ଚିନ୍ତା ବଢ଼ାଉଛି କୋହଲିଙ୍କ ଷ୍ଟ୍ରାଇକ୍‌ ରେଟ୍‌

ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସୂର୍ଯ୍ୟ, ବୁମ୍‌ରା ମୁଖ୍ୟ ଭୂମିକା ନେବେ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରନ୍ତୁ ବୋଲି ଅନେକ ବିଶେଷଜ୍ଞ ମତ ଦେଲେଣି। କିନ୍ତୁ ଆଇପିଏଲ୍‌ରେ କୋହଲିଙ୍କ ଷ୍ଟ୍ରାଇକ୍‌ରେଟ୍‌ ଏବେବି ଚିନ୍ତାଜନକ ରହିଛି। କୋହଲି ଅଗ୍ରଣୀ ସ୍କୋରର୍ ଅଛନ୍ତି, କିନ୍ତୁ ସେଥିପାଇଁ ଅଧିକା ବଲ୍‌ ଖେଳିଦେଉଥିବାରୁ ତାହା ଦଳର ମୋଟ୍‌ ସ୍କୋର ଉପରେ ପ୍ରଭାବ ପକାଉଛି। ଏଥିସହିତ ବିଶ୍ବକପ୍‌ ଚୟନ ‌ପାଇଁ କୋହଲିଙ୍କୁ ଏହି ଫର୍ମାଟ୍‌ର ବିଶେଷଜ୍ଞ ବ୍ୟାଟର୍‌ ଭାବେ ନିଜକୁ ପ୍ରମାଣିତ କରିବା ଅପରିହାର୍ଯ୍ୟ ହୋଇପଡ଼ିଥିବା କୁହାଯାଉଛି। ଗୁରୁବାର ହାଇଦ୍ରାବାଦ ବିପକ୍ଷରେ କୋହଲି ୪୩ ବଲ୍‌ରୁ ୫୧ ରନ୍‌ ସଂଗ୍ରହ କରିଥିଲେ। ପାୱାରପ୍ଲେ ମଧ୍ୟରେ ୧୮ ବଲ୍‌ରୁ ସେ ୩୨ ରନ୍‌ କରିଥିଲା ବେଳେ ଏହାରେ ୨୫ ବଲ୍‌ରୁ ମାତ୍ର ୧୯ ରନ୍‌ ସଂଗ୍ରହ କରିପାରିଥିଲେ। ଯାହାମଧ୍ୟରେ ସେ ଗୋଟିଏ ବି ବାଉଣ୍ଡରି ମଧ୍ୟ ମାରିପାରି ନଥିଲେ। ପାୱାରପ୍ଲେ ପରେ ଚୌକା ମାରିପାରି ନଥିବାରୁ ଅର୍ଦ୍ଧଶତକ ପୂରଣ ପରେ ମଧ୍ୟ ସେ ଚୁପ୍‌ଚାପ୍‌ ରହୁଥିଲେ। ଆରମ୍ଭରୁ ଭଲ ଖେଳୁଥିଲେ ମଧ୍ୟ ମଝି ଓଭରଗୁଡ଼ିକରେ ସେ ଧିମାଇ ଯାଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପ୍ରାୟତଃ ପ୍ରତ୍ୟେକ ଦଳ ଦ୍ବିଶତକ ସ୍କୋର କରୁଛନ୍ତି। ତେଣୁ ବ୍ୟାଟିଂ ପିଚ୍‌ରେ ବ୍ୟାଟର୍‌ମାନଙ୍କୁ ଆକ୍ରମଣାତ୍ମକ ଖେଳିବାକୁ ପଡ଼ିବ ବୋଲି ସନରାଇଜର୍ସ ହାଇଦ୍ରାବାଦ ପ୍ରଶିକ୍ଷକ ଡାନିଏଲ୍‌ ଭିଟୋରି ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କହିବାକୁ ପଛାଇ ନଥିଲେ। ତେଣୁ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରୁ ଜଣାପଡୁଛି ଯେ, କୋହଲିଙ୍କୁ ଆହୁରି କିଛି ଦିଗରେ ଉନ୍ନତି ଆଣିବାକୁ ହେବ।

ନୂଆଦିଲ୍ଲୀ: ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଓ ଯଶପ୍ରୀତ୍‌ ବୁମ୍‌ରା ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ପାଇଁ ପ୍ରମୁଖ ଭୂମିକା ତୁଲାଇବେ। ଭାରତର ଦ୍ବିତୀୟ ଟ୍ରଫି ବିଜୟରେ ଏମାନେ ହିଁ ଆଗରେ ରହିବେ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ତାରକା ‌ତଥା ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ଯୁବରାଜ ସିଂହ। ସୂର୍ଯ୍ୟକୁମାରଙ୍କ ଖେଳ ଯେପରି, ସେ ୧୫ ବଲ୍‌ ଖେଳିଲେ ସବୁକିଛି ଓଲଟପାଲଟ କରିଦେବେ। ମୋର ବିଶ୍ବାସ ଭାରତ ଏଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବ ଏବଂ ସୂର୍ଯ୍ୟ ହିଁ ମୂଖ୍ୟ ଭୂମିକା ତୁଲାଇବେ। ସେହିପରି ବୋଲିଂରେ ଯଶପ୍ରୀତଙ୍କ ଗୁରୁଦାୟିତ୍ବ ରହି‌ବ। ମୁଁ ଚାହୁଛି ଦଳରେ ଜଣେ ଲେଗ୍‌ ସ୍ପିନର୍‌ ନିହାତି ରହିବା ଆବଶ୍ୟକ। ୟୁଝବେନ୍ଦ୍ର ଚହଲ ଭଲ କରୁଥିବାରୁ ସେ ଏହି ସ୍ଥାନ ନେବା ଦରକାର। ଦୀନେଶ କାର୍ତ୍ତିକ ଭଲ ବ୍ୟାଟିଂ କରୁଛନ୍ତି। ଗତ ବିଶ୍ବକପ୍‌ (୨୦୨୨)ରେ ‌ତାଙ୍କୁ ଦଳରେ ନିଆଯାଇଥିଲା, ହେଲେ ସେ ଭଲ ଖେଳିପାରି ନଥିଲେ। ମୋର ଆଶା ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଅଧିକ ଯୁବ ଖେଳାଳି ‌ଦଳରେ ରୁହନ୍ତୁ। ଏହାଦ୍ବାରା ଏକଦିବସୀୟ ଓ ଟେଷ୍ଟ୍‌ କ୍ରିକେଟ୍‌ରେ ଅଭିଜ୍ଞ ଖେଳାଳିଙ୍କ ଉପରେ ଚାପ ରହିବନି। ‌ଋଷଭ ପନ୍ତ ଓ ସଂଜୁ ସାମ୍‌ସନ୍‌ ଭଲ ଫର୍ମରେ ଅଛନ୍ତି ଏବଂ ଏମାନେ ଯୁବକ, ତେଣୁ ଦଳରେ ସ୍ଥାନ ପାଇବାକୁ ହକ୍‌ଦାର। ଶିବମ ଦୁବେ ଭବିଷ୍ୟତ ତାରକା। ତାଙ୍କୁ ମଧ୍ୟ ବିଶ୍ବକପ୍‌ ଦଳରେ ସ୍ଥାନ ମିଳୁ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଯୁବି।

ସମ୍ବନ୍ଧିତ ଖବର