ଉଦ୍ଧାର ଅସୁସ୍ଥ ଘୋଡ଼ାର ଚିକିତ୍ସା ଆରମ୍ଭ

ବୈଶିଙ୍ଗା: ବାଲେଶ୍ବର ଜିଲ୍ଲା ଜଙ୍ଖରାଇ ଗ୍ରାମର ଝୁମାତୁଲ୍ଲା ନାମକ ଜଣେ ବ୍ୟକ୍ତି ଏକାଧିକ ଘୋଡ଼ା ରଖି ସେମାନଙ୍କ ଦ୍ବାରା ଲକ୍ଷାଧିକ ଟଙ୍କା ଉପାର୍ଜନ କରୁଥିଲେ। ହେଲେ କିଛିଦିନ ତଳେ କୌଣସି କାରଣ ବଶତଃ ଗୋଟିଏ ଘୋଡ଼ାର ଏକ ଗୋଡ଼ରେ ଆଘାତ ଯୋଗୁ ସେଠାରେ ଘାଆ ହୋଇଯାଇଥିଲା। ତା’ର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବା ବେଳେ ଝୁମାତୁଲ୍ଲା ଘୋଡ଼ାଟିକୁ ବାହାରେ ଛାଡ଼ି ଦେଇଥିଲେ। ଖାଇବାକୁ ନପାଇ ସେ ଦିନକୁ ଦିନ ଅଧିକ ଅସୁସ୍ଥ ହେବାରେ ଲାଗିଲା।

ଘୋଡ଼ାର ଦୟନୀୟ ଅବସ୍ଥା ଦେଖି ବୈଶିଙ୍ଗା ପ୍ରେସ୍‌ କ୍ଲବ୍‌ର ସଦସ୍ୟ ଏବଂ ଗଡ଼ଦେଉଳିଆର ଯୁବକ ଅମର ଖିଲାର ଓ ପିଣ୍ଟୁ ବାବୁ ଘୋଡ଼ାଟିକୁ ଉଦ୍ଧାର କରିଥିଲେ। ତାକୁ ଖାଇବାକୁ ଦିଆଯିବା ସହ ଭିଏସ୍‌ ସ୍ୱୟଂପ୍ରକାଶ ନାୟକ ଓ ଉତ୍ତମ ବାବୁଙ୍କ ଦ୍ବାରା ଚିକିତ୍ସା କରାଯାଇଥିଲା। ପରେ ‘ପଶୁପକ୍ଷୀ ଓ ପ୍ରକୃତିପ୍ରେମୀ ପରିବାର’ ନାମକ ଏକ ସଂସ୍ଥାର ବାରିପଦା ଶାଖା ମୁଖ୍ୟ ଭାନୁପ୍ରସାଦ ଆଚାର୍ଯ୍ୟଙ୍କୁ ଘଟଣା ବାବଦରେ ଜଣାଯାଇଥିଲା। ଫଳରେ ଗତକାଲି ଘୋଡ଼ାଟିକୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବାରିପଦା ‘ପଶୁପକ୍ଷୀ ଓ ପ୍ରକୃତି ପ୍ରେମୀ ପରିବାର’କୁ ପଠାଯାଇଥିଲା। ସେଠାରେ ଆଜିଠାରୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଘୋଡ଼ାର ଚିକିତ୍ସା ଆରମ୍ଭ ହୋଇଛି। ତେବେ ଦରକାର ପଡ଼ିଲେ ଅଧିକ ଚିକିତ୍ସା ପାଇଁ ତାକୁ ଭୁବନେଶ୍ୱରସ୍ଥିତ ଓୟୁଏଟିକୁକୁ ନିଆଯିବ ବୋଲି ‘ପଶୁପକ୍ଷୀ ଓ ପ୍ରକୃତିପ୍ରେମୀ ପରିବାର’ର ମୁଖ୍ୟ ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର