ବିଜେଡି ହଟିବ, ଡବଲ୍‌ ଇଞ୍ଜିନ୍‌ ଚାଲିବ: ବିଷ୍ଣୁଦେବ

ଓଡ଼ିଶାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ରାଇଘର/କୁନ୍ଦୁରା: ‘‘ରାଜ୍ୟରୁ ଭ୍ରଷ୍ଟାଚାରୀ ସରକାର ହଟିବ। ଡବଲ୍‌ ଇଞ୍ଜିନ୍‌ ସରକାର ଦ୍ରୁତଗତିରେ ବିକାଶ କରିବ। ଡବଲ୍‌ ଇଞ୍ଜିନ୍ ସରକାର ଓଡ଼ିଶାବାସୀଙ୍କୁ ମାଗଣା ବିଜୁଳି ଦେବ। ମହିଳାଙ୍କୁ ୫୦ହଜାର ଟଙ୍କାର କୁପନ୍, ଧାନମଣ୍ଡିରେ କଟ୍‌ନିଛଟ୍‌ନି ବନ୍ଦ, ୪୮ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟ୍‌ରେ ଟଙ୍କା ପଡ଼ିବ।’’ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ର ସୀମାନ୍ତ ହାଟଭରଣ୍ଡି ଓ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍‌ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଏମିତି ପ୍ରତିଶ୍ରୁତି ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଦୁର୍ନୀତିରେ ବୁଡ଼ି ରହିଥିବା ବିଜେଡି ସରକାରକୁ ହଟାଇବା ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ସେ।

କୁନ୍ଦୁରା ଶ୍ରୀଅରବିନ୍ଦ ଶିକ୍ଷା ନିକେତନ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ବିଷ୍ଣୁଦେବ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, କୋଟପାଡ଼ ବିଧାୟକ ପ୍ରାର୍ଥୀ ରୁପୁ ଭତ୍ରାଙ୍କ ପାଇଁ ଭୋଟ ମାଗିବା ସହ ବିଜେଡି ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଡବଲ ଇଞ୍ଜିନ ସରକାର ହେଲେ ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ଧାନର ସର୍ବନିମ୍ନ ମୂଲ୍ୟ ୩୧ଶହ ଟଙ୍କାକୁ ବୃଦ୍ଧି ଏବଂ ପ୍ରତି ଘରକୁ ନଳ ଯୋଗେ ପାଣି, ପାଇପ୍‌ରେ ଜାଳେଣି ଗ୍ୟାସ୍‌ ପହଞ୍ଚିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଛତିଶଗଡ଼ର ପୂର୍ବତନ ସାଂସଦ ଦୀନେଶ କଶ୍ୟପ, ପ୍ରଦୀପ ଗାନ୍ଧୀ, ବିଧାୟକ ବିନାୟକ ଗୋୟଲ, ରାମେଶ୍ବର ଜେନା, କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ, ବିଦ୍ୟାନାଥ ମିଶ୍ର, ବିନାୟକ ଆଚାର୍ଯ୍ୟ, ବିଶ୍ବଭୂଷଣ ତ୍ରିପାଠୀ, ସୁଧାଂଶୁ ଶେଖର ଜେନା, ବଦ୍ରି ନାରାୟଣ ଆଚାର୍ଯ୍ୟ, ଅମ୍ବୁ ପାତ୍ର ଓ ଶଙ୍କର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ।

ଅପରାହ୍ନରେ ହାଟଭରଣ୍ଡି ଖେଳ ପଡ଼ିଆରେ ପହଞ୍ଚି ବିଷ୍ଣୁଦେବ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ସହ ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା କୋଣ୍ଡାଗାଁ ବିଧାୟିକା ଲତା ଉସେଣ୍ଡି, କେସକାଲ୍ ବିଧାୟକ ସେବକ ନେତାମ ଯୋଗ ଦେଇଥିଲେ। ଓଡ଼ିଶାରେ ଦୁର୍ନୀତି ଦିନକୁ ଦିନ ବଢିବାରେ ଲାଗିଛି। ଚାକିରି କରିବାକୁ ଆସି ଅଣଓଡ଼ିଆ ଭି.କେ ପାଣ୍ଡିଆନ ଓଡ଼ିଶାର ଗଣତନ୍ତ୍ରକୁ କଳୁଷିତ କରିଛନ୍ତି। ତାଙ୍କୁ ହଟାଇବା ଦରକାର। ଓଡ଼ିଶା ଓ ଛତିଶଗଡ଼ ଲୋକଙ୍କ ମଧ୍ୟରେ ଖାଦ୍ୟ ପାନୀୟ ସହିତ ବିବାହ ବନ୍ଧୁତା ରହିଛି। ଅନ୍ୟ ଅର୍ଥରେ ରୋଟି ଓ ବେଟି ସମ୍ପର୍କ ରହିଛି। ଛତିଶଗଡ଼ରେ ବିଜେପି ସରକାର ସମସ୍ତ ସୁବିଧା ଯୋଗାଇ ଦେଉଥିବା ବେଳେ ଓଡ଼ିଶାବାସୀ କାହିଁକି ବଞ୍ଚିତ ରହିବେ ବୋଲି ପ୍ରଶ୍ନ କରିଥିଲେ ସେ। ଉମରକୋଟ ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ବିପୁଳ ଭୋଟ ଦେବାକୁ ବିଷ୍ଣୁଦେବ ପୁଣି ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର