ବାରଙ୍ଗରେ କାର୍ତ୍ତିକେଶ୍ବର ଭସାଣି, ମେଲାଣି ନେଲେ ୪୮ ମୂର୍ତ୍ତି

ବାରଙ୍ଗ/ତ୍ରିଶୁଳିଆ: ବାରଙ୍ଗ ଅଞ୍ଚଳର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ଭସାଣି ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହିତ ଶେଷ ହୋଇଛି। ଚଳିତ ବର୍ଷ ଭସାଣି ଯାତ୍ରାରେ ମୋଟ ୪୮ଟି ମେଢ଼ ସାମିଲ ହୋଇଥିଲେ। ମଣ୍ମୟ ମୂର୍ତ୍ତିଗୁଡ଼ିକୁ ମଣ୍ତପର କର୍ମକର୍ତ୍ତା ବିରାଟ ଶୋଭାଯାତ୍ରାରେ ବିଭିନ୍ନ ପାରମ୍ପରିକ ବାଦ୍ୟ ଓ ରୋଷଣିରେ ଗ୍ରାମ ପରିକ୍ରମା କରାଇ ବିସର୍ଜନ ପାଇଁ ନେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ଡିସିପି ପିନାକ ମିଶ୍ରଙ୍କ ତତ୍ତ୍ୱବାଧନରେ ଏସିପି ଚନ୍ଦନ ଘଡ଼ାଇ, ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣାଙ୍କ ସମେତ ୫ ପ୍ଲାଟୁନ୍ ଫୋର୍ସ, ୭ ଜଣ ଇନ୍ସପେକ୍ଟର, ୧୫ ଜଣ ପୁଲିସ ଅଧିକାରୀ, ୧୦ ଜଣ କର୍ମଚରୀ, ୧୫ ଜଣ ହାବିଲଦାର ଓ ୧୫ ଜଣ ହୋମଗାର୍ଡ ନିୟୋଜିତ ହୋଇଥିଲେ। ତେବେ ପୁଲିସ ପ୍ରଶାସନର ଘୋଷଣା ସତ୍ତ୍ୱେ ଅପରାହ୍ନ ୪ଟାରୁ ବାରଙ୍ଗ ରାସ୍ତାରେ ଅସମ୍ଭାଳ ଭିଡ଼ ହୋଇଥିଲା।

ଭୁବନେଶ୍ୱର ପଟୁ ଆସିଥିବା ମୋ ବସ, କାର ଓ ବାଇକକୁ ନିୟନ୍ତ୍ରଣ କରିବାକୁ ଆଞ୍ଚଳିକ କମିଟିର କର୍ମକର୍ତ୍ତା ଓ ପୁଲିସ ପ୍ରଶାସନକୁ ନୟାନ୍ତ ହେବାକୁ ପଡ଼ିଥିଲା। ୨ବର୍ଷ ପରେ ଭସାଣି ଶୋଭାଯାତ୍ରା ଦେଖିବାକୁ ଲୋକମାନଙ୍କ ମଧ୍ୟରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ବିସର୍ଜନ ନିମନ୍ତେ ବାରଙ୍ଗ ବ୍ଲକ କାର୍ଯ୍ୟାଳୟ ପଛପଟେ ପ୍ରଶାସନ ପକ୍ଷରୁ କୃତ୍ରିମ ଜଳାଶୟ ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣାଙ୍କ ତତ୍ତ୍ବାବଧାନରେ ସବୁ ମେଢର ମୁରବିମାନଙ୍କୁ ଫୁଲମାଳ ଓ ଭୋଗ ହାଣ୍ତି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହି ଭଳି ବାରଙ୍ଗ ଥାନା ଛକ ପାଖରେ ଆଞ୍ଚଳିକ ଶାନ୍ତି କମିଟି ତରଫରୁ ସମସ୍ତ ମେଢର ମୁରବି ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟିର ସଭାପତି ପ୍ରତାପ ଚନ୍ଦ୍ର ପାଣି, କମିଟିର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ରାଉତ, ସମ୍ପାଦକ ସୁରେଶ ଚନ୍ଦ୍ର ମହାନ୍ତି ଓ ତପନ ସେଠୀଙ୍କ ସମେତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର