ସରିଲା ବିଧାନସଭାର ମୌସୁମୀ ଅଧିବେଶନ: ଗୃହ ପରିଚାଳନାରେ ଅସନ୍ତୋଷ ବ୍ୟକ୍ତ କଲେ ନରସିଂହ

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଆଜି ଶେଷ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ପାରିତ ହେଲା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ। ଏହି ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟ ଦିବସ ରହିଥିଲା। ୭୭୦ଟି ତାରକା ଓ ୧୪୦୩ଟି ଅଣତାରକା ପ୍ରଶ୍ନର ଉତ୍ତର ଗୃହରେ ଉପସ୍ଥାପିତ ହୋଇଥିଲା। ଆଜି ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେଲା ପରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭା ଅଧିବେଶନକୁ ଆଜି ଶେଷ କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ଯେହେତୁ ଆଉ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନାହିଁ, ତେଣୁ ଅଧିବେଶନକୁ ଆଜି ‌ଶେଷ କରିବାକୁ ପ୍ରସ୍ତାବ ଦେଇଥିଲେ। ଶାସକ ଦଳ ସଭ୍ୟ ଶଶୀଭୂଷଣ ବେହେରା ଓ ଅମର ଶତପଥୀ ଏହାକୁ ସମର୍ଥନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରସ୍ତାବ ସପକ୍ଷରେ କହିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଗୃହ ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ‌ସେ କହିଥିଲେ, ଗୃହରେ ବିଲ୍‌ ‌ଯେଉଁ ଢଙ୍ଗରେ ପାରିତ କରାଗଲା ତାହା ଠିକ୍ ନୁହେଁ। ବିଲ୍‌କୁ ତରବରରରେ ପାରିତ ନକରି ତାହା ଉପରେ ଯଥେଷ୍ଟ ଆଲୋଚନା ପାଇଁ ସୁପ୍ରିମକୋର୍ଟ କହିଥିଲେ। କିନ୍ତୁ ଏଠାରେ ତାହା ହୋଇନାହିଁ। ବିରୋଧୀ ଦଳ ଆଲୋଚନାରେ ଭାଗ ନେଇ ନାହାନ୍ତି। ଅଧିବେଶନରେ ପରସ୍ପରକୁ କାଦୁଅ ଫିଙ୍ଗାଯାଇଛି। ଗୃହ ଚାଲିପାରିନି। ଏମିତି ପରମ୍ପରା ଜାରି ରହିଲେ ଗଣତନ୍ତ୍ର ଧ୍ବଂସ ପାଇଯିବ। ଗୃହକୁ ଚଳାଇବା ପାଇଁ ଉଭୟ ଗୃହ ନେତା ଓ ବିରୋଧୀ ଦଳ ନେତାଙ୍କ ଦାୟିତ୍ବ ରହିଛି। ଆଗାମୀ ଦିନରେ ଏ ଦିଗରେ ସମସ୍ତେ ଯତ୍ନବାନ ହେବେ ବୋଲି ‌ସେ ଆଶାପ୍ରକଟ କରିଥିଲେ। ଶେଷରେ ବାଚସ୍ପତି ପ୍ରମିଳା ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲା ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଏହି ସମୟରେ ବିଜେପି ସଦସ୍ୟମାନେ ଗୃହରେ ଉପସ୍ଥିତ ନଥିଲେ।

ସମ୍ବନ୍ଧିତ ଖବର