ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଏକ ଛୋଟିଆ ଗାଁ ଢୁଟିଗୁଡ଼ାର ଆଦିବାସୀ ଯୁବକ ‘ମନ ପେଣ୍ଟିଆ’। ଗାଁର ପ୍ରଥମ ଯୁବକ ଭାବେ ଓଡିଶା ପୁଲିସରେ ଯୋଗ ଦେଇଛନ୍ତି। ଏହି ନିଯୁକ୍ତି ପାଇ ସେ ଗାଁକୁ ଆସିବା ପରେ ଗାଁରେ ତାଙ୍କୁ ଗାଁର ଶିକ୍ଷିତ ଯୁବକ ଓ ଯୁବତୀମାନେ ସମ୍ବର୍ଦ୍ଧନା ଦେଇଥିଲେ। ଆଜିର ଦିନରେ ଗାଁ ଗହଳିରେ ଯୁବବର୍ଗ ମିଳିମିଶି ରହୁନଥିବା ବେଳେ ଏହି ଗାଁର ଯୁବବର୍ଗ ଏଭଳି ଏକତ୍ରିତ ହେବା ଏବଂ ନିଜ ମଧ୍ୟରୁ ଜଣେ ନିଯୁକ୍ତି ପାଇବା ପରେ ସମ୍ବର୍ଦ୍ଧିତ କରିବା ନିଶ୍ଚିତ ରୂପେ ଅନ୍ୟ ଗାଁକୁ ପ୍ରେରଣା ଯୋଗ୍ୟ।
ସୂଚନାଯୋଗ୍ୟ, ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତ ଅର୍ନ୍ତଗତ ହରଡାପୁଟ ନିକଟରେ ୫୦ଟି ଘରକୁ ନେଇ ରହିଛି ଢ଼ୁଟିଗୁଡା ଗାଁ। ଗାଁରେ ପେଣ୍ଟିଆ, ଭୁମିଆ, ରଣା ଓ ଅନୁସୂଚିତ ଜାତି ଓ ଖ୍ରୀଷ୍ଠୀୟ ସଂପ୍ରଦାୟର ଲୋକେ ବସ ବାସ କରୁଛନ୍ତି। ଗାଁ ଛୋଟ ହେଲେ ବି ଏହି ଗାଁରୁ ୬ଜଣ ସ୍ନାତକ ପଢ଼ି ସାରିଥିବା ବେଳେ ୩ଜଣ ଶିକ୍ଷକ, ଜଣେ ଭୁବନେଶ୍ବର ଖଦି ବୋର୍ଡରେ ଅମଲା ଭାବେ କାର୍ଯ୍ୟ କରୁଛନ୍ତି। ଗାଁର ୫ଜଣ ପିଲା ଏବେ ଜୟପୁରର ବିଭିନ୍ନ ମହାବିଦ୍ୟାଳୟରେ ସ୍ନାତକ ପଢ଼ୁଛନ୍ତି। ସେଭଳି ଦଶମ ଓ ଯୁକ୍ତ ୨ରେ ବି ୪ଜଣ ପଢ଼ୁଛନ୍ତି। ଏଠାକାର ଜଣେ ଛାତ୍ର ଭୁବନେଶ୍ବର ବିଜେବି କଲେଜରେ ବି ପଢ଼ୁଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ଜଣେ ଗାଁର ମନ ପେଣ୍ଟିଆ। ସେ କୋରାପୁଟ ପୁଲିସ ହାଇସ୍କୁଲରେ ପଢ଼ିବା ପରେ ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ (ଏବେ କାର ବିଶ୍ବବିଦ୍ୟାଳୟ)ରେ ସ୍ନାତକ ପଢ଼ିଥିଲେ। ଏହାରି ମଧ୍ୟରେ ବାହାରିଥିବା ପୁଲିସ ନିଯୁକ୍ତିର ସାକ୍ଷାତକାର ଦେବା ପରେ ତାଙ୍କୁ ଚୟନ କରାଯାଇଥିଲା। ଗାଁର ପ୍ରଥମ ଯୁବକ ପୁଲିସ ନିଯୁକ୍ତିପାଇଥିବାରୁ ସମ୍ବର୍ଦ୍ଧନା ସଭା ଶିକ୍ଷକ ପ୍ରହ୍ଲାଦ ପେଣ୍ଟିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମନକୁ ନମିତା, ଡମ୍ବୁରୁ ଆଦି ଭାଗ ନେଇ ଉପଢ଼ୈକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷା ହିଁ ଏକମାତ୍ର ଅସ୍ତ୍ର ଯାହା ସବୁ ସମସ୍ୟାର ସମାଧାନ କରି ପାରିବ ବୋଲି ମନ କହିଥିଲେ।
ଏହା ସହ ଦେଶ ମାତୃକାର ସେବା ପାଇଁ ପୁଲିସ, ସୈନ୍ୟବାହିନୀ ଓ ସମାଜସେବା ଆଦି କରିବାକୁ ଅନୁରୋଧ କରିଥିଲେ ମନ। ଅଧା ପାଠ ପଢ଼ି ବହୁ ପିଲା ରହି ଯାଉଥିବାରୁ ଉଚ୍ଚଶିକ୍ଷା ଲାଭ କରି ସରକାର ଦେଇଥିବା ସୁଯୋଗର ସଦୁପଯୋଗ କରି ନିଜ ଅଂଚଳର ଲୋକଙ୍କର ସେବା କରନ୍ତୁ ବୋଲି ମନ କହିଥିଲେ। ଏହି ଗାଁରେ ଯୁବବର୍ଗ ମଧ୍ୟରେ ରହିଥିବା ଭାଇଚାରା ଓ ପ୍ରତ୍ସାହନ ଅନ୍ୟ ଗାଁରେ ଦେଖିବାକୁ ମିଳୁନି। ଏହା ନିଶ୍ଚିତ ରୁପେ ଅନ୍ୟ ଗାଁ ପାଇଁ ମାର୍ଗଦର୍ଶନ ସାଜୁ ବୋଲି କହିଛନ୍ତି ପ୍ରହ୍ଲାଦ।