ସୁଦର୍ଶନଙ୍କ ଆଶ୍ରମ ବିଜେ

ପୁରୀ : ଶ୍ରୀମନ୍ଦିରରେ ରବିବାର ଦିନ କୁମାର ପୂର୍ଣ୍ଣିମା ନୀତି ସମ୍ପନ୍ନ ହୋଇଛି। ସକାଳେ ଦ୍ବାର ଫିଟା ଓ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତି ପରେ ଅବକାଶ, ଦୈନନ୍ଦୀନ ନୀତି ସମାପନ ହୋଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ହୋଇଥିଲା। ପରେ ଗୋପାଳବଲ୍ଲଭ ଓ ସକାଳଧୂପ କରାଯାଇଥିଲା। ଭୋଗମଣ୍ଡପ ଓ ଦ୍ବିପ୍ରହର ଧୂପ ପରେ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ନେଇ ଚକ୍ରରାଜ ସୁଦର୍ଶନଙ୍କୁ ପ୍ରଦାନ କରିଥିଲେ। ଦଇତାପତି ସେବକମାନେ ସୁଦର୍ଶନଙ୍କୁ ରତ୍ନ ସିଂହାସନରୁ ଜଗମୋହନକୁ ବିଜେ କରାଇଥିଲେ।

ସୁଦର୍ଶନଙ୍କ ବାଡ଼ର ମୁଖ୍ୟ ପତି ମହାପାତ୍ର ଓ ଦଇତାପତିମାନେ ସୁଦର୍ଶନଙ୍କୁ ବିଜେ କରାଇବା ପରେ ବିମାନବଡ଼ୁ ସେବକମାନେ ସୁଦର୍ଶନଙ୍କୁ ଲବଣିଖିଆ ପନ୍ତିଘର ନିକଟକୁ ନେଇଥିଲେ। ପନ୍ତି ସମାପନ ହେବା ପରେ କରତିସାହି ଦେଇ ଶ୍ରୀସୁଦର୍ଶନ ଅଙ୍ଗିରା ଆଶ୍ରମ ବିଜେ କରିଥିଲେ। ପାରମ୍ପରିକ ନୀତି ସରିବା ପରେ ସେଠାରୁ ସୁଦର୍ଶନ ଉଆଁସ ଦାଣ୍ଡରେ ଭୃଗୁ ଆଶ୍ରମ ଓ ହରଚଣ୍ଡୀସାହି ଯମ୍ବେଶ୍ବର ମନ୍ଦିର ନିକଟ ପଣ୍ଡୁ ଆଶ୍ରମରେ ବିଜେ କରିଥିଲେ। ସେଠାରେ ପନ୍ତି ସରିବା ପରେ ହରଚଣ୍ଡୀସାହି ବାରବାଟୀ ଜାଗାଘର ଦେଇ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ନିକଟରେ ପହଞ୍ଚିଥିଲେ। ଦ୍ବାର ନିକଟରେ ପତି ମହାପାତ୍ର ବନ୍ଦାପନା କରିବା ପରେ ବାହୁଡ଼ା ବିଜେ କରି ରତ୍ନ ସିଂହାସନରେ ବିଜେ କରିଥିଲେ। ଏହାପରେ ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମହାସ୍ନାନ କରାଯାଇଥିଲା। ବେଶ ବଢ଼ିବା ପରେ ସନ୍ଧ୍ୟା ଆଳତି ହୋଇ ୪ ପୂଜାପଣ୍ଡା ସନ୍ଧ୍ୟାଧୂପ ମଣୋହି କରାଇଥିଲେ।

ସମ୍ବନ୍ଧିତ ଖବର