ଉରକେଲା : ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅନ୍ତର୍ଗତ ବସ୍ତିବାସିନ୍ଦାଙ୍କୁ ‘ ଜାଗା ମିଶନ’ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଚାଲିଛି ‘ଉଷା’ ସର୍ଭେ। ଅନେକ ବସ୍ତିରେ ‘ଉଷା’ ସର୍ଭେକୁ ନେଇ ଚାଲିଛି ଜୋରଦାର ରାଜନୀତି। ସ୍ଥାନୀୟ ନେତାମାନେ ସର୍ଭେ ପାଇଁ ଆସୁଥିବା ସଂସ୍ଥାକୁ ଦିଗଭ୍ରଷ୍ଟ କରୁଛନ୍ତି। ଏପରିକି କିଛି ବସ୍ତିବାସିନ୍ଦାଙ୍କ ଠାରୁ ୨ରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଇ ତାଲିକାରେ ନାମ ସଂଯୋଗ କରୁଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ସହରର କେବଳ ଗୋଟିଏ ଦୁଇଟି ବସ୍ତିରେ ନୁହେଁ ପ୍ରାୟ ସମସ୍ତ ବସ୍ତିରେ ଚାଲିଛି ଏଭଳି ବେଆଇନ କାର୍ଯ୍ୟ। ମାଲଗୋଦାମ, ମଧୁସୂଦନପାଲି, ଟିମ୍ବରକଲୋନି, ଗୋପବନ୍ଧୁପାଲୀ ଠାରୁ ଆରମ୍ଭ କରି ଏଫ୍ସିଆଇ ବସ୍ତି, ଆମ୍ବେଦକର ବସ୍ତି, ବିରଜାପାଲି ବସ୍ତି। ସେମିତି କୁମ୍ଭାରପଡା, ଧାମରା ବସ୍ତି, ସିଭିଲଟାଉନସିପ୍ ମାନଟୋଲା, ପାନପୋଷସ୍ଥ ବାଲୁଘାଟ, କଳିଙ୍ଗ ବିହାରସ୍ଥ ତୁଳସୀଟୋଲା, ସେକ୍ଟର-୨୧ ନୟବଜାରସ୍ଥ ଅନେକ ବସ୍ତି, ପ୍ଲାଣ୍ଟସାଇଟ୍ ଆଦି ବସ୍ତିରେ ଏଭଳି ସାଂଘାତିକ ଅଭିଯୋଗ ଆସୁଛି।
ସର୍ଭେ ଦାୟିତ୍ବରେ ଥିବା କିଛି କର୍ମଚାରୀ ଓ ବସ୍ତିର କିଛି ନେତାଙ୍କୁ ଧରି ଏଭଳି ନିୟମବିରୋଧୀ କାର୍ଯ୍ୟ କରୁଛନ୍ତି। ସର୍ଭେ ସଂସ୍ଥା ଓ ସ୍ଥାନୀୟ ନେତାଙ୍କ ଭିତିରି ସଲାସୁତୁରା ଯୋଗୁ ସର୍ଭେ ପରେ ଅଧିକାଂଶ ବସ୍ତିବାସିନ୍ଦାଙ୍କ ନାଁ ତାଲିକାରେ ଆସୁନି। ପ୍ରତିବାଦରେ ଦୈନିକ ଶତାଧିକ ବସ୍ତିବାସିନ୍ଦା ଆର୍ଏମ୍ସିର ବିଭାଗୀୟ ଅଫିସ୍ରେ ଭିଡ ଜମାଉଛନ୍ତି। ଆଉ କିଛି ବସ୍ତିବାସିନ୍ଦା ଆର୍ଏମ୍ସି ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ ଚାରି ଦିନ ସର୍ଭେ ତାଲିକାରୁ ବାଦ୍ ପଡ଼ିଥିବା ଧାମରା ସଂଘର ଶତାଧିକ ବସ୍ତିବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ଭେଟିଥିଲେ। ଗୁରୁବାର ଦିନ ପ୍ଲାଣ୍ଟସାଇଟ୍ ଅଞ୍ଚଳର ଶତାଧିକ ବସ୍ତିବାସିନ୍ଦା ଆର୍ଏମ୍ସି ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଠିକ୍ ଭାବେ ସର୍ଭେ କରିବାକୁ ଦାବି କରିଛନ୍ତି। ୧୫୪ରୁ ଅଧିକ ବସ୍ତିବାସିନ୍ଦା ଦସ୍ତଖତ ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମ୍ସି କମିସନରଙ୍କୁ ଦେଇଛନ୍ତି।
