ଗଡ଼ୁନି ପୁଲିସର ଜରୁରି ଗାଡ଼ି: ତେଲ ନାହିଁ; ଆଣ୍ଠେଇଛି ‘୧୧୨’

ସପ୍ତାହ ହେଲାଣି ଅଚଳାବସ୍ଥା, ଜରୁରି ସେବା ଠପ୍‌

କେନ୍ଦ୍ରାପଡ଼ା : ପୂର୍ବରୁ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ଭିନ୍ନ ଭିନ୍ନ ଫୋନ୍ ନମ୍ବର ଥିଲା। କିନ୍ତୁ ବ୍ୟବସ୍ଥାର ସରଳୀକରଣ ପାଇଁ ସବୁକୁ ବଦଳାଇ ଗୋଟିଏ କରି ଦିଆଗଲା। ‘୧୧୨’ ନମ୍ବର ଡାଏଲ କଲେ ପୁଲିସ, ଅଗ୍ନିଶମ ଆଉ ଆମ୍ବୁଲାନସ ସେବା ତ୍ବରିତ ପହଞ୍ଚିବାର ବ୍ୟବସ୍ଥା କରାଗଲା। ଜରୁରୀ ସେବା ପାଇଁ ସ˚ଖ୍ୟା ବଦଳାଇ ଗୋଟିଏ କରିଦିଆଗଲା ସତ କିନ୍ତୁ ସେବା ତ୍ବରିତ ହେବା ପରିବର୍ତେ ଏବେ ‌ଏହା ଅଚଳ ହେଲାଣି। ପୁଲିସ ବିଭାଗର ଥାନାରେ ‘୧୧୨ ଜରୁରି ସେବା ଗାଡ଼ି ପାଇଁ ତେଲ ନଥିବା ଘଟଣା ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ଗଲା ପ୍ରାୟ ସପ୍ତାହ ହେବ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଏଥିପ୍ରତି କାହାରି କିନ୍ତୁ ନିଘା ନାହିଁ। ଘରୋଇ ସ˚ସ୍ଥା ହାତରେ ଏହାର ପରିଚାଳନା ଭାର ଥିବାରୁ ପୁଲିସ ବି ହାତ ଟେକି ଚୁପ୍‌ ବସିଛି। ଫଳରେ ଜରୁରି ସେବା ପାଇଁ ଜନସାଧାରଣଙ୍କ ଫୋନ୍‌ ଆସୁଥିଲେ ବି ଗାଡ଼ି ଯେଉଁଠି ଘଟଣାସ୍ଥଳରେ ପହଞ୍ଚି ପାରୁନାହିଁ; ସେଠି ତ୍ବରିତ ସେବା କିପରି ମିଳିବ ବୋଲି ପ୍ରଶ୍ନ ଉଠିଲାଣି।

୨୦୨୧, ମାର୍ଚ୍ଚ ୧୯ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ୍‌ ନାମରେ ଏହି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପୁଲିସ, ଅଗ୍ନିଶମ ଆଉ ଆମ୍ବୁଲାନ୍ସ ପାଇଁ ପୂର୍ବରୁ ଥିବା ଭିନ୍ନ ଭିନ୍ନ ନମ୍ବରକୁ ଉଚ୍ଛେଦ କରି ୧୧୨ ନମ୍ବର ଜାରି କରାଯାଇଥିଲା। ଏହି ନମ୍ବରରେ କଲ୍‌ କଲେ ଜନସାଧାରଙ୍କୁ ଉପରୋକ୍ତ ତିନିଟି ବିଭାଗ ସେବା ତ୍ବରିତ ମିଳିପାରିବ ବୋଲି କୁହାଯାଇଥିଲା। ଏହି କ୍ରମରେ ପୁଲିସର ପୂର୍ବରୁ ଥିବା ୧୦୦ ନମ୍ବର ବଦଳି ୧୧୨ ହୋଇଯାଇଥିଲା। ସରକାର ବି ଏଥିପାଇଁ ୧୫୭କୋଟିର ସ୍ବତନ୍ତ୍ର ବ୍ୟୟବରାଦ କରିଥିଲୋ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର ସହର ସମେତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ସେବା ଆରମ୍ଭ ହୋଇଥିଲା। ଅତ୍ୟାଧୁନିକ ଜିପିଏସ୍‌ ଖଞ୍ଜା ଥିବା ଗାଡ଼ି ବି ଯୋଗାଇ ଦିଆଯାଇଥିଲା।

କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇଟି ଥାନା କେନ୍ଦ୍ରାପଡ଼ା ଟାଉନ ଓ ମାର୍ଶାଘାଇ ଥାନାକୁ ମିଳିଥିଲା ୧୧୨ ଜରୁରି ସେବା ଗାଡ଼ି। ମଡେଲ୍‌ କଣ୍ଟ୍ରୋଲ୍‌ ରୁମ୍‌ ଜରିଆରେ ଏହା ପରିଚାଳିତ ହେଉଥିଲା। ସାରା ରାଜ୍ୟର ଯେକୌଣସି ସ୍ଥାନରେ ରହି ତ୍ବରିତ ସେବା ପାଇଁ ୧୧୨ନମ୍ବରକୁ ଡାଏଲ କଲେ ତାହା କଣ୍ଟ୍ରୋଲ ରୁମ୍‌ ଜରିଆରେ ଏହି ଜରୁରି ଗାଡ଼ି ଆପଣଙ୍କ ପାଖେ ପହଞ୍ଚୁଥିଲା। ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ଏହା ଅଧିକ ଲାଭଦାୟକ ହେବ ବୋଲି କୁହାଯାଇଥିଲା। ମାତ୍ର ଦେଢ଼ ବର୍ଷ ଭିତରେ ସେବା ତ୍ବରିତ ହେବା ପରିବର୍ତେ ଠପ୍‌ ହୋଇଗଲାଣି। ଏହା ପଛରେ ଯେଉଁ କାରଣ ଦର୍ଶାଯାଉଛି, ତାହା ହେଉଛି ଘରୋଇ ସ˚ସ୍ଥା ଆଉ ଗାଡ଼ିକୁ ତେଲ ଦେଉନାହିଁ। ଘରୋଇ ସ˚ସ୍ଥା ଚିକିତ୍ସା ହେଲ୍‌ଥ କେୟାର ପ୍ରାଇଭେଟ୍‌ ଲିମିଟେଡ୍‌ ହାତରେ ଏହାର ପରିଚାଳନା ଭାର ନ୍ୟସ୍ତ ଅଛି। ସ˚ପୃକ୍ତ ସ˚ସ୍ଥା ଗାଡ଼ି ତେଲଠୁ ଡ୍ରାଇଭର‌୍‌ଙ୍କ ଦରମା ଯାଏ ସବୁକିଛି ବହନ କରୁଛି। ଡ୍ରାଇଭର‌୍‌ଙ୍କୁ ଏଟିଏମ୍‌ କାର୍ଡ ଭଳି ତେଲ ପକାଇବା ପାଇଁ ଏକ କାର୍ଡ ବି ଧରାଇ ଦିଆଯାଇଥିଲା। ମାତ୍ର ତାହା ଏବେ କାମ କରୁନାହିଁ।

ଗୋଟିଏପଟେ ତେଲ ଅଭାବରୁ ଗାଡ଼ି ଗଡ଼ୁନଥିବା ବେଳେ ଅନ୍ୟପଟେ ଥାନାକୁ ଆସୁଛି ଶହ ଶହ କଲ୍‌। ଜନସାଧାରଣ ୧୧୨ ନମ୍ବରକୁ ଡାଏଲ କଲେ ବି ଜରୁରି ସେବା ପାଇପାରୁନାହାନ୍ତି। ପୁଲିସ ବିଭାଗ ବି ନିରୁପାୟ। ଘରୋଇ ସ˚ସ୍ଥା ହାତରେ ପରିଚାଳନା ଭାର ଥିବାରୁ ପୁଲିସ ବି ଗାଡ଼ି ଚାଲିବା ଦିଗରେ କୌଣସି ପଦକ୍ଷେପ ନେଇପାରୁନାହିଁ। ଗଲା ପ୍ରାୟ ସପ୍ତାହ ହେବ ଜରୁରି ସେବା କ୍ଷେତ୍ରରେ ଏଭଳି ଅଚଳାବସ୍ଥା ଦେଖାଦେଇଥିବା ବେଳେ ଏହାର ସମାଧାନ ନ ହେବା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଜରୁରି ସେବା କ୍ଷେତ୍ରରେ ଯଦି ସ୍ଥିତି ଏମିତି ରହିବ, ତା ହେଲେ ସରକାର ଆଉ କେଉଁ ସେବାକୁ ଅଧିକ ପ୍ରାଧାନ୍ୟ ଦେବେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର