ସେପ୍ଟେମ୍ବର ୨ରେ ସୂର୍ଯ୍ୟ ମିସନ୍ ଆଦିତ୍ୟ-ଏଲ୍‌-୧ ଲଞ୍ଚ କରିପାରେ ଇସ୍ରୋ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିବା ପରେ ଆସନ୍ତା ସପ୍ତାହରେ କରୋନା ଓ ସୌର ବାୟୁ ଉପରେ ଅନୁଧ୍ୟାନ ପାଇଁ ସୂର୍ଯ୍ୟ ମିସନ ‌ଆଦିତ୍ୟ-ଏଲ୍‌୧ ଉତ୍‌କ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଆଦିତ୍ୟ-ଏଲ୍‌୧ ମହାକାଶ ଯାନକୁ ଇସ୍ରୋ ପୃଥିବୀଠାରୁ ୧.୫ ନିୟୁତ କିମି ଉଚ୍ଚରେ ସ୍ଥାପନ କରିବ ଏବଂ ଆସନ୍ତା ସେପ୍ଟେମ୍ବର ୨ରେ ଏହାକୁ ଉତ୍‌କ୍ଷେପଣ କରିବାକୁ ଚିନ୍ତା କରୁଛି।

ସୌର ପର୍ଯ୍ୟବେକ୍ଷଣ ପାଇଁ ଏହା ହେବ ଇସ୍ରୋର ପ୍ରଥମ ଅଭିଯାନ। ଏହାଦ୍ବାରା ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ସୂର୍ଯ୍ୟର ବାହ୍ୟ ସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ କରାଯିବ। ଏହି ସୌରଯାନ ସମ୍ପୂର୍ଣ୍ଣରୂପେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବୋଲି ଇସ୍ରୋ ପ୍ରକାଶ କରିଛି। ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏଲ୍‌୧ ପାଖରେ ହାଲୋ ଅର୍ବିଟରେ ଏହାକୁ ସ୍ଥାପନ କରାଯିବ। ମହାକାଶଯାନଟି ଦୁଇ ସପ୍ତାହ ପୂର୍ବେ ୟୁଆର୍‌ ରାଓ ‌ସାଟେଲାଇଟ୍ ସେଣ୍ଟରରୁ ଆସି ଇସ୍ରୋର ଶ୍ରୀହରିକୋଟାସ୍ଥିତ ମହାକାଶବନ୍ଦରରେ ପହଞ୍ଚିସାରିଛି। ସୌର କାର୍ଯ୍ୟକଳାପ ଓ ପୃଥିବୀ ଉପରେ ଏହାର ପ୍ରଭାବ ଉପରେ ଏହା ଅନୁଧ୍ୟାନ କରିବ।

ସମ୍ବନ୍ଧିତ ଖବର