ପ୍ରଥମ ଦିନିକିଆ: ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇନେଲେ ମେହିଦି

ରାହୁଲଙ୍କ ଅର୍ଦ୍ଧଶତକ ଫିକା, ବାଂଲାଦେଶ ୧ ୱିକେଟ୍‌ରେ ଜିତିଲା

ମିରପୁର: ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଏବଂ ଶେଷ ୱିକେଟ୍‌ରେ ମୁସ୍ତାଫିଜୁର ରହମାନ (୧୧*)ଙ୍କ ସହ ୫୧ ରନ୍‌ର ଅପରାଜିତ ଭାଗୀଦାରି ଗଢ଼ି ମେହିଦି ହାସନ ମିରାଜ ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ବାଂଲାଦେଶକୁ ବିଜୟ ଭେଟି ଦେଇଛନ୍ତି। ୧୮୭ ରନ୍‌ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ଭାରତୀୟ ଖେଳାଳିଙ୍କୁ ଏକାଧିକ ସୁଯୋଗ ଦେଇଥିଲେ ବି ସେମାନେ ହାତଛଡ଼ା କରିବାରୁ ଏହାର ସୁଯୋଗ ନେଇ ମେହିଦି ଘରୋଇ ଦଳକୁ ୪ ଓଭର ପୂର୍ବରୁ ଗୋଟିଏ ୱିକେଟ୍‌ ହାତରେ ଥାଇ ମ୍ୟାଚ୍‌ ଜିତାଇଥିଲେ। ଏପରିକି ଭାରତୀୟ ବ୍ୟାଟର କେଏଲ୍‌ ରାହୁଲଙ୍କ ଅର୍ଦ୍ଧଶତକକୁ ମେହିଦି ଫିକା କରିଦେଇଥିଲେ। ସ୍ଥାନୀୟ ସେର୍‌ ବାଲାଂ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଲୋ ସ୍କୋରିଂ ମ୍ୟାଚ୍‌ ଜିତି ବାଂଲାଦେଶ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ମେହିଦି (୩୮* ରନ୍‌, ୧ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

୧୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ବିନା ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା। ଓପନର୍‌ ନଜମୁଲ ହୁସେନ ସାଣ୍ଟୋଙ୍କୁ ରୋହିତଙ୍କ ହାତରେ କ୍ୟାଚ୍‌ କରାଇ ଦୀପକ ଚହର ବାଂଲା‌କୁ ପ୍ରଥମ ଝଟ୍‌କା ଦେଇଥିଲେ। ଅଧିନାୟକ ଲିଟନ ଦାସ (୪୧), ସାକିବ ଅଲ୍‌ ହାସନ (୨୯), ମୁସ୍ତାଫିକର ରହମାନ (୧୮), ମହମୁଦୁଲ୍ଲା (୧୪), ଅନାମୁଲ ହକ୍‌ (୧୪) ପାଳି ସମ୍ଭାଳି ଦଳକୁ ବିଜୟ ଦି‌ଗରେ ନେଉଥିଲେ। ହେଲେ ମହମୁଦୁଲ୍ଲା ଓ ମୁସ୍ତାଫିକରଙ୍କୁ ଯଥାକ୍ରମେ ଶାର୍ଦୁଲ ଠାକୁର ଓ ମହମ୍ମଦ ସିରାଜ ପାଭିଲିଅନ୍‌ ପଠାଇ ଦେବାରୁ ବାଂଲା ଦଳ ୧୨୮/୬ରେ ସଂଘର୍ଷ କରିଥିଲା। ଏହାପରେ କୁଲଦୀପ ସେନ୍‌ ଅଫିଫ ହୁସେନ (୬) ଓ ଏବାଦତ (୦)ଙ୍କୁ ୧ ରନ୍‌ ଭିତରେ ଆଉଟ୍‌ କରି ଡବଲ୍‌ ଝଟ୍‌କା ଦେଇଥିଲେ। ଦଳୀୟ ସ୍କୋର୍‌ ୧୩୬ ରନ୍‌ ଥିଲା ବେଳେ ହାସନ ମହମୁଦଙ୍କୁ ସିରାଜ ଆଉଟ୍‌ କରି ଦେଇଥିଲେ। ୩୯.୩ ଓଭରରେ ୧୩୬ ରନ୍‌ରେ ୯ ୱିକେଟ୍‌ ହରାଇ ପରାଜୟ ମୁହାଁ ହୋଇଥିଲା ଘରୋଇ ଦଳ।

ବାଂଲାଦେଶକୁ ୩୨ ରନ୍‌ ଆବଶ୍ୟକ ଥିଲା ବେଳେ ୪୩ତମ ଓଭରରେ ହାସନଙ୍କ କ୍ୟାଚ୍‌ ୱିକେଟ୍‌ରକ୍ଷକ ରାହୁଲ ହାତଛଡ଼ା କରିବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା। ଏହାର ଫାଇଦା ଉଠାଇ ମେହିଦି ଓ ମୁସ୍ତାଫିଜୁର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ବାଂଲାଦେଶକୁ ୪ ଓଭର ପୂର୍ବରୁ ବିଜୟ ଭେଟି ଦେଇଥିଲେ।
ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୧.୨ ଓଭର‌ରେ ସମସ୍ତ ୱିକେଟ୍‌ ହରାଇ ୧୮୬ ରନ୍‌ କରିଥିଲା। ଭାରତର ପ୍ରାରମ୍ଭିକ ୩ ଖେଳାଳି (ରୋହିତ, ଶିଖର, କୋହଲି) ସ୍ପିନରଙ୍କ ଜାଲରେ ଫସିଯାଇ ୱିକେଟ୍‌ ହରାଇଥିଲେ। କେବଳ କେଏଲ୍‌ ରାହୁଲ (୭୩) ଅର୍ଦ୍ଧଶତକ ହାସଲ କରି ଦଳକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ। ଅଧିନାୟକ ରୋହିତ ଶର୍ମା (୨୭), ଶ୍ରେୟସ ଆୟର (୨୪) ଏବଂ ୱାସିଂଟନ ସୁନ୍ଦର (୧୯)ଙ୍କ ଛଡ଼ା କୌଣସି ଭାରତୀୟ ବ୍ୟାଟର୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଘରୋଇ ଦଳ ପକ୍ଷରୁ ସାକିବ ଅଲ୍‌ ହାସନ ୫ ଏବଂ ଏବାଦତ ହୁସେନ ୪ ୱିକେଟ୍‌ ଅକ୍ତିଆର କରି ଭାରତର ବ୍ୟାଟିଂ କ୍ରମକୁ ଧ୍ବସ୍ତ କରିଦେଇଥିଲେ।

ସମ୍ବନ୍ଧିତ ଖବର