ମହିଳା ପୁଲିସ ଏସ୍ଆଇଙ୍କ ଆତ୍ମହତ୍ୟା: ଧାରଣାରୁ ଉଠିଲେ ପରିବାର ଲୋକ, ହେଲା ଶବ ବ୍ୟବଚ୍ଛେଦ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଆଦର୍ଶ ଥାନାର ମହିଳା ପୁଲିସ ଏସ୍ଆଇ ସ୍ବାଗତିକା ବେହେରାଙ୍କ ଆତ୍ମହତ୍ୟା କରିବାର ପ୍ରାୟ ୪୦ ଘଣ୍ଟା ପରେ ଶବ ବ୍ୟବଚ୍ଛେଦ ହୋଇଥିବା ଜଣାଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଶବ ବ୍ୟବଚ୍ଛେଦ ହୋଇଛି। ଥାନା ଆଗରେ ପରିବାର ଲୋକଙ୍କ ଧାରଣା ଯୋଗୁଁ ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା। ତେବେ ସେମାନେ ଧାରଣାରୁ ହଟିବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି। ଏବେ ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଛି।


ସୂଚନାଯୋଗ୍ୟ, ମହିଳା ଥାନାଧିକାରୀ ରେବତୀ ଶବରଙ୍କୁ ତାଙ୍କ ଝିଅର ମୃତ୍ୟୁ ପାଇଁ ଦାୟୀ କରି ମହିଳା ପୁଲିସ ଏସ୍ଆଇ ସ୍ବାଗତିକା ବେହେରାଙ୍କ ମା ଉଷାରାଣୀ ବେହେରା ଏତଲା ଦାୟର କରିଥିବା ବେଳେ ତାଙ୍କୁ ଗିରଫ ଦାବିରେ ପରିବାର ଲୋକେ ଅଡ଼ି ବସିଥିଲେ। ଘଟଣାସ୍ଥଳରେ କନ୍ଧମାଳ ଏସ୍.ପି ଭିନୀତ୍ ଅଗ୍ରୱାଲ୍ ପହଞ୍ଚି ପରିବାରବର୍ଗଙ୍କୁ ବୁଝାସୁଝା କରିଥିଲେ। ଶେଷ ଖବର ଅନୁସାରେ ଏହି ଘଟଣାରେ ଆଇଆଇସି ରେବତୀ ଶବରଙ୍କୁ ଘୁ.ଉଦୟଗିରି ଥାନାରୁ ହଟାଯାଇ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରା ଯାଇଥିବା ଜଣାପଡ଼ିଥିଲା। ଏହାପରେ ପରିବାର ଲୋକେ ରାତି ୮ଟାରେ ଧାରଣାରୁ ହଟିଥିବା ବେଳେ ଶବ ବ୍ୟବଚ୍ଛେଦ କରାଇବା ପାଇଁ ରାଜି ହୋଇଥିଲେ।


ଗତ ୨୭ ତାରିଖ ରାତି ୧୧ଟାରେ ସ୍ବାଗତିକାଙ୍କ ମାଆ ଉଷାରାଣୀ ବେହେରା ଏସ୍ଡିପିଓ ଡି.ତିରୁପତି ରାଓ ପଟ୍ଟନାୟକଙ୍କୁ ଏତଲା ଦେଇଥିଲେ। ଏହା ଆଧାରରେ କେସ୍ ନଂ ୧୩୦/୨୨ରେ ଆଇପିସି ଧାରା ୩୦୬ ଓ ପ୍ରିଭେନ୍ସନ୍ ଅଫ ଆଟ୍ରସିଟି ଆକ୍ଟର ଧାରା ୩(୧)ରେ ମାମଲା ରୁଜୁ ହୋଇଛି। ଏସ୍.ପିଙ୍କ ନିର୍ଦେଶ କ୍ରମେ ମାମଲାର ତଦନ୍ତ ଭାର ଫୁଲବାଣୀ ପୁଲିସ ମୁଖ୍ୟାଳୟର ଡିଏସ୍ପି ବିଶ୍ବାମିତ୍ର ହରପାଲ୍ଙ୍କୁ ଦିଆଯାଇଛି। ଆଜି ସକାଳୁ ମୃତ ପୁଲିସ ଏସ୍ଆଇଙ୍କ ପରିବାର ସଦସ୍ୟ ସ୍ଥାନୀୟ ଗାନ୍ଧିଛକରୁ ଏକ ବ୍ୟାନର ଧରି ଥାନା ପର୍ଯ୍ୟନ୍ତ ଯାଇ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଥାନା ଅଧିକାରୀ ରେବତୀ ଶବରଙ୍କୁ ଗିରଫ ଓ ଚାକିରିରୁ ବହିଷ୍କାର କଲେ ହିଁ ସେମାନେ ଧାରଣାରୁ ହଟିବେ ବୋଲି ଜିଦ୍ରେ ଅଟଳ ରହିଥିଲେ। ମରଶରୀର ପଞ୍ଚନାମା ନିମନ୍ତେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ଏସ୍ଡିପିଓ ପରିବାରବର୍ଗଙ୍କୁ ବହୁ ସମୟ ଧରି ବୁଝାସୁଝା କରିବା ସତ୍ତ୍ବେ କୌଣସି ସୁଫଳ ମିଳି ନଥିଲା। ଅପରାହ୍ଣରେ ଏସ୍.ପି ଶ୍ରୀ ଅଗ୍ରୱାଲ୍ ପହଞ୍ଚି ଧାରଣାରେ ବସିଥିବା ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ପରିବାର ଲୋକେ ସହଯୋଗ କଲେ ଆଇନ ଅନୁସାରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆଇଆଇସିଙ୍କୁ ବଦଳି ପରେ ରାତି ୮ଟାରେ ସମାଧାନର ବାଟ ଫିଟିଥିଲା।

ସମ୍ବନ୍ଧିତ ଖବର