ଶ୍ରୀକ୍ଷେତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଶ୍ରୀଜିଉଙ୍କ ଦର୍ଶନ କରିବେ

ପୁରୀ: ପୁରୀରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ସେ ତାଳବଣିଆ ହେଲିପ୍ଯାଡରୁ ଓହ୍ଲାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି। ତାପରେ ଚକ୍ରତୀର୍ଥ ରୋଡ ଦେଇ ସେ ସିଧାସଳଖ ଶ୍ରୀମନ୍ଦିରରେ ପହଞ୍ଚିବେ। ଶ୍ରୀମନ୍ଦିର  ସମ୍ମୁଖରେ ତାଙ୍କୁ ଗଜପତି ସ୍ବାଗତ ଜଣାଇବାର ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ। ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ୧୨ଟାରୁ ୧ଟା ପର୍ଯ୍ୟନ୍ତ ରହିଛି ଗର୍ଭଗୃହରେ ଦର୍ଶନ ବ୍ଯବସ୍ଥା ସହ ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତିରେ ମାଲ୍ଯାର୍ପଣ କରିବେ ମହାମହିମ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ସାଢେ ୧୦ଟାରୁ ଭର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଶ୍ରୀମନ୍ଦିର ଶୋଧ କରାଯାଇଛି। ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରିବା ପରେ ସାଧାରଣ ଦର୍ଶନ ଆରମ୍ଭ ହେବ। ଆଉ ଦର୍ଶନ ସାରି ୧ଟା ୧୦ମିନିଟରେ ରାଜଭବନରେ ପହଞ୍ଚି ମଧ୍ଯାନ୍ନ ଭୋଜନରେ ମହାପ୍ରସାଦ ପାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇଘଣ୍ଟା ପରେ ଅର୍ଥାତ ୩ଟା ୫ମିନିଟରେ ରାଜଭବନରୁ ତାଳବଣିଆ ହେଲିପେଡକୁ ଯିବେ ଆଉ ୩ଟା ୨୦ରେ ତାଳବଣିଆରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଫେରିଯିବେ ବୋଲି ସ୍ୱତନ୍ତ୍ର ସମୟ ସ୍ଥିର କରାଯାଇଛି।

ଆଉ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଗତକାଲି ଦୁଇଦୁଇ ଥର ହୋଇଥିଲା କାରକେଡ ରିହଲସେଲ। ପୁଣି ତାଳବଣିଆ ହେଲିପ୍ଯାଡରୁ ଶ୍ରୀମନ୍ଦିର ପର୍ଯ୍ଯନ୍ତ ସମ୍ପୁର୍ଣ୍ଣ ଭାବେ ରାସ୍ତାର ଦୁଇ ପାର୍ଶ୍ୱରେ ସୁରକ୍ଷା ଦୃଷ୍ଟି କୋଣରୁ ବ୍ଯାରିକେଡ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ବ୍ଲୁବୁକ ସିକ୍ଯୁରିଟି ଆଧାରରେ ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତନ୍ମଧ୍ୟରୁ ଏସ୍ପି ଏବଂ କମାଣ୍ଡାଣ୍ଟ ରାଙ୍କର ୫ଜଣ ଅଧିକାରୀଙ୍କ ସମେତ ଅତିରିକ୍ତ ଏସ୍ପି ରାଙ୍କର ୭ଜଣ ,ଡିଏସ୍ପି ରାଙ୍କ ର ୧୮ ଜଣ ,ଇନ୍ସପେକ୍ଟର ରାଙ୍କର ୩୦ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏତଦବ୍ୟତୀତ ସବ ଇନ୍ସେପେକ୍ଟର ଓ ଏଏସଆଇ ରାଙ୍କ ର ୧୧୦ ଜଣ ଏବଂ ୩୦୦ ଗୃହରକ୍ଷୀଙ୍କୁ ରାଷ୍ଟ୍ରପତି ଗସ୍ତ ସମୟରେ ନିୟୋଜିତ କରାଯାଇଛି ।

ସେପଟେ ଶ୍ରୀମନ୍ଦିରରେ ନୀତିକାନ୍ତିଙ୍କୁ ସଅଳ କରାଯାଇ ଦିନ ୧୧ଟା ୨୦ସୁଦ୍ଧା ସକାଳଧୁପ ସରି ୧୨ଟା ସୁଦ୍ଧା ବେଶ ଶେଷ ହୋଇଛି। ସେପଟେ ସେବାୟତ ନିଯୋଗମାନଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ଅନେକ ଉପହାର ଦିଆଯିବ ବୋଲି କହିଛନ୍ତି ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କ ମଧ୍ଯାନ୍ନ ଭୋଜନ ଉଦ୍ଦେଶ୍ଯରେ କିଣାଯାଇଛି କଂସା ବାସନ। ଯେଉଁଥିରେ କଂସା ଥାଳି , ଥାଳିଆ , ଗିନା , ଗ୍ଲାସ , ଡଙ୍କି , ଚାମଚ ଓ ହାତଧୋଇବା ପାଇଁ ପାତ୍ର ଆଦି କିଣାଯାଇ ସେଥିରେ ଶ୍ରୀମନ୍ଦିର ପ୍ରଶାସନ ଖୋଦେଇ କରାଯାଇଛି। ଯେହେତୁ ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁ ଆମ ଓଡ଼ିଆ, ତେଣୁ ତାଙ୍କୁ ଆତିଥ୍ଯତା ଦେବା ସମସ୍ତ ସେବାୟତଙ୍କ ପାଇଁ ଗର୍ବ ଓ ଗୌରବ। ପୁଣି ରାଜଭବନରେ ମହାପ୍ରସାଦ ଖାଇବା ପାଇଁ ବ୍ଯବସ୍ଥା କରାଯାଇଥିବା ବେଳେ ମାଟି ପାତ୍ର ଓ କଂସାର ପାତ୍ର ବ୍ଯବସ୍ଥା କରାଯାଇଛି। ତେବେ ରାଷ୍ଟ୍ରପତି ରାଜ୍ଯପାଳଙ୍କ ସମେତ ଗଜପତି ମହାରାଜଙ୍କ ସହ ରାଜଭବନରେ ମହାପ୍ରସାଦ ସେବନ କରିବା ପାଇଁ ନିମନ୍ତ୍ରଣ କରାଯାଇଥିବାରୁ ଏହା ଶ୍ରୀମନ୍ଦିର ପରମ୍ପରାରେ ନୂଆ ଅଧ୍ଯାୟ ସୃଷ୍ଟି କରିବ।

ସେପଟେ ରାଜଭବନରେ ରାଷ୍ଟ୍ରପତି ୨ ଘଣ୍ଟା ବିଶ୍ରାମ କରିବାର କାର୍ଯ୍ଯକ୍ରମ ରହିଥିବାରୁ ନୁଆ ରାଷ୍ଟ୍ରପତିଙ୍କ ପାଇଁ ଆକର୍ଷଣୀୟ ଭାବେ ସଜେଇ ହୋଇଛି ପୁରୀ ରାଜଭବନ। ସୁନ୍ଦର ଆଲୋକମାଳା ସହ ପ୍ରବେଶ ପଥଠାରୁ ଆରମ୍ଭ କରି ସମଗ୍ର ରାଜଭବନକୁ ବେଶ୍ ମନୋରମ କରାଯାଇଛି। ରାଜଭବନର ଗ୍ରାଉଣ୍ଡ ଫ୍ଲୋରରେ ଥିବା ୧ନମ୍ବର କୋଠରୀରେ ରହିବେ ମହାମହିମ ରାଷ୍ଟ୍ରପତି। ମୋଟ ୧୭ଟି ରୁମ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ମହାମହିମଙ୍କ ୧ ନମ୍ବର ରୁମର ସାଜସଜ୍ଜା ସବୁଠୁ ଭିନ୍ନ। ଭାରତର ପ୍ରଥମ ନାଗରିକ ହୋଇଥିବାରୁ ତାଙ୍କ ରୁମରେ ନମ୍ବର ଲେଖା ନାହିଁ ମାତ୍ର ନମ୍ବର ବଦଳରେ ଅଶୋକ ସ୍ତମ୍ବ ଚିତ୍ର ରହିଛି। ବିଶେଷକରି ମହାମହିମଙ୍କ ବେଡରୁମରେ ମହାପ୍ରଭୁଙ୍କ ଏକ ଫଟୋଚିତ୍ର ରହିଛି। ବେଡରୁମରେ ଦୁଇଟି ସୋଫା ପଡିଥିବା ବେଳେ ଡାଇନିଂରେ ଛଅଟି ସୋଫା ଓ ଦୁଇଟି ବେଡ ଲ୍ଯାମ୍ପ ରହିଛି। ପୁଣି ରାଜଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋଚିତ୍ର ବି ରହିଛି । ଆଉ ରାଜଭବନର ପ୍ରବେଶ ଦ୍ୱାରରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଚକ ଓ ଗୁଜ ରଖାଯାଇ ଅତି ସୁନ୍ଦର ଭାବେ ସଜାଯାଇଛି । ପୁଣି ପଟ୍ଟଚିତ୍ରରେ ଜଗନ୍ନାଥଙ୍କ ପ୍ରତିମାକୁ ରଖାଯାଇଛି । ରାଜଭବନରେ ୧ , ୨ , ୩ ନମ୍ବର ରୁମ ରାଷ୍ଟ୍ରପତିଙ୍କ ପରବାର ଲୋକଙ୍କ ପାଇଁ ରହିଥିବା ବେଳେ ଉପର ମହଲାରେ ରାଜ୍ଯପାଳ ଗଣେଶୀ ଲାଲ ଓ ତାଙ୍କ ପରିବାର ସହ ରାଷ୍ଟ୍ରପତିଙ୍କ ବ୍ଯକ୍ତିଗତ ସଚିବଙ୍କ ପାଇଁ ବ୍ଯବସ୍ଛା ହୋଇଛି। ସମୁଦ୍ରକୁଳରେ ବୁଲିବା ପାଇଁ ମଧ୍ଯ ବ୍ଯବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର