‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ଆରମ୍ଭ

୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ

ଭୁବନେଶ୍ବର : ରାଜ୍ୟର ସର୍ବାଧିକ ପ୍ରସାରିତ ତଥା ପଠିତ ଖବର କାଗଜ ‘ସମ୍ବାଦ’ ଚଳିତ ବର୍ଷ ୩୯ତମ ସ୍ବନକ୍ଷତ୍ର ପାଳନ କରିବାକୁ ଯାଉଛି। ଏହି ଅବସରରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଲାଗି ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏଥିଲାଗି ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି।

ଆସନ୍ତା ସେପ୍ଟେମ୍ବର ୧୧ ତାରିଖ (ରବିବାର)ରୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତା ପ୍ରକ୍ରିୟା ଆରମ୍ଭ ହେବ। ଉକ୍ତ ଦିନ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ-ପ୍ରବନ୍ଧ ଭଳି ୩ଟି ବିଭାଗରେ ପ୍ରତିଯୋଗିତା ହେବ। ୧ମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ୬ଷ୍ଠରୁ ୮ମ ଛାତ୍ରଛାତ୍ରୀଙ୍କ ପାଇଁ ହସ୍ତାକ୍ଷର ଓ ୯ମ-୧୦ମ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ହେବ। ସେ‌ହିଭଳି ସେପ୍ଟେମ୍ବର ୧୮ ତାରିଖ (ରବିବାର) କଲେଜ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିତର୍କ ଓ ସାରେଗାମା ପ୍ରତିଯୋଗିତା ହେବ। କରୋନା ମହାମାରୀ ଯୋଗୁଁ ଗଲା ୨ ବର୍ଷ ହେଲା ଏହି ପରୀକ୍ଷା ଅନଲାଇନ୍‌ରେ ଆୟୋଜିତ ହୋଇଥିବା ବେଳେ ଏଥର ଛାତ୍ରଛାତ୍ରୀଙ୍କ ପାଇଁ ନିଜନିଜ ଅଞ୍ଚଳର ଶିକ୍ଷାନୁଷ୍ଠାନ/ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପାଇଁ ଅନଲାଇନ୍‌ ନାମ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। https://competition.sambad.in/ରେ ନାମ ପଂଜୀକରଣ କରି ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବାର ସୁଯୋଗ ପାଇ ପାରିବେ। ଏହା ବ୍ୟତୀତ ମୋବାଇଲ୍‌ ଫୋନ୍‌ ପ୍ଲେ ଷ୍ଟୋର୍‌ରୁ Sambad ama Odisha ଆପ୍‌ ଡାଉନଲୋଡ୍‌ କରି ସେଥିରେ ମଧ୍ୟ ନାମ ପଂଜୀକରଣ କରି ପାରିବେ। ଏଥିପାଇଁ କୌଣସି ଦେୟ ଦାଖଲ କରିବାକୁ ପଡ଼ିବ ନାହିଁ।

ଏହି ପରୀକ୍ଷାରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ପୁରସ୍କାର ଜିତିବାର ସୁବର୍ଣ୍ଣ ସୂଯୋଗ ରହିଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରୁ ପ୍ରତି ବିଭାଗରେ କୃତୀ ଛାତ୍ରଛାତ୍ରୀଙ୍କୁ ଚୟନ କରି ପୁରସ୍କୃତ କରାଯିବା ସହିତ ସେମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ। ରାଜ୍ୟସ୍ତରରେ ପ୍ରତି ବିଭାଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୧୦ ହଜାର ଟଙ୍କା, ୭ ହଜାର ୫୦୦ ଓ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର