ବ୍ଲକ୍‌ ସମ୍ମୁଖରେ ଗାଈ ବାନ୍ଧି ବିକ୍ଷୋଭ କଲେ ହିତାଧିକାରୀ

ଜଳେଶ୍ୱର: ଆଜି ଜଳେଶ୍ୱର ବ୍ଲକ୍‌ରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଥିଲା। ଏହି ସମୟରେ ମିସନ ଶକ୍ତି ପକ୍ଷରୁ ଗାଈ ଯୋଗାଣରେ ହୋଇଥିବା ଅନିୟମିତତାର ପ୍ରତିବାଦ କରି ବ୍ଲକ୍‌ ସମ୍ମୁଖରେ ଅନ୍ଦୋଳନ କରିଛନ୍ତି ଚମାରଗାଁ ପଞ୍ଚାୟତର ମହିଳା ହିତାଧିକାରୀ। ସେହିପରି ଅନ୍ୟ ସମସ୍ୟା ନେଇ ବର୍ତ୍ତନା ଓ କୁମୁଚିଆର ଶତାଧିକ ଲୋକ ମଧ୍ୟ ବିକ୍ଷୋଭ କରିଥିବା ଜଣାପଡ଼ିଛି।

ଚମାରଗାଁ ପଞ୍ଚାୟତରେ ମିସନ ଶକ୍ତି ଓ ଜୀବିକା ମିସନ ପକ୍ଷରୁ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଗାଈ ଯୋଗାଇ ଦିଆଯାଇଥିଲା। ତେବେ ହିତାଧିକାରୀଙ୍କୁ ନିମ୍ନମାନର ଗାଈ ଦିଆଯାଇଥିଲା। କାଗଜକଲମରେ ଗୋଟିଏ ଗୋଟିଏ ଗାଈ ମୂଲ୍ୟ ୩୦ ହଜାର ଟଙ୍କା ଦର୍ଶାଯାଇଥିବା ବେଳେ ପ୍ରକୃତରେ ପ୍ରତି ଗାଈର ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ହିତାଧିକାରୀମାନେ ଅଭିଯୋଗ ଆଣିଥିଲେ। ଆଜି ସେମାନେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅବସରରେ ବ୍ଲକ୍‌ ସମ୍ମୁଖରେ ଗାଈ ବାନ୍ଧି ଆନ୍ଦୋଳନ କରିଥିଲେ। ସେହିପରି ବର୍ତ୍ତନା ପଞ୍ଚାୟତରେ ଏକ କଲ୍ୟାଣ ମଣ୍ଡପ ପାଇଁ ଜାଗା ନିରୂପଣକୁ ନେଇ ପୂର୍ବତନ ସରପଞ୍ଜ ପଦ୍ମଲୋଚନ ବେହେରା ଓ ସମିତି ସଭ୍ୟ ତ୍ରିଲୋଚନ ଦାସଙ୍କ ନେତୃତ୍ୱରେ ଶତାଧିକ ଲୋକ ଅନଶନ କରିଥିଲେ।

କୁମୁଚିଆ ଗାଁ’ରେ ଏକ ପାଣିପମ୍ପ୍‌ ବସାଇବାକୁ ଜାଗା ନିରୂପଣ ନେଇ ଦେଖା ଦେଇଥିବା ବିବାଦ ବିରୋଧରେ ଗ୍ରାମବାସୀ ଆନ୍ଦୋଳନ କରିଥିଲେ। ଜନ ଅଭିଯୋଗ ଶୁଣାଣି ଶିବିର ସରିବା ପରେ ଏଡିଏମ୍‌ ନିଲୁ ମହାପାତ୍ର, ପିଡି ବିଶ୍ବରଂଜନ ନାୟକ, ବିଡିଓ ପୁନମ ରାଉତ, ଆଇଆଇସି ରୋଜାଲିନ ବେହେରା ଆନ୍ଦୋଳନକାରୀଙ୍କ ସହ ଆନ୍ଦୋଳନରେ ସାମିଲ ଥିବା କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ଚମରଗାଁ’ର ପୂର୍ବତନ ସରପଞ୍ଚ ହେମନ୍ତ ଗିରି, ତପନ ଘୋଷ, ତପନ ସାମଲ, ନବୀନ ଦାସ, ରାହୁଲ ଗିରି, ସରପଞ୍ଚ ଚନ୍ଦ୍ରକାନ୍ତ ମଲ୍ଲିକ, ସୁଦାମ ପାତ୍ର, ସୌଭିକ ଜେନା, ଗୌରାଙ୍ଗ ମହାପାତ୍ର, ବିଜେପି ଯୁବନେତା ଦିବ୍ୟକାମ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଥିଲା। ଜିଲ୍ଲାପାଳ ଛୁଟିରେ ଥିବା ବେଳେ ସେ ଫେରିବା ପରେ ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର