ବାହାନଗାର ବିକାଶ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେବ: ରେଳମନ୍ତ୍ରୀ

ବାଲେଶ୍ବର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ବର ଜିଲ୍ଲା ବାହାନଗାର ବିକାଶ ପାଇଁ ୨ କୋଟି ଟଙ୍କା ଘୋଷଣା କରିଛନ୍ତି। ସେ ମଙ୍ଗଳବାର ବାହାନଗା ଗସ୍ତ ଅବସରରେ ଏହି ଘୋଷଣା କରିଛନ୍ତି। ଏହି ଅର୍ଥ ବାହାନଗା ମେଡିକାଲ ଓ ଗାଁର ବିକାଶରେ ବିନିଯୋଗ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଅଶ୍ୱିନୀ ବୈଷ୍ଣବ, ବାହାନଗା ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଟ୍ରେନ୍ ଦୁର୍ଘଟଣା ବେଳେ ବାହାନଗାବାସୀ ଯେଉଁଭଳି ସହଯୋଗ ଓ ସହାୟତା କରିଥିଲେ, ତାହା ସବୁଠି ପ୍ରଶଂସାର ପାତ୍ର ହୋଇଥିବା ରେଳମନ୍ତ୍ରୀ କହିଛନ୍ତି। ଏହାସହ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଆହତଙ୍କୁ ରକ୍ତଦାନ ଭଳି ସମସ୍ତ ସେବା ଯୋଗାଇଥିବା ମେଡିକାଲ ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବାଲେଶ୍ୱରବାସୀଙ୍କ ଋଣ କେବେ ସୁଝି ହେବ ନାହିଁ ବୋଲି ସେ କହିଛନ୍ତି।

ଚଳିତମାସ ୨ ତାରିଖରେ ଘଟିଥିବା ଏହି ମର୍ମନ୍ତୁଦ ଘଟଣାର ତଦନ୍ତ ଭାର ନେବାପରଠୁ ସିବିଆଇ ଏହା ପଛର କାରଣ ଖୋଜୁଛି। ଏଯାଏ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚରା କରିବା ସହ ବୟାନ୍‌ ରେକର୍ଡ କରିଛନ୍ତି ତଦନ୍ତକାରୀ ଟିମ୍‌। ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ; ତାହା ଜାଣିବା ପାଇଁ ବୈଷୟିକ ଅଧିକାରୀଙ୍କ ସହାୟତା ବି ଲୋଡ଼ାଯାଇଛି। ଷ୍ଟେସନ୍‌ର ପ୍ୟାନେଲ୍‌ ବୋର୍ଡ, ରିଲେ ରୁମ୍‌ ଓ ସିଗ୍‌ନାଲ୍‌ ରୁମ୍‌ ସିଲ୍‌ ହୋଇଥିବା ବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଛି।

ଅନ୍ୟପକ୍ଷରେ, ଏହି ଦୁର୍ଘଟଣାକୁ ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରିନି। ହାତଗଣତି ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଥିବା ବେଳେ ଅନେକ ଏକ୍ସପ୍ରେସ୍‌ ଟ୍ରେନ୍‌ ବାତିଲ ଅଛି। ସେହିପରି, କିଛି ଟ୍ରେନ୍‌ର ଗତିପଥକୁ ବଦଳାଯାଇଛି। ଅନ୍ୟପଟେ ଦୁଇଟି ପାସେଞ୍ଜରକୁ ଛାଡ଼ିଦେଲେ ବାକି ସବୁ ପାସେଞ୍ଜର ବନ୍ଦ ରହିଛି।

ସମ୍ବନ୍ଧିତ ଖବର