ଅଧିକାଂଶ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି, ‘ଉଷା’ ସର୍ଭେ ନେଇଥିବା ସଂସ୍ଥାର କର୍ମଚାରୀମାନେ ବସ୍ତିର ନେତାମାନଙ୍କ ଦ୍ବାରା ପରିଚାଳିତ ହେଉଛନ୍ତି। ନେତାମାନେ ଯେଉଁମାନଙ୍କ ନାମ ଦେଉଛନ୍ତି, ସେହି ନା’ଗୁଡ଼ିକୁ ସର୍ଭେ ତାଲିକାରେ ପ୍ରକାଶ ପାଉଛି। ଅନ୍ୟଗୁଡ଼ିକୁ ବାଦ୍ ଦିଆଯାଉଛି। ଏପରିକି ସର୍ଭେ ସଂସ୍ଥା ପ୍ରତ୍ୟେକ ଘରେ ସର୍ଭେ କରିବା ପରେ ‘ଉଷା’ ଷ୍ଟିକର ମାରି ଚାଲିଯାଉଛନ୍ତି। ପରବର୍ତ୍ତୀ ସମୟରେ କିନ୍ତୁ ସର୍ଭେ ତାଲିକାରେ ସେମାନଙ୍କ ନାଁ ଆସୁନି। କେବଳ ଏତିକି ନୁହେଁ, ପ୍ରକାଶ ପାଇଥିବା ତାଲିକାରେ ସାଂଘାତିକ ତ୍ରୁଟି ପରିଲକ୍ଷିତ ହେଉଛି। ସର୍ଭେ ତାଲିକାରେ ଗୋଟିଏ ଘରେ ୩/୪ ଜଣଙ୍କ ନାଁ ରହିଛି। ଏପରିକି କୁନି କୁନି ପିଲାଙ୍କ ନାଁ ମଧ୍ୟ ଦେଖିବାକୁ ମିଳୁଛି। ଗାନ୍ଧିରୋଡରେ ପ୍ରାୟ ୬୦୦ ଘର ସର୍ଭେ କରାଯାଇଥିଲା। ତାଲିକାରେ ଆସିଛି ମାତ୍ର ୨୦/୩୦ ଜଣଙ୍କ ନାଁ। ସେକ୍ଟର-୨୧ ନୟାବଜାରରେ ଗୋଟିଏ ବସ୍ତିରେ ଅଧା ଲୋକଙ୍କ ନାଁ ରହିଛି। ଅଧା ଲୋକଙ୍କୁ ବାଦ୍ ଦିଆଯାଇଛି। କେଉଁ ଆଧାରରେ ଏମାନଙ୍କ ନାଁ ସର୍ଭେ ତାଲିକାରୁ ବାଦ୍ ପଡୁଛି ? କେଉଁମାନେ ତଦାରଖ କରୁଛନ୍ତି ? ବାରମ୍ବାର ଏଭଳି ତ୍ରୁଟି ହେଉଥିଲେ ହେଁ, କାହିଁକି ବିଭାଗୀୟ ଉଚ୍ଚ ଅଧିକାରୀ ଧ୍ୟାନ ଦେଉ ନାହାନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ‘ଉଷା’ସର୍ଭେ ନାଁରେ ବସ୍ତିରେ ଚାଲିଥିବା ଏଭଳି ପାତରଅନ୍ତର ନୀତିକୁ ତରୁନ୍ତ ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ନ ହେଲେ ଆଗାମୀ ଦିନରେ ବସ୍ତିଗୁଡ଼ିକର ଭୟଙ୍କର ସ୍ଥିତି ଉପୁଜିବା ସମ୍ଭାବନାକୁ ଏଡାଇ ଦିଆଯାଇନ ପାରେ। ଉଲ୍ଲେଖଯୋଗ୍ୟ, ଆର୍ଏମ୍ସି ଅଧୀନରେ ମୋଟ ୧୩୨ଟି ବସ୍ତି ରହିଛି। ୪୦ ହଜାର ୪୮୦ ଘର ରହିଛି। ବସ୍ତିର ମୋଟ ଲୋକସଂଖ୍ୟା ହେଉଛି ୧ ଲକ୍ଷ ୬୪ ହଜାର ୮୬୦।