ଋଣ ଶୁଝିଲେନି; ସାଂସଦ ଅନୁଭବଙ୍କ ଭାଇଙ୍କ ଜମି କୋରଖ

କଟକ: ଜମି ବନ୍ଧକ ରଖି ଋଣ ପରିଶୋଧ ନ କରିବାରୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ତୁଳସୀପୁରରେ ଥିବା ଏକ ଜମିକୁ କଟକ ଅର୍ବାନ କୋପରେଟିଭ୍ ବ୍ୟାଙ୍କ ଦଖଲକୁ ନେଇଛି। କିନ୍ତୁ କଟକର ବହୁ ପୁରାତନ ନେତାଜୀ କ୍ଲବ୍ ନିକଟରେ ଥିବା ଏହି ଜମି କ୍ଲବର ବୋଲି ସଦସ୍ୟମାନେ ଦାବି କରିବା ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଜମି ଦଖଲକୁ ବିରୋଧ କରିବାରୁ ଘଟଣାସ୍ଥଳରେ ଠେଲାପେଲା, ବାଦବିବାଦରେ ଜଣେ ମହିଳାଙ୍କ ନାକ ଫାଟି ଯାଇଥିଲା। ଉକ୍ତ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚଞ୍ଚକତା କରି କ୍ଲବର ଏହି ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ନିଆଯାଇଥିବା ବେଳେ ଏବେ ବ୍ୟାଙ୍କ ତାହାକୁ ଦଖଲ କରିବା ଘଟଣାକୁ ବିରୋଧ କରାଯାଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ପୁଲିସ ସହାୟତାରେ ଜମିକୁ ଦଖଲକୁ ନେଇ ସେଠାରେ ସିମେଣ୍ଟ ଖୁଣ୍ଟ ପୋତିଛନ୍ତି।

ସୂଚନା ଅନୁସାରେ, ଚୌଧୁରୀ ବଜାର ନନ୍ଦୀସାହି ଅଞ୍ଚଳର ବାସିନ୍ଦା ଅନୁପ୍ରାସ ମହାନ୍ତି ଏହି ଏକ ଗୁଣ୍ଠ ଜମି ବନ୍ଧକ ଦେଇ ଦୁଇଟି ହାଇୱା ପାଇଁ ଗଣ୍ଡରପୁରସ୍ଥିତ ଅର୍ବାନ ବ୍ୟାଙ୍କ ଶାଖାରୁ ୨୦୧୫, ସେପ୍ଟେମ୍ବର ୩୦ ତାରିଖରେ ୫୭ ଲକ୍ଷ ଟଙ୍କା ଋଣ ନେଇଥିଲେ। ବ୍ୟାଙ୍କର ଋଣ ଠିକ୍‌ରେ ପରିଶୋଧ କରୁ ନଥିବାରୁ ବ୍ୟାଙ୍କ ପକ୍ଷରୁ ତାଙ୍କୁ ବାରମ୍ବାର ନୋଟିସ ଦିଆଯାଉଥିଲେ ବି ସେ ଏହାକୁ ଖାତିର କରୁ ନଥିଲେ। ଋଣ ଖିଲାପ ଓ ବାରମ୍ବାର ନୋଟିସ୍‌ ଘଟଣାକୁ ୮ ବର୍ଷ ବିତିଯାଇଥିବା ବେଳେ ଏହି ପରିମାଣ ଏବେ ୭୭ ଲକ୍ଷରେ ପହଞ୍ଚି ଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଫଳରେ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ବ୍ୟାଙ୍କର କର୍ମଚାରୀ, ଏସିପି ଅମିତାଭ ମହାପାତ୍ରଙ୍କ ନେତୃତ୍ବରେ ଦୁଇ ସେକ୍ସନ ପୁଲିସ ଫୋର୍ସ ସହିତ ତୁଳସୀପୁର ନେତାଜୀ କ୍ଲବ୍ ନିକଟରେ ଥିବା ଜାଗାକୁ ଦଖଲକୁ ନେବାକୁ ଯାଇଥିଲେ। କିନ୍ତୁ ଏହି ଜମିକୁ ବ୍ୟାଙ୍କ କିଭଳି ବନ୍ଧକ ରଖି ଋଣ ଦେଇଥିଲା ବୋଲି କ୍ଲବ୍ ପକ୍ଷରୁ ପ୍ରଶ୍ନ କରାଯାଉଛି।
ଅନ୍ୟପଟେ ବ୍ୟାଙ୍କର ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ଓ ସିଇଓ ପ୍ରିୟବ୍ରତ ପଣ୍ଡା ବ୍ୟାଙ୍କର ଋଣ ଖିଲାପୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ତ୍ବରାନ୍ବିତ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର