋହୂ’ ସମ୍ମିଳନୀ। ରାଜ୍ୟରେ ଥିବା ସ୍ବାସ୍ଥ୍ୟ ଓ ୱେଲନେ୍‌ସ କେନ୍ଦ୍ରଗୁଡ଼ିକରେ ଦୁହେଁ ଏକାଠି ହେବା ସହିତ ପରିବାର ନିୟୋଜନ ସଂପର୍କରେ ସେମାନଙ୍କୁ ସଚେତନ କରାଯିବ। ପରବର୍ତୀ ସମୟରେ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଆସନ୍ତା ଏକ ମାସ ଭିତରେ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସ୍ବାସ୍ଥ୍ୟ ଓ ୱେଲନେସ୍‌ କେନ୍ଦ୍ରରେ ଦୁହେଁ ଏକାଠି ହେବ, ଦିଆଯିବ ପୁରସ୍କାର
ଅକ୍ଟୋବର ସୁଦ୍ଧା ଆରମ୍ଭ ହେବ ଯୋଜନା

ରାଜ୍ୟରେ ସମୁଦାୟ ପ୍ରଜନନ ହାର ବା ଟିଏଫ୍‌ଆର ୧.୮ ରହିଛି। ଯାହାକି ଜାତୀୟ ହାର(୨) ତୁଳନାରେ କମ୍। ଓଡ଼ିଶାର ପ୍ରଜନନ ହାର ଜାତୀୟ ହାରଠାରୁ କମ୍ ଥିଲେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ପରିବାର ନିୟୋଜନକୁ ଅଧିକ ତ୍ବରାନ୍ବିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଶାଶୁ ହେଉଛନ୍ତି ଘରର ମୁରବି। ତେଣୁ ପରିବାର ନିୟୋଜନ କ୍ଷେତ୍ରରେ ତାଙ୍କର ଏକ ବଡ଼ ଭୂମିକା ରହିଛି। ଏ ଦୃଷ୍ଟିରୁ ଉଭୟ ଶାଶୁ-ବୋହୂଙ୍କୁ ନେଇ ସ୍ବାସ୍ଥ୍ୟ ଓ ୱେଲନେସ କେନ୍ଦ୍ରରେ ଏକ କ୍ୟାମ୍ପ ଅନୁଷ୍ଠିତ ହେବ। ସେଠାରେ ପରିବାର ନିୟୋଜନ ସଂପର୍କରେ କାଉନ୍‌ସେଲିଂ କରାଯିବ। କାଉନ୍‌ସେଲିଂ କେନ୍ଦ୍ରରେ ଏଏନ୍‌ଏମ୍‌, ଆଶା ଓ ଡାକ୍ତର ଉପସ୍ଥିତ ରହିବେ। କାଉନ୍‌ସେଲିଂ ପରେ ଶାଶୁ-ବୋହୂଙ୍କ ଏକାଧିକ ଗୋଷ୍ଠୀଙ୍କୁ ନେଇ ପ୍ରତିଯୋଗିତା ଆୟୋଜିତ ହେବ। ଶ୍ରେଷ୍ଠ ଶାଶୁ-ବୋହୂଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ୧୬ଶହ ଟଙ୍କାର ବଜେଟ୍‌ ରଖାଯାଇଛି। ସ୍ବାସ୍ଥ୍ୟ ଓ ୱେଲନେସ କେନ୍ଦ୍ରକୁ ଶାଶୁ-ବୋହୂଙ୍କୁ ଆଣୁଥିବା ଆଶା ଦିଦିକୁ ଶହେ ଟଙ୍କା, କ୍ୟାମ୍ପ ପାଇଁ ୫ଶହ ଓ ପୁରସ୍କାର ବାବଦକୁ ପ୍ରାୟ ୧ହଜାର ଟଙ୍କା ରଖାଯାଇଛି।

ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ, ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ପିଆଇପି(କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ଯୋଜନା)ରେ ଶାଶୁ-ବୋହୂ ସମ୍ମିଳନୀ ସଂପର୍କରେ ଅନୁମୋଦନ ଦିଆଯାଇଛି। ତେଣୁ ଆସନ୍ତା ମାସ ଶେଷ ସପ୍ତାହ କିମ୍ବା ଅକ୍ଟୋବର ମାସରେ ଏହାକୁ ଆରମ୍ଭ କରିବା ଲାଗି ଯୋଜନା ହୋଇଛି। ଯାହାଫଳରେ ଲୋକମାନଙ୍କ ମଧ୍ୟରେ ପରିବାର ନିୟୋଜନ ଲୋକପ୍ରିୟ ହୋଇପାରିବ। ଘରେ ଶାଶୁଙ୍କ ପ୍ରମୁଖ ଭୂମିକା ରହିଥିବାରୁ ତାଙ୍କୁ ଏହି ସମ୍ମିଳନୀକୁ ଡକାଯିବ। ତେବେ ଏହି ଯୋଜନା କେବଳ ଓଡ଼ିଶାରେ ଆରମ୍ଭ ହେବ କି ଅନ୍ୟ ରାଜ୍ୟରେ ବି କାର୍ଯ୍ୟକାରୀ ହେଉଛି ତାହା ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ସେହିପରି ନବ ବିବାହିତ ଦମ୍ପତ୍ତିଙ୍କୁ ‘ବିବାହ କିଟ୍‌’ ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଥିରେ ଗର୍ଭ ନିରୋଧକ ବଟିକା, କଣ୍ଡୋମ ଓ ଅନ୍ୟାନ୍ୟ ଜରୁରୀକାଳୀନ ଔଷଧ ରହିଛି। ଆଶା ଦିଦିମାନେ ବାହାଘର ଭୋଜି ଦିନ ସରକାରଙ୍କ ଏହି ଉପହାରକୁ ପ୍ରଦାନ କରିବେ। ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ରଭାବେ ତାଲିମ୍ ପ୍ରଦାନ କରାଯାଇଥିବା‌ ଡାକ୍ତର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର