ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ ଜେଲ୍‌

ଫୁଲବାଣୀ : ଶୁକ୍ରବାର ଦିନ ଫୁଲବାଣୀ ପକ୍‌ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୫ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ସହିତ ୨୮ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ଦେଢ଼ ବର୍ଷ କାରାଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଏହାସହିତ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ କୋର୍ଟ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୦୨୦ ମସିହା ଅକ୍ଟୋବର ୯ ତାରିଖରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ନାବାଳିକା ପାଖ ପଡ଼ୋଶୀ ଘରକୁ ଟିଭି ଦେଖିବାକୁ ଯାଇ ଫେରୁଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ନିଲେଶ୍ବର ପ୍ରଧାନ (୨୮) ତାକୁ ଟେକିନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ବାପା, ମା’ ଘରକୁ ଫେରିବା ପରେ ନାବାଳିକା ଜଣକ କାନ୍ଦି କାନ୍ଦି ସବୁ କହିବା ପରେ ନାବାଳିକାର ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରିଥିଲା। ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ଏଥିରେ ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ପୁଲିସ ରିପୋର୍ଟକୁ ଆଧାର କରି ପକ୍‌ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଉପରୋକ୍ତ ରାୟ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର