କାଠଯୋଡ଼ିକୁ ମାରିଦେବେ: ପୋତା ଚାଲିଛି ନଈକୂଳ, କଟା ଯାଉଛି ଗଛ; ନଈ ଭିତରକୁ ଜଳ ନିଷ୍କାସନ

ପୁନଶ୍ଚ ପୃଥିବୀ

କୃଷ୍ଣପ୍ରସାଦ ଦାସ
କଟକ: ଶ୍ରାବଣ ସରିବାକୁ ଯାଉଛି। କିନ୍ତୁ ଚଳିତ ବର୍ଷ ଚାରି ଦିନରୁ ଅଧିକ ଭରା କାଠଯୋଡ଼ି ଦେଖିବାର ସୁଯୋଗ ପାଇ ପାରି ନାହାନ୍ତି କଟକବାସୀ। ନରାଜ ନିକଟରେ ମହାନଦୀରୁ ବାହାରି ଥିବା କାଠଯୋଡ଼ିରେ ମହାନଦୀର ୪୦ ପ୍ରତିଶତରୁ ଅଧିକ ଜଳ ନିଷ୍କାସିତ ହୁଏ। ବିଭିନ୍ନ କାରଣରୁ କାଠଯୋଡ଼ିରୁ ବାହାରି ତଳକୁ ତଳ ଦେବୀ, କନ୍ଦଳ, ବିଲୁଆ ଖାଇର ରୂପ ନେଇଥିବା ନଦୀ ଅନେକ ପ୍ରଳୟଙ୍କରୀ ବନ୍ୟାର ଇତିହାସ ରଖିଛି। କିନ୍ତୁ ବର୍ତ୍ତମାନର ଶୁଷ୍କ କାଠଯୋଡ଼ି ଏହି ଇତିହାସକୁ ପରିହାସ କରୁଛି। ବର୍ଷା ଅଭାବ, ମହାନଦୀରେ ଜଳ ପ୍ରବାହ ହ୍ରାସ ଭଳି ବିଭିନ୍ନ କାରଣରୁ କାଠଯୋଡ଼ି ଶୁଖିଲା ପଡୁଥିବା ବେଳେ ଅନ୍ୟପଟେ କାଠଯୋଡ଼ିକୁ ନେଇ ​ଖେଳ, ରାଜ୍ୟର ଏହି ପ୍ରମୁଖ ନଦୀର ସତ୍ତା ପ୍ରତି ବିପଦ ସୃଷ୍ଟି କରିଛି।

ଖାନନଗର ନିକଟରେ କଟକ ସହରର ବର୍ଜ୍ୟଜଳକୁ ବିନା ବିଶୋଧନରେ କାଠଯୋଡ଼ି ଭିତରକୁ ଛାଡ଼ି ନଈକୁ ଅତ୍ୟନ୍ତ ପ୍ରଦୂଷିତ କରି ଦିଆଯାଇଥିବା ବେଳେ ଏବେ ଅନ୍ତର୍ଜାତୀୟ ବସ୍ ଷ୍ଟାଣ୍ଡ ପାଇଁ ରାସ୍ତା ଆଳରେ କାଠଯୋଡ଼ି ଭିତରେ ଆରମ୍ଭ ହୋଇଥିବା ପୋତିବା କାମ ପରିବେଶବିତ୍‌ ମାନଙ୍କ ମନରେ ବି ଉଦ୍‌ବେଗର କାରଣ ହୋଇଛି। କାଠଯୋଡ଼ି ବଢିଲେ, ମଲା ଚଣ୍ଡିଆ ଛକ ନିକଟରେ ଥିବା ବୁରୁଜ ପାଖରେ ମାଡ଼ ହେଉଥିବା ପାଣିର ଦୃଶ୍ୟ ସବୁ ବେଳେ କଟକ ସହରବାସୀଙ୍କ ପାଇଁ ରହି ଆସିଥିଲା ଅନ୍ୟତମ ଆକର୍ଷଣ। କିନ୍ତୁ ନେତାଜୀ ସୁଭାଷ ଚନ୍ଦ୍ର ବସ୍ ବସଷ୍ଟାଣ୍ଡ ପାଇଁ ଏବେ ସେହି ଅଞ୍ଚଳର ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି। ବଡ଼ ବଡ଼ ଗଛକୁ କାଟି ନିଆଯାଇଛି। ଗୋଲେଇ ଛକ ପାଇଁ କାଠଯୋଡ଼ିକୁ ପୋତି ରାସ୍ତା ସହ ସମତୁଲ କରି ଦିଆଯାଇଛି। ମଲା ଚଣ୍ଡିଆ ଛକ ନିକଟରୁ ମଧୁପାଟଣା ଦିଗରେ କାଠଯୋଡ଼ି ଭିତରେ ଗଛକଟା ଓ ପୋତିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଖାନନଗର ସାହି ନିକଟରେ ଯେଉଁ ବୁରୁଜ ପାଖରେ ସବୁ ବେଳେ ପାଣି ରହୁଥିଲା, ସେ ଅଞ୍ଚଳକୁ ବି ପୋତିବା କାମ ଆରମ୍ଭ ହୋଇ ଯାଇଛି। ବସ୍ ଷ୍ଟାଣ୍ଡ ଭିତରୁ ରାସ୍ତା ତଳେ ପାଇପ୍ ବିଛା ଯାଇ କାଠଯୋଡ଼ି ଭିତରକୁ ସିଧାସଳଖ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉଛି। ଏଭଳି ନିର୍ମାଣ କାଠଯୋଡ଼ିର ସ୍ଥିତି ଓ ପରିବେଶ ପାଇଁ କେତେ ଅନୁକୂଳ ତାହା ହିଁ ବିତର୍କର ପ୍ରସଙ୍ଗ ହୋଇଛି।

ଏ ସଂପର୍କରେ ମତ ରଖି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଆଶୁ​ତୋଷ ଦେବତା କହିଛନ୍ତି ଯେ ନଈର ପ୍ରାକୃତିକ ଜଳ ପ୍ରବାହ ବ୍ୟବସ୍ଥାରେ ବାଧା ସୃଷ୍ଟି କରିବା ସବୁ ବେଳେ ପରିବେଶ ଦୃଷ୍ଟିରୁ ପ୍ରତିକୂଳ ସ୍ଥିତି ସୃଷ୍ଟି କରେ। ଯେଉଁଠି ଏବେ ପୋତାପୋତି କାର୍ଯ୍ୟ ଚାଲିଛି, ସେଠି ବର୍ଷା ଦିନେ କାଠଯୋଡ଼ିର ପାଣି ପ୍ରବାହିତ ହେଉଥିଲା। ନଈ ତ ଏବେ ଶୁଖି ଯାଉଛି। ଏଭଳି ସ୍ଥିତିରେ ନଈ ଭିତର ପୋତିବାର ପ୍ରତିକୂଳ ପ୍ରଭାବ ରହୁଛି। ଅନ୍ୟପଟେ ଅନେକ ପୁରୁଣା ଗଛକୁ ବି କାଟି ଦିଆଯାଇଛି। ବିକାଶ ଆଳରେ କୌଣସି ପ୍ରକାର ଯୋଜନା କରିବା ପୂର୍ବରୁ ପରିବେଶ ସଂପର୍କରେ ଚିନ୍ତା କରି ଯଥେଷ୍ଟ ଆଗୁଆ ପଦକ୍ଷେପ ନିଆଯିବା କଥା। ୧୯୮୭-୮୮ ମସିହାରେ କାଠଯୋଡ଼ି କୂଳରେ ଗଛ ​ଲଗାଇବା ଯୋଜନାରେ ଯେଉଁ ପଦକ୍ଷେପ ନିଆଯାଇଥିଲା, ତାହା ବହୁ ବଡ଼ ବଡ଼ ଗଛ ସୃଷ୍ଟି କରିଥିଲା। ତାହାକୁ ଏବେ କାଟି ଦିଆଯାଇଛି। ତାହାର ବିକଳ୍ପ କେବେ ଆଉ କେମିତି ସମ୍ଭବ ହେବ, ତାହା ଏବେ ଚିନ୍ତାର ବିଷୟ।

ଏହା ସହିତ ନଈ ଭିତରେ କୌଣସି ନିର୍ମାଣ ​ବା ପୋତେଇ ହେଲେ ତାହାର ପଥର ପ୍ୟାକିଂ ସହ ସେଥିରେ ଶୈବାଳ ସୃଷ୍ଟି କରିବାର ନିୟମ ରହିଛି। ଏଠାରେ କି ପ୍ରକାର ନିର୍ମାଣ ହେଉଛି, ତାହା ହୁଏତ ଆଗକୁ ସ୍ପଷ୍ଟ ହେବ। ବିକାଶ ପାଇଁ ନିର୍ମାଣ ହେଉ, କିନ୍ତୁ ପରିବେଶ ଅନୁକୂଳ ବିକାଶ ସବୁ ବେଳେ ସ୍ବାଗତଯୋଗ୍ୟ ବୋଲି ଡକ୍ଟର ଦେବତା କହିଛନ୍ତି। କିନ୍ତୁ କାଠଯୋଡି ଭିତରେ ଚାଲିଥିବା ନିର୍ମାଣ ଓ ଅନ୍ୟ କାର୍ଯ୍ୟରେ ପରିବେଶ ନିୟମ ପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି କଟକର ମେୟର ସୁବାସ ସିଂହ। ଶ୍ରୀ ସିଂହ କହିବା ଅନୁଯାୟୀ ନଈର ପ୍ରାକୃତିକ ସ୍ରୋତ ଅବରୋଧ ହେଉନି। କେବଳ ନଈପଠା ପୋତା ​ଯାଉଛି। ଅନ୍ୟପଟେ ବସ୍ ଷ୍ଟାଣ୍ଡ ଭିତରୁ ଯେଉଁ ପାଇପ୍ କାଠଯୋଡ଼ି ଭିତରକୁ ଯାଇଛି, ସେଥିରେ କେବଳ ବର୍ଷା ଜଳ ନିଷ୍କାସିତ ହେବ। ତେଣୁ ତାହାର କୌଣସି ପ୍ରତିକୂଳ ପ୍ରଭାବ ନାହିଁ। ଅନ୍ୟପଟେ ନଈ ଭିତରକୁ ରାସ୍ତା ସଂପ୍ରସାରଣ ପାଇଁ ଅଧିକାଂଶ ସ୍ଥାନରେ ପାଇଲିଂ ଓ ପିଲାର କରି ରାସ୍ତା କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ସିଂହ କହିଛନ୍ତି। ଏଭଳି ସ୍ଥିତିରେ କିନ୍ତୁ କାଠଯୋଡ଼ି ସହ ଆରମ୍ଭ ହୋଇଥିବା ଖେଳ କଟକ ସହରବାସୀଙ୍କ ଆଶଙ୍କା ବଢ଼ାଉଛି। ମହାନଦୀ ପୋତା ଯିବା ବେଳେ ମାମଲା ଏନ୍‌ଜିଟିରେ ପହଞ୍ଚି ଥିଲା। ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ତିଆରି ହୋଇଥିଲା। ଏବେ କାଠଯୋଡ଼ିର ଭବିଷ୍ୟତ କଣ ହେବ, ତାହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର