ସାରଳା ସାହିତ୍ୟ ସଂସଦ ପକ୍ଷରୁ ସଚ୍ଚି ରାଉତରାୟଙ୍କ ଜୟନ୍ତୀ: କବି ଅଭୟ ନାୟକ ପାଇଲେ ସଚ୍ଚି ରାଉତରାୟ ସମ୍ମାନ

କଟକ : ବିଜୁପଟ୍ଟନାୟକ ଛକସ୍ଥିତ ସାରସ୍ୱତ ପୀଠ ସାରଳା ଭବନରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ କାବ୍ୟ ସରସ୍ୱତୀ ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ୧୦୭ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ପୂର୍ବତନ ସାଂସଦ ବିଶିଷ୍ଟ କବି ଡ. ପ୍ରସନ୍ନ ପାଟ୍ଟଶାଣୀ ଉଦଘାଟନ କରିଥିଲେ। ସଂସଦର ପ୍ରତିଷ୍ଠାତା ଓ ସଭାପତି ଡକ୍ଟର ଇଂ ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକର ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମହାନ୍ତି ବିଶିଷ୍ଟ ଅତିଥି, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସତ୍ୟନାରାୟଣ ପଣ୍ଡା ସମ୍ମାନିତ ଅତିଥି, ବିଶିଷ୍ଟ କବି ଡକ୍ଟର ଶତୃଘ୍ନ ପାଣ୍ଡବ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ କବି ଅଭୟ ନାୟକଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା ଏହି ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ଦିଆଯାଇଥିଲା

ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଜ୍ଞାରତ୍ନ ସହଦେବ ସାହୁ, ଡାକ୍ତର ନିରଞ୍ଜନ ତ୍ରିପାଠୀ, କବିଙ୍କ ପୁତ୍ର ଶ୍ରୀହର୍ଷ ରାଉତରାୟ, ବୋହୂ ଉଷା ଦେବୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନାଟ୍ୟକାର ସଞ୍ଜିତ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ଅଧ୍ୟାପକ ନିର୍ମଳ ଚନ୍ଦ୍ର ପହି ମାନପତ୍ର ପାଠ ଓ ଡ. ବିରଞ୍ଚି କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଇଂ ପବିତ୍ର ସାହୁ, ବିଭୁପ୍ରସାଦ ପୃଷ୍ଟି, ବିଭୁ ପ୍ରସାଦ ରାଉତ, ବ୍ରଜକିଶୋର ବେଉରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର