କଂଗ୍ରେସରେ ସାମିଲ ହେଲେ ସିପ୍ରା ମଲ୍ଲିକ: କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ିପାରନ୍ତି

ଭୁବନେଶ୍ବର: ବିଜେଡିର ପୂର୍ବତନ ବିଧାୟିକ ସିପ୍ରା ମଲ୍ଲିକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ବିଜେଡିର ପୂର୍ବତନ ସାଧାରଣ ସଂପାଦକ ମନୋରମା ଆଚାର୍ଯ୍ୟ ମଧ୍ୟ ‘ହାତ’ ଧରିଛନ୍ତି। ଏହି ଉପଲକ୍ଷେ କଂଗ୍ରେସ ଭବନରେ ଆଜି ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋଙ୍କ ଉପସ୍ଥିତିରେ ଦୁହେଁ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି।

ଶ୍ରୀମତୀ ମଲ୍ଲିକ କହିଛନ୍ତି, ଆଜି ମୋ ପାଇଁ ଏକ ବଡ଼ ଦିନ। ମୋ ବାପା କଂଗ୍ରେସରେ ଥିଲେ। ମୁଁ ମଧ୍ୟ ଏହି ଦଳକୁ ଫେରିଛି। ଟିକେଟ ପାଇବା ପାଇଁ କୌଣସି ଆଲୋଚନା ହୋଇନାହିଁ। କିନ୍ତୁ କେନ୍ଦ୍ରାପଡ଼ାରୁ ଲଢ଼ିବାକୁ ଆଶାବାଦୀ ଅଛି। ଯଦି ଦଳ ତାଙ୍କୁ ସୁଯୋଗ ଦିଏ ତେବେ ସେ ନିଶ୍ଚୟ ନିର୍ବାଚନ ଲଢ଼ିବେ। ନଚେତ୍ ଦଳ ଯାହା ଦାୟିତ୍ବ ଦେବ ତାହାକୁ ତୁଲାଇବି ବୋଲି ସେ କହିଛନ୍ତି। ଅପରପକ୍ଷରେ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ କଂଗ୍ରେସ ଦଳର ନୀତି, ଆଦର୍ଶ ଓ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ପ୍ରଭାବିତ ହୋଇ ଦଳରେ ଯୋଗଦେଇଛି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ କଂଗ୍ରେସ ପକ୍ଷରୁ ମନୋରଞ୍ଜନ ଦାଶ, ସଂଗ୍ରାମ କିଶୋର ଓ ଝୁନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖ ଯେ ସିପ୍ରା ମଲ୍ଲିକ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାର ବିଧାୟିକା ଥିଲେ। ୨୦୧୪ ଓ ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଥିଲା। ଚଳିତ ନିର୍ବାଚନରେ ସେ ଟିକେଟ ପାଇବା ନେଇ ଆଶାବାଦୀ ଥିଲେ। ମାତ୍ର କଂଗ୍ରେସର ପୂର୍ବତନ ବିଧାୟକ ଗଣେଶ୍ବର ବେହେରା ବିଜେଡିରେ ଯୋଗ ଦେବା ପରେ ଦଳ ତାଙ୍କୁ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର