ଓକିଲ ସଂଘ ସଭାପତି ଓ ସମ୍ପାଦକ ସମ୍ମିଳନୀରେ ନିଷ୍ପତ୍ତି: ୧୨‌ରେ ଓକିଲଙ୍କ ସତ୍ୟାଗ୍ରହ

ପୁରୁଣା ଭୁବନେଶ୍ବର : ଆସନ୍ତା ୧୨ ତାରିଖରେ ସତ୍ୟାଗ୍ରହ କରି‌ବେ ଓକିଲ। ରାଜ୍ୟର ସମସ୍ତ ଓକିଲ ସଂଘର ସଭାପତି, ସମ୍ପାଦକ ଓ କର୍ମକର୍ତାଙ୍କୁ ନେଇ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ ଓକିଲମାନଙ୍କର ନ୍ୟାଯ୍ୟ ଅଧିକାର ସଂପର୍କିତ ଏକ ସ୍ମାରକପତ୍ର ରାଷ୍ଟ୍ରପତି ଓ ପ୍ରଧାନ ବିଚାରପତିଙ୍କୁ ଦିଆଯିବା ସହ ସାକ୍ଷାତ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଭୁବନେଶ୍ବର ଓକିଲ ସଂଘର ସଭାପତି ରବିନାରାୟଣ ସମାନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓକିଲମାନଙ୍କର ମୌଳିକ ଓ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ନିଖିଳ ଓଡ଼ିଶା ଆଇନଜୀବୀ ମହାସଂଘର ଏକ ଷ୍ଟିଅରିଂ କମିଟି ଗଠନ କରାଯିବା ସହ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟଙ୍କୁ ଅଧ୍ୟକ୍ଷ, ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର, ଭୁବନେଶ୍ବର ସଂଘର ପୂର୍ବତନ ସଭାପତି ନିର୍ମଳ କିଶୋର ରଥ, ବାଲେଶ୍ବର ସଂଘର ସଭାପତି ମନୋଜ ନାୟକ, ପୁରୀ ଓ ଗଞ୍ଜାମ ସଂଘର ସଭାପତିଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ସେହିପରି ସମସ୍ତ ଓକିଲ ସଂଘର ସଭାପତି ଓ ସମ୍ପାଦକଙ୍କୁ ଷ୍ଟିଅରିଂ କମିଟିର ସଭ୍ୟ ଭାବେ ମନୋନୀତ କରାଯାଇଥିଲା। ଏଥିରେ ଭୁବନେଶ୍ୱର ଓକିଲ ସଂଘ ସଭାପତି ଓ ସମ୍ପାଦକଙ୍କୁ ଆବାହକ ଭାବେ ମନୋନୀତ କରାଯାଇଥିଲା।

ବୈଠକରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଓ ଭାରତୀୟ ଆଇନଜୀବୀ ପରିଷଦର ଓକିଲ ମାରଣନୀତି ପାଇଁ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା। ବୈଠକକୁ ସଂଘର ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଅଭିମନ୍ୟୁ ସାଇଁ, ଯୁଗ୍ମସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଦିବାକର ମିଶ୍ର, ସହସମ୍ପାଦକ ରାଜେନ୍ଦ୍ର କୁମାର ଦାସ ଓ ସମସ୍ତ କାର୍ଯ୍ୟକାରୀ ସଭ୍ୟ/ସଭ୍ୟାଙ୍କ ସମେତ ଭୁବନେଶ୍ବର ଓକିଲ ସଂଘର ସଦସ୍ୟ ଓ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର