କଳାହାଣ୍ଡି ଶ୍ରମିକଙ୍କ ହାତ କାଟିବା ମାମଲା: ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଦାୟର ଅପିଲ୍‌ ଖାରଜ

କଟକ: କଳାହାଣ୍ଡିର ଜଣେ ଶ୍ରମିକଙ୍କ ହାତ ପାପୁଲି କଟାଯିବା ମାମଲାରେ ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଦାୟର ସମସ୍ତ ଅପିଲ୍‌କୁ ହାଇକୋର୍ଟ ଖାରଜ କରିଛନ୍ତି। ନିମ୍ନ ଅଦାଲତ ଆଇପିସିର ଦଫା ୩୬୪-କରେ ବିମଳ ରାଉତ, ମଣ୍ଟୁ, ନିଆଳ, ଅର୍ଜୁନ ଭୋଇ, ବନ ମାଝୀ, ବୈକୁଣ୍ଠ ରାଉତି, ପରବେଶ ଓରଫ ପରମେ ଦୁଣ୍ଡିଙ୍କୁ ପ୍ରଦାନ କରିଥିବା ଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ବଦଳରେ ଏହି ୬ଜଣଙ୍କୁ ଆଇପିସିର ଦଫା ୩୬୭ରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍‌ ଓ ୨ ହଜାର ଟଙ୍କା ଲେଖାଏ ଜରିମାନା ଦଣ୍ଡ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଜରିମାନା ନ ଦେଲେ ଆସାମୀଙ୍କୁ ଅଧିକ ତିନିମାସ ଜେଲ୍‌ଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ବି.ପି. ରାଉତରାୟ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ବିମଳ ରାଉତ ଓ ଅନ୍ୟ ୫ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଇଟା ଭାଟିରେ ମାସିକ ୨୦ ହଜାର ଟଙ୍କା ଦରମାରେ କାମ ମିଳିବ ବୋଲି ଶ୍ରମିକ ଠିକାଦାର ଓ ଦଲାଲ କଳାହାଣ୍ଡିର କେତେକ ଶ୍ରମିକଙ୍କୁ ପ୍ରଲୋଭନ ଦେଖାଇଥିଲେ। ନୀଳାମ୍ବର ଧାଙ୍ଗଡ଼ା ମାଝୀ, ଦିଆଲୁ ନିଆଳ ଓ ଅନ୍ୟମାନଙ୍କୁ ପ୍ରଥମେ ଗାଡ଼ି ମାଧ୍ୟମରେ ସିନାପାଲି ନିଆଯାଇଥିଲା। ଏହାପରେ କୋଟମାଳକୁ ଶ୍ରମିକଙ୍କୁ ନିଆଯାଇ କିଛିଦିନ ରଖାଯାଇଥିଲା। ସେଠାକୁ ଇଟାଭାଟି ମାଲିକ ଆସି ଶ୍ରମିକଙ୍କ ପାଇଁ କିଛି ଟଙ୍କା ଦେଇଥିଲେ। ଶ୍ରମିକମାନଙ୍କୁ ହାଇଦ୍ରାବାଦ ଯିବା ପାଇଁ କୁହାଯାଇଥିଲା। ଏହାପରେ ଶ୍ରମିକମାନଙ୍କୁ ଖରିଆର ଦେଇ ରାୟପୁର ରେଳ‌ ଷ୍ଟେସନ ନିଆଯାଇଥିଲା। ଶ୍ରମିକଙ୍କୁ ଧମକ ଓ ଭୟଭୀତ କରାଯିବା ସହ ମାଡ଼ ମରାଯାଇଥିଲା। ଟ୍ରେନ୍‌ରେ ଯାଉଥିବା ବେଳେ କେତେକ ଶ୍ରମିକ ଖସି ପଳାଇଥିଲେ। ପରବର୍ତ୍ତୀ ସମୟରେ ଦୁର୍ବୃତ୍ତମାନେ ନୀଳାମ୍ବର ଓ ଦିଆଳୁଙ୍କୁ ପୁଣି କୋଟମାଳକୁ ନେଇଥିଲେ। ଉଭୟଙ୍କୁ ଛାଡ଼ିବାକୁ ୨ ଲକ୍ଷ ଟଙ୍କା ଦାବି କରିଥିଲେ ଦୁର୍ବୃତ୍ତ।

‌ଦୁଇ ପୀଡ଼ିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। କିନ୍ତୁ ଦାବି ମୁତାବକ ଟଙ୍କା ନ ମିଳିବାରୁ ଦୁର୍ବୃତ୍ତମାନେ ଦୁଇ ପୀଡ଼ିତଙ୍କୁ ନିର୍ଯାତନା ଦେବା ସହିତ ବିଲରେ କାମ କରାଇଥିଲେ। ସିନ୍ଧେକେଲା ପାଖ ଜଙ୍ଗଲକୁ ନେଇ ନୀଳାମ୍ବର ଓ ଦିଆଲୁଙ୍କ ଡାହାଣ ହାତ କଚଟି ପାଖରୁ ହାଣି ପାପୁଲିକୁ ଅଲଗା କରି ଦେଇଥିଲେ। ଦୁଇ ପୀଡ଼ିତ ସେଠାରୁ ଗୁରୁତର ଆହତ ଅବସ୍ଥାରେ ଖସି ଆସି ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ପୀଡ଼ିତଙ୍କ ପରିବାର ସଦସ୍ୟ ପହଞ୍ଚିଥିଲେ। ଏ ନେଇ ଅଭିଯୋଗ ହେବା ପରେ ଟାଉନ ଥାନା ଓ ଜୟପାଟଣା ଥାନା ପୁଲିସ ପହଞ୍ଚିଥିଲା। ଉପରୋକ୍ତ ୬ ଆସାମୀଙ୍କ ସମେତ ଅନ୍ୟ ଦୁର୍ବୃତ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଧର୍ମଗଡ଼ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତ ମାମଲାର ଶୁଣାଣି କରି ୨୦୧୬, ଡିସେମ୍ବର ୨୪ରେ ରାୟ ପ୍ରକାଶ କରିଥିଲେ। ବିମଳ ରାଉତ, ମଣ୍ଟୁ ନିଆଳ, ଅର୍ଜୁନ ଭୋଇ, ବନ ମାଝୀ, ପ୍ରବେଶ ଓରଫ ପରମେ ଦୁଣ୍ଡିଙ୍କ ସହିତ ଅନ୍ୟ ଜଣଙ୍କୁ ଅଦାଲତ ଆଇପିସିର ଦଫା ୩୬୪-କରେ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ। ଏଥିସହ ଆଇପିସିର ଦଫା ୩୬୫, ୩୪୨, ୩୭୦, ୫୦୬, ୪୨୦, ୩୪, ଗୋତି ଶ୍ରମିକ ବ୍ୟବସ୍ଥା ଉଚ୍ଛେଦ ଆଇନର ଧାରା ୧୬, ୧୭ରେ ମଧ୍ୟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ଦଣ୍ଡାଦେଶ ବିରୋଧରେ ଉପରୋକ୍ତ ଆସାମୀମାନେ ପୃଥକ ଅପିଲ ହାଇକୋର୍ଟରେ ଦାୟର କରିଥିଲେ।

ସମ୍ବନ୍ଧିତ ଖବର