କ୍ଷମତାକୁ ଆସିଲେ ପ୍ରଥମ କାମ ମାଗଣା ବିଜୁଳି: ଖୋର୍ଦ୍ଧାରେ ପାଣ୍ଡିଆନଙ୍କ ରୋଡ୍‌ ସୋ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ବିଜେଡି ନେତା ଭିକେ ପାଣ୍ଡିଆନ ଆଜି ରୋଡ୍ ସୋ କରି ଖୋର୍ଦ୍ଧାର ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଓ ଭୁବନେଶ୍ବର ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ କ୍ୟାପଟେନ୍ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସନ୍ଧ୍ୟାରେ ଜଟଣୀ-ମୁକୁନ୍ଦପ୍ରସାଦ ଓରଭବ୍ରିଜ୍‌ ନିକଟରୁ ଆରମ୍ଭ ହୋଇଥିଲା ଏହି ଶୋଭାଯାତ୍ରା। ମୁକୁନ୍ଦପ୍ରସାଦ, ଟ୍ରାଫିକ୍‌ ଛକ, ଷ୍ଟେଟ୍ ବ୍ୟାଙ୍କ୍‌ ଛକ, ନୂଆ ବସ୍‌ଷ୍ଟାଣ୍ଡ୍ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ଯାଇଥିଲା। ବିଜେଡିର ଦଳୀୟ କର୍ମୀ, ମହିଳା ଓ ଯୁବଗୋଷ୍ଠୀ ସହରର ବିଭିନ୍ନ ଛକ ଜାଗାମାନଙ୍କରେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ବିଶାଳ ଶୋଭାଯାତ୍ରାରେ ଯୋଡ଼ିଶଙ୍ଖ ସହିତ ବିଭିନ୍ନ ସାଂସ୍କୃତିକ ନୃତ୍ୟ, ବାଜା ଓ ବାଣରେ ସହର ପ୍ରକମ୍ପିତ ହୋଇଥିଲା। ଶୋଭାଯାତ୍ରାରେ ପାଣ୍ଡିଆନ ସହରବାସୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ। ଜୁନ୍‌ ୨୫ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ଭୋଟ୍‌ ଦେଇ ଆଶୀର୍ବାଦ କରିବା ସହିତ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁରୋଧ କରିଥିଲେ। ତାସହିତ କହିଥିଲେ, ଏଥର ମୁଖ୍ୟମନ୍ତ୍ରୀ ଷଷ୍ଠଥର କ୍ଷମତାକୁ ଆସିଲେ, ପ୍ରଥମ କାମ ସ୍ବରୂପ ଲୋକଙ୍କର ବିଜୁଳି ବିଲ୍‌କୁ ମାଗଣା କରାଯିବ। ଏହା ଦ୍ବାରା ଓଡ଼ିଶାର ୯୦ପ୍ରତିଶତ ଲୋକ ଏହି ଯୋଜନାରୁ ଉପକୃତ ହେବେ ସେହିଭଳି ଖୋର୍ଦ୍ଧାର ବିକାଶ ଧାରାକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର